୧୧୬୨ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ୱର ପହଞ୍ଚିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ

ବାଲେଶ୍ୱର: ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବାଲେଶ୍ବରରେ ପହଁଚିଛି। ୭୬୦ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁଜରାଟର ଥାନଗଦରୁ ଏହି ଟ୍ରେନ ଆସିଛି। ଅପରପକ୍ଷେ ବାଲେଶ୍ବର ଷ୍ଟେସନରେ ପ୍ରବାସୀ ଓଡ଼ିଆଙ୍କ ପହଞ୍ଚିବା ପରେ ପ୍ରଥମେ ସ୍କ୍ରିନିଂ କରାଯାଇ ତାପରେ ଷ୍ଟେସନ ପରିସରରେ କରାଯାଇଥିବା ବିଭିନ୍ନ ଷ୍ଟଲରେ ଜିଲ୍ଲାର ୧୨ଟି ବ୍ଲକର ଅଧିକାରୀମାନେ ଉପସ୍ଥିତ ରହି ରେଜିଷ୍ଟ୍ରେସନ କରାଇଥିଲେ। ଯେଉଁଠି ପ୍ରବାସୀ ଓଡ଼ିଆଙ୍କୁ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ପଂଜୀକରଣ କରାଯାଇଥିଲା। ଏହାପରେ ସେମାନଙ୍କୁ ୪୦ଟି ସ୍ଵତନ୍ତ୍ର ବସ୍ ଯୋଗେ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲା।

ତେବେ ବାଲେଶ୍ୱରକୁ ୭୦୦ରୁ ଅଧିକ ପ୍ରବାସୀ ଫେରିଥିବାବେଳେ ମୟୁରଭଞ୍ଜ ଜିଲ୍ଲାର ୧୬୦ରୁ ଅଧିକ ପ୍ରବାସୀ ଓଡ଼ିଆ ବାଲେଶ୍ୱରରେ ଓହ୍ଲାଇଥିଲେ। ସେହିପରି ମହାରାଷ୍ଟ୍ରର ଥାନେରୁ ୪୦୨ ଜଣ ପ୍ରବାସୀ ଆଉ ଏକ ସ୍ବତନ୍ତ୍ର ଟ୍ରେନ ଅପରାହ୍ନ ସାଢେ଼ ୩ଟାରେ ପହଂଚିଛନ୍ତି। ଆଜି ମୋଟ ୧୧୬୨ଜଣ ପ୍ରବାସୀ ଓଡ଼ିଆ ବାଲେଶ୍ବର ଷ୍ଟେସନରେ ପହଞ୍ଚିଥିବା ଜଣାଯାଇଛି।

ପ୍ରବାସୀ ଓଡ଼ିଆଙ୍କ ଗସ୍ତକୁ ନଜରରେ ରଖି ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ମଧ୍ୟ ରାତ୍ରିରୁ କର୍ଫ୍ୟୁ ଜାରି କରାଯାଇଛି। ଏଥିରେ ବାଲେଶ୍ବର ଷ୍ଟେସନ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ସହ ସହରର ଲକ୍ଷ୍ମୀନାରାୟଣ ମନ୍ଦିର ଠାରୁ ସହଦେଵଖୁଣ୍ଟା ସୁରଜ ହୋଟେଲ ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ଆଜି ମଧ୍ୟରାତ୍ରି ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଏହି ଅଞ୍ଚଳରେ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହା ଅବମାନନା ହେଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ମାଇକ ଯୋଗ ପ୍ରଚାର କରାଯାଇଛି। ଆସନ୍ତା କାଲି ମଧ୍ୟ ଆଉ ଦୁଇ ଟ୍ରେନ ବାଲେଶ୍ୱର ଆସିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇଏସ ତଥା ବାଲେଶ୍ୱର ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ।

ସମ୍ବନ୍ଧିତ ଖବର