ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତାର ଫୁଟପାଥଗୁଡିକୁ ଜବରଦଖଲ କରାଯାଇ ବ୍ୟବସାୟୀ ଚାଲିଛି । କିଛି ପ୍ରଭାବଶାଳୀ ବ୍ୟକ୍ତି, ଗୁଣ୍ଡା, କୁଜିନେତା, ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ସମେତ ପ୍ରଶାସନର କିଛି କର୍ମଚାରୀ ମଧ୍ୟ ଏହି ଫୁଟପାଥକୁ ଜବରଦଖଲ କରି ବ୍ୟବସାୟୀଙ୍କୁ ମୋଟା ଅଙ୍କର ଭଡା ଲଗାଇ ବେଶ ରୋଜଗାର କରୁଥିବା ଜଣାପଡିଛି । ସହରର ବହୁ ଫୁଟପାଥ ଏପରି ଏପରି ଭଡା ଲାଗିଛି ଆଉ ଏହାର ପରିଣାମ ଭୋଗୁଛନ୍ତି ଜନସାଧାରଣ । ଫୁଟପାଥ୍ ଅବରୋଧ ହୋଇଥିବାରୁ ବାଧ୍ୟହୋଇ ଲୋକେ ରାସ୍ତାରେ ଯାଉଛନ୍ତି । ଏହାଦ୍ୱାରା ଅନେକ ସମୟରେ ରାସ୍ତା ଜାମ୍ ହେଉଛି । ରାତି ପାହିଲେ ଫୁଟପାଥରେ ହାଟ ବସୁଛି ଓ କ୍ରେତାଙ୍କ ଯାନବାହନ ପାର୍କିଂ କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।
କିନ୍ତୁ ପୌରପାଳିକା ଅଧିକାରୀ କିମ୍ବା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ରାଇରଙ୍ଗପୁର ଅମଲା ଲାଇନ ରାସ୍ତାଠାରୁ ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ରାସ୍ତା,କଚେରୀ ରାସ୍ତା, ମୁଖ୍ୟବଜାର ରାସ୍ତା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଥିବା ଫୁଟପାଥକୁ ଜବରଦଖଲ କରାଯାଇ ବ୍ୟବସାୟୀ ଚାଲିଛି । ଏପରିକି ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଗୋଲେଇ ଛକଠାରୁ ଜଗନ୍ନାଥ ମାର୍କେଟ ପର୍ଯ୍ୟନ୍ତ ନୋ ପାର୍କିଙ୍ଗ ଜୋନରେ ମଧ୍ୟ ଯାନବାହନ ଓ ଦୋକାନ ଖୋଲିଥିବାରୁ ଦୈନଦିନ ଭିଡ ଜମୁଛି । ଏପରିକି କିଛି ବ୍ୟବସାୟୀ ସରକାରୀ ଜବରଦଖଲ କରି ବଡ ବଡ ଅଟ୍ଟାଳିକା ନିର୍ମାଣ କରି ବ୍ୟବସାୟ ଚଲାଇଛନ୍ତି । ତେବେ ଏହାକିପରି ପ୍ରଶାସନର ଦ୍ୃଷ୍ଟିକୁ ଆସି ପାରୁନି ଏନେଇ ବୁଦ୍ଧିଜିବୀ ମହଲରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏଥିରେ ବଡବଡିଆଙ୍କ ମଧ୍ୟ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି । ଜଣେ ଦୋକାନୀ ନିଜ ନାମ ଗୁପ୍ତ ରଖି ପୌର ପ୍ରଶାସନ ଓ ପୁଲିସ ପ୍ରଶାସନକୁ ଟଙ୍କା ଦେଉଥିବା କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପୌରପରିଷଦ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି । ତେବେ ଏ ସମ୍ବନ୍ଧରେ ପୌରପରିଷଦର ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇନଥିଲା ।