ଠିକାସଂସ୍ଥା ପରିଚାଳକଙ୍କୁ ଗୁଳିମାଡ଼

ସୁକିନ୍ଦା: ସୁକିନ୍ଦା-ଅନୁଗୁଳ ରେଳପଥ ନିର୍ମାଣ ଦାୟିତ୍ବରେ ଥିବା ଠିକାସଂସ୍ଥାର ପ୍ରକଳ୍ପ ପରିଚାଳକ ପିଏଲ୍‌ ସର୍ବାନନ୍ଦଙ୍କୁ ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ କରିବା ପ​ରେ ଆତ୍ମସମର୍ପଣ କରିଥିବା ସୁକିନ୍ଦାଗଡ଼ର ହୃଦାନନ୍ଦ ମିଶ୍ରଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ବ୍ୟକ୍ତିଗତ କାର୍ଯ୍ୟ ତଥା ସାମାନ୍ୟ କାରଣରୁ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ସୁକିନ୍ଦା-ଅନୁଗୁଳ ରେଳପଥ ନିର୍ମାଣର ଠିକା ପାଇଥିବା ବେକାମ ଇନଫ୍ରା ପ୍ରାଇଭେଟ ଲିମିଟେଡ୍‌ ନିଜର ଏକ ଶିବିର ୨୦୧୫ରୁ କେନ୍ଦୁଢିପରେ ସ୍ଥାପନ କରିଥିଲା। ଏହି ଜମି ସୁକିନ୍ଦାଗଡ଼ର ହୃଦାନନ୍ଦ ମିଶ୍ରଙ୍କ ମାଲିକାନାରେ ଥିବାବେଳେ ୬ ବର୍ଷ ପାଇଁ ମାସିକ ତିରିଶ ହଜାର ଟଙ୍କାରେ ଠିକାସଂସ୍ଥାକୁ ସେ ଭଡ଼ା ଦେଇଥିଲେ। ଅବଧି ଶେଷ ପରେ ଆଉ ଦୁଇ ବର୍ଷକୁ ଲିଜ୍‌ ଅବଧି ବୃଦ୍ଧି ହୋଇଥିଲା। ଏହାରି ଭିତରେ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ମେସିନଗୁଡ଼ିକ ସେଠାରେ ରହିଥିଲା। ସେହି ମେସିନ ଲଗାଇ ଏକ ପୋଖରୀ ଖୋଳିଦେବା ଲାଗି ଜମି ମାଲିକ ହୃଦାନନ୍ଦ ଠିକାସଂସ୍ଥାର ମୁଖ୍ୟ ପରିଚାଳକ ସର୍ବାନନ୍ଦଙ୍କୁ ଅନୁରୋଧ କରିଥିଲେ। କଥାବାର୍ତ୍ତା ଅନୁସାରେ ସେ ମେସିନରେ ୨୦୦ ଲିଟର ଡିଜେଲ ମଧ୍ୟ ଭରିଥିଲେ।

ମାତ୍ର ସୋମବାର ରାତି ୧୦ ଟାରେ ମାଟିଖୋଳା ଯନ୍ତ୍ରକୁ ଏକ ଟ୍ରଲର ସାହାଯ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିଲା। ଏହି ଖବର ପାଇ ହୃଦାନନ୍ଦ ଓ ତାଙ୍କ ସାନଭାଇ ସରୋଜ କୁମାର ମିଶ୍ର ସେଠାରେ ପହଞ୍ଚି ଟ୍ରଲରକୁ ଯିବାକୁ ଦେଇ ନଥିଲେ। ଏହାକୁ ନେଇ ବଚସା ହେବା ପରେ ପ୍ରକଳ୍ପ ପରିଚାଳକ ସର୍ବାନନ୍ଦ ସରୋଜଙ୍କୁ ଆକ୍ରମଣ କରିଥିଲେ। ସାନଭାଇକୁ ରକ୍ଷା କରିବାକୁ ଯାଇ ହୃଦାନନ୍ଦ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଚାରି ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ ସର୍ବାନନ୍ଦ ଆହୁରି ରାଗିଯାଇ ହୃଦାନନ୍ଦଙ୍କୁ ଏକ ଠେଙ୍ଗାରେ ପ୍ରହାର କରିଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ସେ ସର୍ବାନନ୍ଦଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ ବୋଲି ହୃଦାନନ୍ଦ କହିଛନ୍ତି। ଏହାପରେ ସେ ନିଜ ବନ୍ଧୁକ ସହ ସୁକିନ୍ଦା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ପୁଲିସ ଉଭୟଙ୍କ ଏତଲା ଆଧାରରେ ଦୁଇଗୋଟି ମାମଲା ନଂ ୧୩୯ ଓ ୧୪୦/୨୩ରେ ପଞ୍ଜିକୃତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର