ଢେଙ୍କାନାଳ: ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ଢେଙ୍କାନାଳ ଜିଲ୍ଲା ବେଲଟିକିରିସ୍ଥିତ ‘ଗୁଡ ନ୍ୟୁଜ ଇଣ୍ଡିଅା ଡ୍ରିମ୍ ହୋମ୍’ର ଅର୍ଥନୀତିକ ଦିଗ ସମ୍ପର୍କରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସଂସ୍ଥାର ଆର୍ଥିକ ନେଣଦେଣ, ଯେମିତି କି କେଉଁଠୁ ଏବଂ କେତେ ବିଦେଶୀ ପୁଞ୍ଜି ଆସୁଥିଲା ସେ ନେଇ ଇଡି ଯାଞ୍ଚ କରିବ। ଏ ନେଇ ଇଡି ପକ୍ଷରୁ ଢେଙ୍କାନାଳ ପୁଲିସକୁ ଏତଲା ଓ ଚାର୍ଜସିଟ୍ ମଗାଯାଇଛି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବେଲଟିକିରିସ୍ଥିତ ଗୁଡ ନ୍ୟୁଜ ଇଣ୍ଡିଅା ପରିଚାଳିତ ସେଲ୍ଟର୍ ହୋମ୍ରେ ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ସମୟରେ ସମଗ୍ର ରାଜ୍ୟରେ ଆଲୋଡନ ଖେଳି ଯାଇଥିଲା। କେବଳ ଏତିକି ନୁହେଁ, .ସେଠାରେ ଧର୍ମ ପରିବର୍ତ୍ତନ କରାଯାଉଥିଲା ବୋଲି ବି ଶୁଣିବାକୁ ମିଳିଥିଲା। ଏହି ନିର୍ଯାତନା ମାମଲାର ମୁଖ୍ୟ ଖଳନାୟକ ଥିଲେ ସଂସ୍ଥାର ମୁଖ୍ୟ ଫୟାଜ୍ ରେହମାନ। ଏହି ସେଲ୍ଟର ହୋମର ଅନ୍ତେବାସୀ ସଂସ୍ଥାର ମୁଖ୍ୟ ଫୟାଜ୍ ରେହମାନଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରୁଥିବା ଜାଣିବାକୁ ମିଳିଛି ।