ଦୋକାନ, ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ହୋଲି ରାତିରେ କିଛି ଦୁର୍ବୃତ୍ତ ବନ୍ଧମୁଣ୍ଡା ଡିଜେଲ କଲୋନି, ବି ସେକ୍ଟରରେ ଅମାନବୀୟ କାଣ୍ଡ ଭିଆଇଛନ୍ତି। ଡିଜେଲ କଲୋନି କେ-କେବିନ୍‌ରେ ଥିବା ସନ୍ତୋଷ ପ୍ରସାଦଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଦୋକାନ ଜଳୁଥିବା ଦେଖି ଡ୍ୟୁଟି କରୁଥିବା କିଛି ରେଳ କର୍ମଚାରୀ ସନ୍ତୋଷ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ଦୋକାନଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇ ସାରିଥିଲା। ଡିଜେଲ କଲୋନି କେ-କେବିନ୍‌ ଠାରୁ ପ୍ରାୟ ୧ କି.ମି.ଦୂର ରେଲୱେ କଲୋନି ବି ସେକ୍ଟର‌ରେ ଦୁର୍ବୃତ୍ତମାନେ ସେହି ସମାନ କାଣ୍ଡ ଘଟାଇଥିଲେ। ବି ସେକ୍ଟର କ୍ବାଟର୍ସ ନଂ -୩୨ ସମ୍ମୁଖରେ ଛିଡା ହୋଇଥିବା ଏକ୍ଟିଭା ଗାଡି କେହି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲା। ରେଳବାଇ କର୍ମଚାରୀ ଓ ତାଙ୍କ ପରିବାର ନିଆଁକୁ ଆୟତ୍ତ କରିବା ପୂର୍ବରୁ ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗୋଟିଏ ରାତିରେ ଦୁର୍ବୃତ୍ତ ଏଭଳି କାଣ୍ଡକୁ ନେଇ ଉଭୟ ଦୋକାନୀ ଓ ରେଲୱେ କର୍ମଚାରୀ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଉଭୟଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର