ବେତନଟୀ/ବେତନଟୀ ସଦର: ଗତ ୨୧ ତାରିଖ ରାତିରେ ବେତନଟୀ ଉପକଣ୍ଠ ତୁଳସୀଚଉରାସ୍ଥିତ ବିଦେଶୀ ମଦ ଦୋକାନ ସମ୍ମୁଖରେ ଗୁଳି ଚାଳନା ଘଟଣାରେ ମୟୂରଭଞ୍ଜ-ବାଲେଶ୍ବର ସୀମାନ୍ତ ବସ୍ତା ଉପକଣ୍ଠ ଖୁଣ୍ଟା ଅଞ୍ଚଳରୁ ୨ ସନ୍ଦିଗ୍ଧଙ୍କୁ ଆଜି ଭୋର ସମୟରେ କାବୁ କରିଛି ବେତନଟୀ ପୁଲିସ। ସେମାନଙ୍କ ନିକଟରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି। ମୟୂରଭଞ୍ଜ ଏସ୍‌ପି ବି. ଗଙ୍ଗାଧର ଆଜି ବେତନଟୀ ଥାନାରେ ପହଞ୍ଚି ଦୀର୍ଘ ସମୟ ଧରି ସନ୍ଦିଗ୍ଧମାନଙ୍କୁ ଜେରା କରିଛନ୍ତି।

Advertisment

ସୂଚନାଯୋଗ୍ୟ; ମଦ ପିଇବାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଗଣ୍ଡଗୋଳ କ୍ରମଶଃ ଉଗ୍ରରୂପ ଧାରଣ କରିବାପରେ ମଦ କାଉଣ୍ଟର କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଗୁଳି ଚଳାଇଥିଲେ ଅଭିଯୁକ୍ତ। ସ୍ଥାନୀୟ ଲୋକେ ବୈଶିଙ୍ଗା ଥାନା ଅଧୀନ ହାତୀଝୁରି ଗ୍ରାମର ଦୀପକ ମହାପାତ୍ରଙ୍କୁ କାବୁ କରି ପୁଲିସର ଜିମା ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ଏହାପରେ ବେତନଟୀ ପୁଲିସ ତଦନ୍ତକୁ ବ୍ୟାପକ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଶେଷରେ ଆଜି ଦୁଇ ଅଭିଯୁକ୍ତଙ୍କୁ ଧରାଯାଇଛି। ସେମାନେ ବୈଶିଙ୍ଗା ଥାନା ଅଞ୍ଚଳର ବୋଲି ଜଣା ପଡ଼ିଥିଲେ ବି ତଦନ୍ତ ଚାଲିଥିବାରୁ ଅଧିକ କିଛି ସୂଚନା ଦେବାକୁ ମନା କରିଛି ପୁଲିସ। ଏପଟେ ଆଜି ଏସ୍‌ପି ନିଜେ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଛନ୍ତି। ଏହି ସମୟରେ ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାଶ, ଆଇଆଇସି ସସ୍ମିତା ମହାନ୍ତ ଉପସ୍ଥିତ ଥିଲେ। ଅଭିଯୁକ୍ତମାନେ ବନ୍ଧୁକ କେଉଁଠୁ ପାଇଲେ ସେନେଇ ଛାନ୍‌ଭିନ୍‌ ଚାଲିଛି। ଏଥିସହ ମାମଲାରେ ଜଡ଼ିତ ଆଉ ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବାରୁ ସେମାନଙ୍କୁ ଧରିବାକୁ ବେତନଟୀ ପୁଲିସ ଉଦ୍ୟମ ଜାରି ରଖିଛି।