ମାଲକାନଗିରି: ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଅଜବ ନୀତି। ଜଣେ ସିଡିପିଓ ବାରମ୍ବାର ନିଲମ୍ବିତ ହେବା ପରେ ପୁଣି ତାଙ୍କୁ ଜିଲ୍ଲାରେ ହିଁ ସିଡିପିଓ ଭାବେ ଥଇଥାନ କରାଯାଉଛି,ଏହାକୁ ନେଇ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେ ହେଉଛନ୍ତି ପଡିଆ ବ୍ଲକର ସିଡିପିଓ ଦାୟିତ୍ୱରେ ଥିବା ବିପୁଳା ସର୍ଦାର। ବିପୁଳା ବାରମ୍ବାର ନିଲମ୍ବିତ ହେବା ପରେ ପୁଣି ପଡିଆ ବ୍ଲକରେ ସିଡିପିଓ ଦାୟିତ୍ୱରେ ରହିବା ପରେ ମାଲକାନଗିରି ଜିଲ୍ଲାର କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଏହାକୁ ବିରୋଧ କରି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ବିପୁଳା ସର୍ଦାର କୋରକୋଣ୍ଡାରେ ସୁପରଭାଇଜର ଥିବା ବେଳେ ଏବଂ ପଡିଆ ବ୍ଲକରେ ମଧ୍ୟ ସୁପରଭାଜର ଥିବା ବେଳେ ଆର୍ଥିକ କାରବାରରେ ଲିପ୍ତ ଥିବା ନେଇ ନିଲମ୍ବିତ ହୋଇଥିଲେ।

Advertisment

ଗତବର୍ଷ ଭୁଲ ତଥ୍ୟ ଉପସ୍ଥାପନା କରି ଜିଲ୍ଲାପାଳଙ୍କୁ ନଜଣାଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଭାବିତ କରି କୋରକୋଣ୍ଡା ଆଇସିଡିଏସରେ ସିଡିପିଓ ଏବଂ ପରେ ମାଲକାନଗିରି ସିଡିପିଓ ଦାୟିତ୍ୱରେ ରହି ବହୁ ଦୁର୍ନୀତିରେ ଲିପ୍ତ ରହିଥିଲେ। ଭୁଲ ତଥ୍ୟ ଦେଇ ସିଡିପିଓ ହୋଇଥିବାରୁ ତାଙ୍କୁ ସରକାର ପୁଣି ନିଲମ୍ବିତ କରିଥିଲେ। ଏବେ ପୁଣି ତାଙ୍କୁ ପଡିଆ ବ୍ଲକରେ ଅବସ୍ଥାପିତ କରାଯାଇଛି। ବିପୁଳା ଏହି ଜିଲ୍ଲାର ଲୋକ ହୋଇଥିବାରୁ ତଦନ୍ତକୁ ପ୍ରଭାବିତ କରିବା ପାଇଁ ପୂନର୍ବାର ମାଲକାନଗିରି ସିଡିପିଓ ହେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଧରି ଚେଷ୍ଟା ଚଳାଇଥିବା ଜଣାପଡିଛି।ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବି କରିବା ସହ ତୁରନ୍ତ ବିପୁଳାଙ୍କୁ ଏହି ଜିଲ୍ଲାରୁ ହଟାଯାଉ ବୋଲି ଦାବି କରିଛନ୍ତି।

publive-image

ସଂଘ କରିଥିବା ଦାବିଗୁଡିକ ମଧ୍ୟରୁ ବିପୁଳା ସର୍ଦାରଙ୍କୁ ଜିଲ୍ଲାରୁ ହଟାଯାଉ,ସେ ସିଡିପିଓ ଥିବା ସମୟର ସମସ୍ତ ଦୁର୍ନୀତିର ତଦନ୍ତ କରାଯାଉ, ଜିଲ୍ଲାରେ ଦକ୍ଷ ଏବଂ ଅଭିଜ୍ଞ ସିଡିପିଓଙ୍କୁ ନିଯୁକ୍ତି ଦେବା,ସରକାରୀ ଯୋଜନାରେ କାର୍ଯ୍ୟରତ ସ୍ବୟଂ ସହାୟକ ଗୋଷ୍ଠୀକୁ ଠିକ ସମୟରେ ଉଚିତ ପ୍ରାପ୍ୟ ପ୍ରଦାନ କରିବା, ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀକୁ କର୍ମ ଯୋଗାଇବା,ବ୍ୟାଙ୍କ ଋଣ ଓ ତାଲିମ ପ୍ରଦାନ କରିବା। ବିପୁଳାଙ୍କୁ ତୁରନ୍ତ ଜିଲ୍ଲାରୁ ହଟାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଧମକ ଦେଇଛି ସଂଘ।