ବଣ୍ଡାଘାଟିର ଭିନ୍ନ ଏକ ଚିତ୍ର, ପାଠ ପଢିବା ସହ ଆତ୍ମନିର୍ଭରଶୀଳ ହୋଇଛନ୍ତି ଶାନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ବଣ୍ଡାଘାଟିରେ ବସବାସ କରୁଥିବା ବଣ୍ଡା ଜନଜାତିଙ୍କ ପାଇଁ ବଣ ଜଙ୍ଗଲ ହିଁ ଏକମାତ୍ର ସାହାରା। ଏଠାରେ ସରକାରୀ ଯୋଜନା ଏବେ ବି ଅପହଞ୍ଚ ହୋଇ ରହିଛି। କାମଧନ୍ଦା ନଥିବାରୁ ଏହି ଅଞ୍ଚଳର ଯୁବକଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ଏହି ବଣ୍ଡାଘାଟିର ଯୁବତୀମାନେ ବାହାର ରାଜ୍ୟକୁ ଯାଇ କାମ କରିବା ସହ କମ୍ପାନୀ ମାଲିକ ଏବଂ ସେହି ଅଞ୍ଚଳର ଲୋକଙ୍କର ନିର୍ଯାତନାର ଶିକାର ହୋଇ ଶେଷରେ ଘରକୁ ଫେରୁଥିବାର ବହୁ ନଜର ରହିଛି। ତେବେ ଏହି ଗ୍ରାମର ଜଣେ ଯୁବତୀ ପାଠ ପଢିବା ସହ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଏଠାରେ ଏକ ଦୋକାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଶାନ୍ତି କିରସାନୀ।

ବଣ୍ଡାଘାଟିର ଦାନ୍ତିପଡା ଠାରେ ବାସ କରୁଥିବା ଏହି ଝିଅ ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତଦୁଇ ବାଣିଜ୍ୟରେ ପାଠ ପଢୁଛନ୍ତି। ତେବେ ପରିବାର ପ୍ରତିପୋଷଣ କରିବା ପାଇଁ ଘରେ ସେଭଳି କେହି ନଥିବା ଯୋଗୁଁ ସେ ଏଠାରେ ଏକ କିରାଣୀ ଦୋକାନ କରିବା ପାଇଁ ମନ ବଳାଇଥିଲେ। ତତ୍କାଳୀନ ଜିଲ୍ଲାପାଳଙ୍କୁ ସେ ଏନେଇ ଅନୁରୋଧ କରିବା ପରେ ଜିଲ୍ଲାପାଳ ତାଙ୍କୁ ଏକ ଜାଗା ଦେବା ସହ ୧୫ ହଜାର ଟଙ୍କା ଆର୍ଥିକ ସହାୟତା କରିଥିଲେ। ଯାହାଫଳରେ ଶାନ୍ତି ଏଠାରେ ଏକ କିରାଣୀ ଦୋକାନ କରି ବେଶ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ବେପାର ବି ଖୁବ୍‌ ଜମୁଛି ବୋଲି ଶାନ୍ତି କହିଛନ୍ତି। ସରକାରଙ୍କ ପ୍ରତ୍ସାହନ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ସେ କହନ୍ତି। ବର୍ତ୍ତମାନ ସେ ପାଠ ପଢିବା ସହ ଦୋକାନକୁ ମଧ୍ୟ ସମ୍ଭାଳୁଥିବା କହିଛନ୍ତି। ତେବେ ସେ ଏହି ଅଞ୍ଚଳର ଯୁବତୀମାନଙ୍କୁ ବିଭିନ୍ନ ଶାରିରୀକ ରୋଗ ସମ୍ପର୍କରେ ଅବଗତ କରାଇବା ସହ କିପରି ଏଥିରୁ ରକ୍ଷା ପାଇବେ ସେନେଇ ସଚେତନ କରାଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ବଡିଦିଦିର ସେ ସଦସ୍ୟା ଅଟନ୍ତି। କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ସହ ଅନ୍ଧବିଶ୍ବାସରୁ ଦୂରେଇ ରହିବାକୁ ମଧ୍ୟ ବୁଝାଉଛନ୍ତି।

ଆଦିମ ଜନଜାତି ବଣ୍ଡା ନିଜର ପାରମ୍ପାରିକ ପଦ୍ଧତିରେ ବଞ୍ଚିବାର ଶିଖିଛନ୍ତି। ଜଙ୍ଗଲରୁ ଯାହା ସଂଗ୍ରହ କରିଥାନ୍ତି ତାକୁ ହାଟ ବଜାରରେ ବିକ୍ରି କରି ଚଳନ୍ତି। ନିଜର ସ୍ବଳ୍ପ ଜମିରେ ଧାନ ମାଣ୍ଡିଆ ଅମଳ କରି ଚଳିବାର ଏବେ ଶିଖିଲେଣି। ତେବେ ଘାଟିରେ କାମଧନ୍ଦା ନଥିବାରୁ ଏହି ଜନଜାତି ଏବେ ବଞ୍ଚିବା ପାଇଁ ବହୁ ସଂଘର୍ଷ କରୁଛନ୍ତି। ଏମାନଙ୍କ ପାଇଁ ନିର୍ମାଣ ହୋଇଥିବା ବଣ୍ଡା ଉନ୍ନୟନ ସଂସ୍ଥାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଏମାନଙ୍କ ଉନ୍ନତି କରାଯାଉଥିବା ବେଳେ ଆଜି ବି ଏହି ସମ୍ପ୍ରଦାୟ ଅବହେଳିତ ହୋଇ ରହିଛନ୍ତି। ତେବେ ସେହି ଟଙ୍କା ଯାଉଛି କୁଆଡେ ବୋଲି ପ୍ରଶ୍ନ କରାଯାଇଛି। ଶାନ୍ତି ନିଜେ ଆତ୍ମନିର୍ଭରଶୀଳ ହେବା ପରେ ଅନ୍ୟମାନଙ୍କୁ ମଧ୍ୟ ସେ ଦାଦନ ଖଟିବାକୁ ବାହାରକୁ ନଯାଇ ନିଜ ଗ୍ରାମରେ ଏଭଳି ଛୋଟ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି। ଏବେ ଧିରେଧିରେ ଆଧୁନିକ ସଭ୍ୟତା ସହ ତାଳ ମିଳାଉଥିବା ଏହି ଜନଜାତିକୁ ସରକାରୀ ପ୍ରତ୍ସାହନ ମିଳିଲେ ଏମାନେ ମଧ୍ୟ ଆଗକୁ ବଢିପାରିବେ ବୋଲି କୁହାଯାଇଛି। ଶାନ୍ତି ଭଳି ଅନ୍ୟ ଯୁବକଯୁବତୀ ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଏବଂ ଆତ୍ମନିର୍ଭରଶୀଳ ପାଇଁ ତାଲିମ ପ୍ରଦାନ କଲେ ଏମାନେ ଆଗକୁ ବଢିପାରନ୍ତେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର