ରାଉରକେଲା: ଜମି କିଣାବିକାରୁ ରାଉରକେଲା ଓ ଏହାର ଆଖପାଖରେ ବଢ଼ୁଛି ଅପରାଧ। ଗଡ଼ୁଛି ମୁଣ୍ଡ। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଥିଲେ ହେଁ ସଜାଗ ହେଉନି ସ୍ଥାନୀୟ ପୁଲିସ। ଆଜି ସଂଧ୍ୟାରେ ପୁଣି ସମାନ ଘଟଣା ଘଟିଛି ବିଶ୍ରା ଅଞ୍ଚଳରେ। ଜମି କିଣାବିକାକୁ କେନ୍ଦ୍ରକରି ଗୁଳି ଫୁଟିଛି। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଜମି ବେପାରୀ ସୁରଜ ସାହୁ। ଗୁଳି ମାଡ଼ କରିଥିବା ଦୁଇ ଅଜଣା ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଗୁଳିମାଡ଼ କରିଥିବା ଦୁଇ ଯୁବକକୁ ପୁଲିସ ଗିରଫ କରିପାରିନି। ମିଳିଥିବା ସୂଚନା ମୁତାବକ ବିଶ୍ରା ଟାଉନ୍ର ଜମି ବେପାରୀ ସୁରଜ ସାହୁ ରହନ୍ତି। ଆଜି ରାତି ସଂଧ୍ୟା ପ୍ରାୟ ୭ଟାରେ ସୁରଜ ଘରୁ ମୋଟରବାଇକ୍ରେ ବିଶ୍ରା ମୁଖ୍ୟ ବଜାରକୁ ଯାଉଥିଲେ।
ତାଙ୍କୁ ଦୁଇ ଅଜଣା ଯୁବକ ମୋଟରବାଇକ୍ରେ ପିଛା କରିଥିଲେ। ରାଧାସ୍ବାମୀ ଇଂରାଜୀ ମାଧ୍ୟମ ସ୍କୁଲ ନିକଟ ନିଛାଟିଆ ସ୍ଥାନରେ ଦୁଇ ଅଜଣା ଯୁବକ ସୁରଜଙ୍କର ମୋଟରବାଇକ୍ ଅଟକାଇଥିଲେ। ସୁରଜ ମୋଟରବାଇକ୍ରୁ ଓହ୍ଲାଇବା ମାତ୍ରେ ଦୁଇଯୁବକଙ୍କ ମଧ୍ୟରୁ ଜଣେ ପକେଟ୍ରୁ ବନ୍ଧୁକ ବାହାର କରି ଧମକଚମକ ଦେଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବକ ଜଣକ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ହେଲେ ଗୁଳି ସୁରଜଙ୍କ ଦେହରେ ନ ବାଜି ବାହାରି ଯାଇଥିଲା। ସୁରଜ ଜୀବନ ବଞ୍ଚାଇବାକୁ ସେଠାରୁ ପାଟିକରି ଦୌଡିଥିଲେ। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକ ଆସିଯିବାରୁ ଦୁଇ ଯୁବକ ମୋଟରବାଇକ୍ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ତିନି ମାସରେ ଜମି କିଣାବିକାକୁ କେନ୍ଦ୍ରକରି ୩ ଜଣଙ୍କ ଜୀବନ ଯାଇଛି। ଦୁଇରୁ ଅଧିକ ଗୁରୁତର ହୋଇଛନ୍ତି। ଫର୍ଟିଲାଇଜର କନ୍ଷ୍ଟ୍ରକ୍ସନ କଲୋନିରେ ଜମି ବେପାରୀ ଓ ତାଙ୍କ ପତ୍ନୀ ଦୁଇ ସାଙ୍ଗକୁ ପିଟି ପିଟି ହତ୍ୟା କରିଥିଲେ।
ବିଶ୍ରା ଫୁଟବଲ ପଡ଼ିଆରେ ଜମି କିଣାବିକାକୁ କେନ୍ଦ୍ରକରି ବୁଟୁନ ଅନ୍ସାରୀଙ୍କୁ ହତ୍ୟା କରାଯାଇଥିଲା। ଗତ ୧୫ ଦିନ ପୂର୍ବରୁ ଜମି କିଣାବିକାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍ ହୋଇଥିଲା। ଗୋଟିଏ ଗୋଷ୍ଠୀର ଲୋକମାନେ ଜଣେ ଯୁବକଙ୍କୁ ମାଡ଼ମାରି ଗୁରୁତର ଅବସ୍ଥାରେ ବନ୍ଧମୁଣ୍ଡା ଟ୍ରେନ୍ ଲାଇନ୍ରେ ଫିଙ୍ଗି ଦେଇଥିଲେ। କେବଳ ଏତିକି ନୁହେଁ ଗତ କିଛି ବର୍ଷ ପୂର୍ବରୁ ଜଲଦା ଅଞ୍ଚଳରେ ମଧ୍ୟ ଜମି କିଣାବିକାରୁ ହତ୍ୟାକାଣ୍ଡ ଘଟିଥିଲା। ରାଉରକେଲା, ଫର୍ଟିଲାଇଜର, ଜଲଦା, ବିଶ୍ରା ଆଦି ଅଞ୍ଚଳରେ ଜମି କିଣାବିକାରୁ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଛି। ଅପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି। କିଛି ଜମି ମାଫିଆ ସରକାରୀ ଜମିକୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ଅନ୍ୟକୁ ବିକି ଦେଉଛନ୍ତି। ଜମି ମାଫିଆମାନେ କିଛି ଅପରାଧୀ ଗୋଷ୍ଠୀଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅପରାଧ ରୋକିବାକୁ ସ୍ଥାନୀୟ ପୁଲିସ ଏଥିପ୍ରତି ସଜାଗ ରହିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।