ଶାନ୍ତିଝର: ପର୍ଯ୍ୟଟନ ଶିଳ୍ପ ବିକାଶରେ ନୂଆ ଆଶା, ସମ୍ଭାବନା

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ରାଜବାଟୀର ପଶ୍ଚିମ ଦିଗର ପ୍ରାୟ ୧କିମି ଦୂରରେ ବହି ଯାଇଛି ‘ଶାନ୍ତିଝର’ ଝରଣା। ଶୁଳିଆ ପାହାଡ଼ ପାଦ ଦେଶରେ ଶାନ୍ତିକୁଣ୍ଡ, ମଧ୍ୟ ଭାଗରେ ମା’ ଗଡ଼ଚଣ୍ଡି ଓ ଉପରି ଭାଗରେ ରହିଛି ହନୁମାନ ବାଟିକା। ଏହି ସଙ୍ଗମ ସ୍ଥଳ କାଠୁଳିଆ ଦେବୀ ନାମରେ ଜଣାଶୁଣା। ତେବେ ଶାନ୍ତିଝର କେଉଁଠାରୁ ବାହାରିଛି ତାହା ଏବେବି ରହସ୍ୟ ଘେରରେ। ଏହି ଝରଣା ବର୍ଷ ସାରା ତାର ପାଦ ଦେଶରେ ରହିଥିବା ଚାଷ ଜମିକୁ ପାଣି ଯୋଗାଇ ଥାଏ। ଏହାର ଅପରୂପ ଶୋଭା ପାଇଁ ଜିଲ୍ଲାର କୋଣ ଅନୂକୋଣରୁ ଶତାଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ଦୁଃଖର କଥା ହେଲା, ଏହା ଉପରେ ରାଜ୍ୟ ସରକାରଙ୍କ କୃପା ଦୃଷ୍ଟି ଏଯାଏ ପଡ଼ି ପାରିନି। ଫଳରେ ସମସ୍ତ ଆନୁଷଙ୍ଗିକ ସୁବିଧା ଥିଲେ ମଧ୍ୟ ଏହାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳି ପାରି ନାହିଁ। ସେହିପରି ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଗମନାଗମନ ସୁବିଧା ନଥିବା ବେଳେ ବିଶ୍ରାମାଗାର ଟିଏ ମଧ୍ୟ ନାହିଁ। ଫଳରେ ଇଚ୍ଛା ଥିଲେ ବି ଅନେକ ପର୍ଯ୍ୟଟକ ଏଠାକୁ ଆସିବାକୁ ମନ ଫେରାଇ ନେଉଛନ୍ତି।

ଅନ୍ୟପକ୍ଷରେ ଧରାକୋଟ ରାଜବାଟୀର ଦକ୍ଷିଣ ପାର୍ଶ୍ବର ମାତ୍ର ୫ ଶହ ମିଟର ଦୁରରେ ରହିଛି ପାତାଳେଶ୍ବରୀ ପୀଠ। କିମ୍ବଦନ୍ତୀ କହେ, ଝଡ଼ ବାତ୍ୟାରେ ଶୁଳିଆ ପାହାଡ଼ରୁ ଏକ ବିରାଟ ପ୍ରସ୍ତର ଖଣ୍ଡ ଖସି ଖସି ଧରାକୋଟ ଆଡ଼କୁ ଆସୁଥିବା ବେଳେ ମା’ପାତାଳେଶ୍ବରୀ ତାଙ୍କ ମନ୍ଦିର ନିକଟରେ ଅଟକାଇ ରଖିଥିଲେ। ଯାହାର ଝଲକ ଏବେ ମଧ୍ୟ ଦେଖିବାକୁ ମିଳୁଛି। ଶବରପଲ୍ଲୀର ସର୍ଦ୍ଦାର ନିଳା ଓ ଧରା ମା’ଙ୍କ ପୀଠରେ ଉପସ୍ଥିତି ଜାହିର୍ କରିଥିଲେ। ସମୟକ୍ରମେ ରାଜବଂଶର ପ୍ରତିଷ୍ଠାତା ରାଜା ହାଡ଼ୁ ସିଂ ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରି ଏହି ଧରାକୋଟ ରାଜବାଟୀର ସ୍ଥାପନା କରିଥିଲେ। ସେହି ଦିନ ଠାରୁ ନୀଳ ଶବର ନାମରେ ନେଳିଆ ବନ୍ଧ ଓ ଧରା ଶବର ନାମରେ ଧରାକୋଟ ଗଡ଼ ସ୍ଥାପନ ହୋଇଥିଲା। ଏହି ସ୍ମୃତିକୁ ମନେପକାଇବା ପାଇଁ ଧରାକୋଟ ରାଜବଂଶର ଦାୟାଦମାନେ ପ୍ରତ୍ୟେକ ଦେବ ଦୀପାବଳୀରେ ହାତୀ ପଥର ଉପରେ ଦୀପ ପ୍ରଦାନ କରି ଆସୁଛନ୍ତି। ଏଣୁ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସମସ୍ତ ସମ୍ଭାବନା ଥିବା ଶାନ୍ତିଝରକୁ ସରକାର ପର୍ଯ୍ୟଟନସ୍ଥଳର ମାନ୍ୟତା ଦିଅନ୍ତୁ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର