ଟମକା: ନିରାଶ୍ରୟ ଦମ୍ପତିଙ୍କୁ ମିଳିପାରୁନି ସରକାରୀ ଆବାସ। ବାରଦୁଆର ହେବାପରେ ଏବେ ପଡ଼ିଶା ଘରେ ଆଶ୍ରୟ ନେଇଛନ୍ତି ଗୋଲକ ବିହାରୀ ନାୟକ(୬୨)ଙ୍କ ପରିବାର। ଦାନଗଦି ବ୍ଲକ୍ ଉଚ୍ଚବାଲି ପଞ୍ଚାୟତ ଗୌଡ଼ବାହାଳି ଗାଁର ଏ ଚିତ୍ର ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।
ଗୋଲକ ତାଙ୍କ ପତ୍ନୀ ପଦ୍ମାବତୀ ଏଇ ଗାଁର ୫ ନମ୍ବର ୱାର୍ଡର ସ୍ଥାୟୀ ବାସିନ୍ଦା। ଘରଡିହ ଖଣ୍ଡିକ ବ୍ୟତୀତ ନିଜସ୍ଵ ଚାଷଜମି ନାହିଁ। ୩ ଝିଅଙ୍କର ବିବାହ କରି ସାରିଛନ୍ତି। ପୁଅ ଗୋପବନ୍ଧୁ ଏକ ଘରୋଇ କମ୍ପାନିରେ କାମ କରି ବାହାରେ ରହୁଛନ୍ତି। ଗାଁରେ କେବଳ ଏହି ବୃଦ୍ଧ ଦମ୍ପତି ରହୁଛନ୍ତି। କିଛିଦିନ ତଳେ କାଳବୈଶାଖୀ ବର୍ଷାପବନରେ ଚାଳ ଛପର ଉଡ଼ିଯାଇଥିଲା। ମାଟି କାନ୍ଥ ଭୁଶୁଡ଼ି ପଡ଼ିବା ଅବସ୍ଥାରେ ରହିଛି। ଅର୍ଥ ଅଭାବରୁ ଛପର କରିପାରୁ ନାହାନ୍ତି। ଘରଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ସେଠାରେ ରହିବାକୁ ଅସୁରକ୍ଷିତ ମଣୁଥିବାରୁ ପଡ଼ିଶାଘରେ ଆଶ୍ରୟ ନେଇଛନ୍ତି। ସରକାରୀ ଯୋଜନାରେ ଘରଟିଏ ପାଇବାପାଇଁ ଏହି ଦମ୍ପତି ପ୍ରତିବର୍ଷ ଦରଖାସ୍ତ କରି ନିରାଶ ହୋଇଥିବା ଗୋଲକ କହିଛନ୍ତି।
ତୁରନ୍ତ ତାଙ୍କୁ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ଗାଁର ଅବନୀକାନ୍ତ ସାହୁ, ମଙ୍ଗୁଳି ଚରଣ ପୃଷ୍ଟି, ପରମାନନ୍ଦ ସାହୁ, ବନମାଳୀ ନାୟକ, ବାଙ୍କନିଧି ନାୟକ ଓ ସୁଶୀଲ କୁମାର ସାହୁ ଦାବି କରିଛନ୍ତି। ଏ ସଂପର୍କରେ ଉଚ୍ଚବାଲି ସରପଞ୍ଚ ବନଜା ଜେନାଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/30-6.jpg)