କଳାହାଣ୍ଡି: ୬ ଲକ୍ଷରୁ ଅଧିକ ତୁଣ୍ଡି ତିଆରି କଲେଣି ୩୧୫ଟି ସ୍ୱୟଂ ସହାୟଗ ଗୋଷ୍ଠୀ

ଭବାନୀପାଟଣା: କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଘୋଷଣା କରିବା ସହ ତୁଣ୍ଡି ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏସବୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାର ଘରୁ ବାହାରିଲେ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏପରିକି ତୁଣ୍ଡି ନ ପିନ୍ଧିଲେ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଏଭଳି ସ୍ଥିତିରେ ତୁଣ୍ଡିର ଚାହିଦା ପୁରାଣ କରିବାକୁ ଯାଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଏସଏଚଜି ମହିଳା ମାନେ ତୁଣ୍ଡି ପ୍ରସ୍ତୁତ କରି କରୋନା ଯୁଦ୍ଧରେ ନିଜକୁ ପ୍ରମୁଖ ସହଭାଗୀ କରିପାରିଛନ୍ତି ।

ଏ ଦୁର୍ଦ୍ଦିନରେ ତୁଣ୍ଡି ବ୍ୟବସାୟ ସେମାନଙ୍କ ରୋଜଗାର ର ମାଧ୍ୟମ ପାଲଟିଛି । ଘରେ ଘରେ ତୁଣ୍ଡି ତିଆରି କରି ସମାଜସେବା ସାଙ୍ଗକୁ ସେମାନେ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ ୧୩ ଟି ବ୍ଲକ ର ୩୧୫ ଟି ମହିଳା ଗୋଷ୍ଠୀ ତୁଣ୍ଡି ତିଆରି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ସଦର ବ୍ଲକ ରେ ୨୮ ଟି ଏସଏଚଜି ୫୦,୨୪୩ ଟି ତୁଣ୍ଡି, ଧର୍ମଗଡ଼ ବ୍ଲକରେ ୪୦ ଟି ଏସଏଚଜି ୩୮,୨୪୬, ଗୋଳାମୁଣ୍ଡା ବ୍ଲକରେ ୩୮ ଟି ଏସଏଚଜି ୩୧୩୮୧ ଟି, ଜୟପାଟଣା ବ୍ଲକରେ ୨୯ ଟି ଏସଏଚଜି ୩୧୫୫୩ ଟି , ଜୁନାଗଡ଼ ବ୍ଲକରେ ୪ ଟି ଏସଏଚଜି ୨୬୨୬୦ ଟି, କଲମପୁର ବ୍ଲକରେ ୯ ଟି ଏସଏଚଜି ୩୬୨୩୦ ଟି, କର୍ଲାମୁଣ୍ଡା ବ୍ଲକରେ ୪ ଟି ଏସଏଚଜି ୩୯୦୦୧ ଟି, କେସିଙ୍ଗା ବ୍ଲକରେ ୬ ଟି ଏସଏଚଜି ୧୬୪୮୨ଟି, କୋକସରା ବ୍ଲକରେ ୧୫ଟି ଏସଏଚଜି ୨୬୨୬୨, ଲାଞ୍ଜିଗଡ଼ ବ୍ଲକରେ ୪୬ ଟି ଏସଏଚଜି ୩୧୪୦୨, ମଦନପୁର ରାମପୁର ବ୍ଲକରେ ୧୭ ଟି ଏସଏଚଜି ୨୨୩୧୦, ନର୍ଲା ବ୍ଲକରେ ୩୨ ଟି ଏସଏଚଜି ୪୧୩୫୦, ଥୁଆମୂଳ ରାମପୁର ବ୍ଲକରେ ୪୭ ଟି ଏସଏଚଜି ୩୧୦୫୫ ଟି ତୁଣ୍ଡି ବିକ୍ରି କରି ସାରିଛନ୍ତି। ପ୍ରତି ତୁଣ୍ଡି ୧୫ ରୁ ୨୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି।

ତୁଣ୍ଡି ନିର୍ମାଣ ପାଇଁ କପଡା ଓ ଆବଶ୍ୟକ ସାମଗ୍ରୀ ବାବଦ ଖର୍ଚ୍ଚ ବାଦ୍ ଦେଲେ ପ୍ରତି ତୁଣ୍ଡି ପିଛା ୮ ରୁ ୧୦ ଟଙ୍କା ଲାଭ ପାଉଥିବା ସେମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ମାନ ସୁଦ୍ଧା ଏହି ମହିଳା ମାନେ ୬ଲକ୍ଷ ୭୮ ହଜାର ୨୧୨ ତୁଣ୍ଡି ତିଆରି କରି ସେଥିରୁ ୬ଲକ୍ଷ ୫୮ ହଜାର ୧୧୫ ଟି ତୁଣ୍ଡି ବିକ୍ରି କରି ସେମାନେ ୬୦ ଲକ୍ଷ ରୁ ଅଧିକ ଟଙ୍କା ଆଦାୟ କରିସାରିଲେଣି । କରୋନା ଯୁଦ୍ଧ ରେ ସହଭାଗୀ ମହିଳା ଏସଏଚଜି ମାନଙ୍କ ଭୂମିକା ନେଇ ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ସମ୍ବନ୍ଧିତ ଖବର