ପୌର ପ୍ରଶାସନ ଜାଗିଲା:ବକେୟା ଷ୍ଟଲ ଭଡ଼ା ଆଦାୟ ପାଇଁ ଚଢ଼ାଉ

ଜୟପୁର: ପୌର ପ୍ରଶାସନ ଆଜି ଜାଗି ଉଠିବା ସହ ବକେୟା ପଡ଼ି ରହିଥିବା ଷ୍ଟଲ ଭଡା ଆଦାୟ କରିବାକୁ ଅଣ୍ଟା ଭିଡି ବାହାରିଥିଲେ। ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମହାପାତ୍ର, ନିଳାମ୍ବର ପୁଜାରୀ ପ୍ରମୁଖ ୫୦ହଜାରରୁ ଉର୍ଦ୍ଧ୍ବ ବକେୟା ରଖିଥିବା ଦୈନିକ ବଜାର, ତହସିଲକାର୍ଯ୍ୟାଳୟ ପାର୍ଶ୍ବ , ମୁଖ୍ୟ ରାସ୍ତା କଡରେ ରହିଥିବା ଦୋକାନ ଗୃହ ଓ ଖ୍ରୀଷ୍ଟିଆନ ପେଟା ୧୨ଟି ଷ୍ଟଲ ଉପରେ ଚଢ଼ାଉ କରିଥିଲେ। ଏଥିରୁ ୬ଟି ଷ୍ଟଲ ମାଲିକ ୧ଲକ୍ଷ ୭୭ହଜାର ୮୬୪ଟଙ୍କା ଭଡ଼ା ଟଙ୍କା ଜମା କରିଥିଲେ। ବଳକା ୬ଟି ଷ୍ଟଲକୁ ସିଲ୍ କରାଯାଇଥିଲା। ସହରରେ ରହିଥିବା ବିଭିଷ୍ଟ ଷ୍ଟଲ ଉପରେ ଚଢାଉ କରି ଷ୍ଟଲ ଭଡା ଆଦାୟ କରିଛି । ବଳକା ୬ଟି ଷ୍ଟଲକୁ ସିଲ କରିଥିଲା ପ୍ରଶାସନ।

ପ୍ରକାଶ ଯୋଗ୍ୟ, ଜୟପୁର ସହରରେ ପୌରପାଳିକା ଅଧିନରେ ୬୩୦ଟି ଷ୍ଟଲ ରହିଛି। ଏଥିରୁ ୧୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ବକେୟା ରହିଛି ୨୫୮ଟି ଷ୍ଟଲ। ଦୈନିକ ବଜାରରେ ୫୮ଟି, ବିଜୁ ଭେଣ୍ଡିଂ ଜୋନରେ ୪୫ ଓ ସହରର ବିଭିନ୍ନ ସ୍ଥାନରେ ବଳକା ୧୫୫ଟି ଷ୍ଟଲ ପୌରପାଳିକାର ଭଡ଼ା ବକେୟା ରଖିଛନ୍ତି। ସେଭଳି ୨୩ଟି ଷ୍ଟଲ ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ବି ବାକି ରହିଛନ୍ତି। ପୌରପାଳିକା ପକ୍ଷରୁ ବାରମ୍ବାର ନୋଟିସ୍ ଦେବା ସତ୍ବେ ବି ଏମାନେ ବକେୟା ଟଙ୍କା ବାନ୍ଧି ନାହାନ୍ତି। ବର୍ଷକୁ ସହରରେ ୬୨ଲକ୍ଷ ଟଙ୍କା ଷ୍ଟଲ ବାବଦକୁ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବକେୟା ସହ ମିଶି ଦେଢ଼ କୋଟି ଟଙ୍କାର ଆଦାୟ କରାଯିବା ଯୋଜନା ରହିଥିଲା।

ତେବେ ଏହାରି ମଧ୍ୟରେ ବକେୟା ଓ ଏବଂ ଚାଳିଥିବା ମାସର ଭଡ଼ା ବାବଦକୁ ୬୧ଲକ୍ଷ ୯୫ହଜାର ୪୦୬ଟଙ୍କା ଆଦାୟ ହୋଇଛି। ବଳକା ୯୨ଲକ୍ଷ ୬୬ହଜାର ୪୫୧ଟଙ୍କା ଏବେ ବି ବକେୟା ପଡ଼ିଥିବା ପୌରପାଳିକା ସୂତ୍ରରୁ ସୂଚନା ମିଳିଛି। କୋଭିଡ୍ ସମୟରେ ବହୁ ଷ୍ଟଲ ମାଲିକ ଭଡ଼ା ଟଙ୍କା ପୈଠ କରିନାହାନ୍ତି। ଏପରିକି ଭଡ଼ା ଆଦାୟ କରିବାକୁ ଯାଉଥିବା କର୍ମଚାରୀଙ୍କୁ ଷ୍ଟଲ ମାଲିକ ମାନେ ଦୁର୍ବବ୍ୟବହାର , ଅଶୋଭନୀୟ ଆଚାରଣ କରୁଥିବା ବି କର୍ମଚାରୀ ମାନେ କହିଛନ୍ତି। ବହୁ ଭଡ଼ାଧାରୀ ମାନେ ନିଜ ନାଁରେ ଲିଜରେ ନେଇ ତାକୁ ଅନ୍ୟ ମାନଙ୍କୁ ଭଡ଼ାରେ ଲଗାଇଥିବା ଏବଂ କିଛି ଜଣ ବିକ୍ରୀ କରିଦେଇଥିବା ବି ନଜିର ରହିଛି । ତେବେ ଆଗାମୀ ଦିନରେ ଷ୍ଟଲ ଭଡା ଆଦାୟ ପାଇଁ ପୌରପ୍ରଶାସନ କଡ଼ା ପଦକ୍ଷେପ ନେବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର