ନୂଆ ରୂପ ପାଇବ ଶାନ୍ତିସ୍ତୂପ, ବୁଦ୍ଧଦେବଙ୍କ ଶୟନ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରସ୍ତାବ

ଉନ୍ନତିକରଣ କାର୍ଯ୍ୟ ନେଇ ଖର୍ଚ୍ଚ ହେବ ଦେଢ଼ କୋଟି ଟଙ୍କା

ଧଉଳି: ଐତିହ୍ୟସମ୍ପନ୍ନ ଧଉଳି ଶାନ୍ତିସ୍ତୂପର ସାମଗ୍ରୀକ ବିକାଶ କାର୍ଯ୍ୟ ନେଇ ଏବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି। ଆଜି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶୁଭାରମ୍ଭ କରିଥିଲେ। ସଭାରେ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ପ୍ରୋବଲେମ ଫଣ୍ଡରୁ ୯୯. ୮୧ ଲକ୍ଷ ମଞ୍ଜୁର କରାଯାଇଛି। ଅନୁରୂପ ଭାବେ ମନ୍ତ୍ରୀ ଶ୍ରା ପଣ୍ଡା ତାଙ୍କ ଆଞ୍ଚଳିକ ଉନ୍ନୟନ ହାତ ପାଣ୍ଠିରୁ ବାକି ୫୦ ଳକ୍ଷ ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଛନ୍ତି। ଦରକାର ପଡ଼ିଲେ ମନ୍ତ୍ରୀ ଏନେଇ ଅତିରିକ୍ତ ଅନୁଦାନ ରାଶି ମଞ୍ଜୁର କରିବେ ବୋଲି ସଭାରେ ଘୋଷଣା କରିଥିଲେ।

ଏହି ପରିପ୍ରେକ୍ଷୀରେ ସମାଜ ସେବୀ ହରେକୃଷ୍ଣ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଓବିସିସିର ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ ସ୍ତୂପ ଫାଟସ୍ଥାନ ମରାମତି ଏବଂ ଅନ୍ୟାନ୍ୟ କଳାକୃତି ଏବଂ ଶାନ୍ତିସ୍ତୂପ ପରିସର (ଉପରପାର୍ଶ୍ବ) ନବୀକରଣ କାର୍ଯ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁଙ୍କ ସୂଚନା ଅନୁସାରେ ସିଲକୋଟ ନାମକ ଏକ ଘରୋଇ ଏଜେନ୍ସି ମରାମତି ଏବଂ ନିର୍ମାଣ କାର୍ଯ୍ୟ କରିବ। ଶାନ୍ତିସ୍ତୂପର ସାମଗ୍ରୀକ ଉନ୍ନତିକରଣ କାର୍ଯ୍ୟ ଅନ୍ୟୁନ ୫ ମାସ ମଧ୍ୟରେ ଶେଷ ହେବ। ତଥ୍ୟ ଅନୁସାରେ ୮୬ ଫୁଟ୍‌ ଉଚ୍ଚତା ଏବଂ ୭୦ ଫୁଟ୍‌ ପରିଧି ବିଶିଷ୍ଟ ଶାନ୍ତିସ୍ତୂପର ସମଗ୍ର ସ୍ଥାନ ମରାମତି କରାଯିବ। ବିଭିନ୍ନ ସ୍ଥାନରେ ଫନି ବାତ୍ୟା ମାଡ଼ରେ ନଷ୍ଟ ହୋଇଯାଇଥିବା କଳାକୃତି ମରାମତି କରାଯିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ‌ଶାନ୍ତିସ୍ତୂପର ଶୀର୍ଷ ଭାଗରେ ୫ଟି ଛତ୍ରି ଏବଂ ଛତ୍ରିତଳେ ଥିବା ଆଶାକ ଚକ୍ର ପ୍ରତିମୂର୍ତ୍ତି ମରାମତି କରାଯିବ।

Sambad

୬ ଫୁଟ ଉଚ୍ଚତା ବିଶିଷ୍ଟ ୮ଟି ସିଂହ, ୨୦ଟି ଅଶୋକସ୍ତମ୍ବକୃତି, ଚାରିପାଖରେ ଥିବା ବୁଦ୍ଧଦେବଙ୍କ ବିଭିନ୍ନ ମୁଦ୍ରାର ମୂର୍ତ୍ତି, ଧ୍ୟାନମଗ୍ନ ଅବସ୍ଥାରୁ ସିଦ୍ଧିଲାଭ ଏବଂ ନିଜର ଅନୁଗତଙ୍କ ଗହଣରେ ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର ଆଦି ସବୁ ପ୍ରତିକୃତି ଉପରୁ ରଙ୍ଗ ଛଡ଼ାଯାଇ ନଷ୍ଟ ହୋଇଯାଇଥିବା ସ୍ଥାନ ମରାମିତି କାର୍ଯ୍ୟ କରାଯିବ। ଶାସ୍ତିସ୍ତୂପ ଚତୁଃପାର୍ଶ୍ବରେ ନଷ୍ଟ ହୋଇଯାଇଥିବା ମୋଟ ୨୪ଟି ମୂତ୍ତି ଏବଂ କଳାକୃତି ରହିଛି। ସେଥିମଧ୍ୟରୁ ମଧ୍ୟରୁ ୧୬ଟି ପଥର ଖୋଦିତ କଳାକୃତି ହୋଇଥିବା ବେଳେ ବାକି ୮ ଗୋଟି ସିମେଣ୍ଟ କଂକ୍ରିଟ ଖୋଦିତ ପ୍ରତିମୂତ୍ତି ରହିଛି। ଏହି ୮ ଟି କଂକ୍ରିଟ ପ୍ରତିମୂର୍ତ୍ତି ସ୍ଥାନରେ ପଥର ଖୋଦିତ ପ୍ରତିମୂର୍ତ୍ତି ସାନି ସ୍ଥାପନ କରାଯିବ। ସ୍ତୂପ ଏବଂ ମୂର୍ତ୍ତି ଗୁଡ଼ିକ ଦୀର୍ଘସ୍ଥାୟୀ କରାଯିବା ପାଇଁ ବାହାର ଅଂଶରେ ଜଳବାୟୁ ପ୍ରତିରୋଧକ ବ୍ୟବସ୍ଥାରେ ନିର୍ମାଣ କାର୍ଯ୍ୟ ହେବ।

ସେହିପରି ଶାନ୍ତିସ୍ତୂପ ପରିସର  (ଉପରଭାଗ) ଟାଇଲ ବିଛାଯିବ। ଏସବୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପୂର୍ବଭଳି ଧଳା ରଙ୍ଗ ଲେପ ଦିଆଯିବ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ସ୍ଥପତି ସୁଦର୍ଶନ ସାହୁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, ଜିଲ୍ଲାପରିଷଦ ସଭ୍ୟା ଦିପ୍ତିମୟୀ ସୁନ୍ଦରାୟ ଏବଂ ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ, ସମିତି ସଭ୍ୟ ଭଗବାନ ସାହୁ, ଯୁବନେତା ଆଲୋକ ରଞ୍ଜନ ସାହୁ ଏବଂ ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳିଙ୍ଗ ନିପନ ବୁଦ୍ଧ ସଂଘର ସମ୍ପାଦକ ଲିଉ କ୍ୟୁ ୟଙ୍ଗ ଉପସ୍ଥିତ ଥିଲେ। ଏହି ଅବସରରେ ସମାଜସେବୀ ଶ୍ରୀ ସାହୁ ଶାନ୍ତିସ୍ତୂପ ପରିସରରେ ବୁଦ୍ଧଦେବଙ୍କ ଏକ ୧୦ ଫୁଟର ପ୍ରସ୍ତର ପ୍ରତିମୂର୍ତ୍ତି ନିର୍ମାଣ ନେଇ ଦାବି ଉପସ୍ଥାପନ କରିଥିଲେ। ମନ୍ତ୍ରୀଙ୍କ ସମେତ ସ୍ଥପତି ଏଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର