ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳରେ ଚାଲିଛି ନକ୍ସଲ ରାଜ୍। ଏବେ ପ୍ରାୟ ୫୦ରୁ ଊର୍ଧ୍ୱ ଗ୍ରାମର ୨ ଶହରୁ ଊର୍ଧ୍ୱ ପରିବାର ମାଓବାଦୀଙ୍କ ଆତଙ୍କରାଜ କାରଣରୁ ଭିଟାମାଟି ଛାଡ଼ି ବାର ଦୁଆର ବୁଲୁଛନ୍ତି। କିଛି ଲୋକ ନିଜ ସଂପର୍କୀୟ ଘରେ ଅତିଥି ପାଲଟି ଯାଇଛନ୍ତି ତ ଆଉ କିଛି ଲୋକ ଥାନା, ବିଏସ୍ଏଫ୍ କ୍ୟାମ୍ପ ନିକଟରେ ପଲିଥିନ୍ ତମ୍ବୁରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ବିସ୍ଥାପିତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା କହୁଥିବା ବେଳେ ଏମାନେ କିଭଳି ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ତାହା ଦେଖିବାକୁ ଯାଇଥିଲେ ଆମ ପ୍ରତିନିଧି। ରୋଗୀ, ଗର୍ଭବତୀ ଏବଂ ଭୋକିଲା ଶିଶୁମାନେ ଏହି ତମ୍ବୁ ତଳେ ଶୋଇ ରହି ଭାଗ୍ୟକୁ ନିନ୍ଦୁଥିବା ବେଳେ ପୁରୁଷ ଲୋକମାନେ କର୍ମ ଅନୁସନ୍ଧାନରେ ବାହାରକୁ ଯାଇଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚିତ୍ରକୋଣ୍ଡାର ଡିଡାଇ ଆଶ୍ରୟ ସ୍ଥଳ ସାମ୍ନାରେ ପଲିଥିନ୍ ଟାଣି ରହିଥିବା ବିସ୍ଥାପିତଙ୍କ ଅବସ୍ଥା ଅତି ଶୋଚନୀୟ। ସେ ମଧ୍ୟରୁ କାହାକୁ ମ୍ୟାଲେରିଆ ତ ଆଉ କାହାକୁ ଝାଡାବାନ୍ତି। ଲଗାଣ ବର୍ଷାରେ ଏମାନେ ନାହିଁ ନଥିବା ହଇରାଣ ହୋଇଥିବା କହିଥିଲେ। ପବନ ଓ ବର୍ଷାରେ ପଲିଥିନ ଫାଟି ଆଁ କରିଥିବା ବେଳେ ବହୁ କଷ୍ଟରେ ରହିଥିବା କହିଥିଲେ। ପାଖରେ ଯେଉଁମାନଙ୍କ ରାସନ କାର୍ଡ ରହିଛି ସେମାନଙ୍କୁ ଚାଉଳ ମିଳୁଛି। ଫଳରେ ନିକଟସ୍ଥ ଜଙ୍ଗଲରୁ କରଡି ସଂଗ୍ରହ କରି ଅଧିକାଂଶ ଭାତ ସହ କରଡି ସିଝା ଖାଉଥିବା ଦେଖିବାକୁ ମିଳିଛି। ତେବେ କରଡି ଖାଇ ଅନେକ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାଖରେ ମଶାରୀ ନଥିବାରୁ ଅନେକ ଜ୍ୱରରେ ପୀଡିତ ଥିବା ଦେଖିବାକୁ ମିଳିଥିଲା। ପିଲାମାନେ କାହିଁକି ଗାଁ ଛାଡ଼ି ଆସିଛନ୍ତି ଜାଣି ନଥିବାରୁ ଏଣେତେଣେ ବୁଲୁଛନ୍ତି। ଏମାନଙ୍କ ପାଠପଢ଼ା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ସରକାର ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଉଥିବା ବେଳେ ଏହି ବିସ୍ଥାପିତଙ୍କ ପାଇଁ କୌଣସି ବ୍ୟବସ୍ଥା ନକରି ଚୁପ୍ ରହିବା ଆଶ୍ଚର୍ଯ୍ୟାନ୍ଵିତ କରୁଛି।