ପୁରୀ: ଶ୍ରୀମନ୍ଦିର ପରିଚାଳନା ବୈଠକରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକରେ ହୋଇଥିବା ଆଲୋଚନା ଯଦି ଆଗାମୀ ଦିନରେ ବିଦ୍ଧିବଦ୍ଧ ଭାବେ ଲାଗୁ କରାଯାଏ, ତା’ହେଲେ ସିଂହଦ୍ୱାର ସମ୍ମୁଖରେ ଥିବା ପାଦଧୂଆ ସ୍ଥାନ ବଦଳିଯିବ। ପ୍ରଶାସନ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ପାଦଧୂଆ ସ୍ଥାନ ଅନ୍ୟତ୍ର ବ୍ୟବସ୍ଥା କରାଯିବ।
ଗତପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଥରରେ ନିର୍ମିତ ନୂତନ ଜୟ-ବିଜୟ ମୂର୍ତ୍ତି ସ୍ଥାପନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଗଜପତି ମହାରାଜ ବାତ୍ୟା ‘ଫନି’ ସମୟରେ କରାଯାଇଥିବା ଶୃଙ୍ଖଳିତ ନୀତି ପାଇଁ ସେବାୟତଙ୍କୁ ପ୍ରଶଂସା କରିଛନ୍ତି। ଏଥି ସହିତ ୨ ମାସର ୨ ଗୁଣ ପାଳିଆ ପୁରସ୍କାର ଦେବାକୁ ସରକାରଙ୍କୁ ଚିଠି ଲେଖାଯାଇଥିବା ବେଳେ କୁମ୍ଭକାରଙ୍କ ଥାଳ ନିର୍ମାଣ ସଂପର୍କରେ ୨ ଦିନରେ ନିଷ୍ପତ୍ତି ନିଆଯାଇଛି। ସେହିପରି ବରାଦି ଅବଢ଼ା ଉପରେ ସୁଆରମାନଙ୍କ ନିୟନ୍ତ୍ରଣ ରହିବ ବୋଲି ବୈଠକରୁ ଜଣାପଡ଼ିଛି।
ଶ୍ରୀମନ୍ଦିରର ନୀଳଚକ୍ର କେମିତି ଅଛି, ତାହା ଜାଣିବା ପାଇଁ ସ୍ଥିତି ଅନୁଧ୍ୟାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ମାତ୍ର ଶ୍ରୀମନ୍ଦିର ଉପରକୁ ଚଢ଼ି ସିଧାସଳଖ ‘ନୀଳଚକ୍ର’ର ସ୍ଥିତି ଅନୁଧ୍ୟାନ କରାଯିବ ନାହିଁ ବୋଲି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ନୀଳଚକ୍ରର ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ଡ୍ରୋନ ବ୍ୟବହାର ହେବ। ଡ୍ରୋନରୁ ଉଠାଯାଇଥିବା ଫଟୋ ମାଧ୍ୟମରେ ସ୍ଥିତି ଅନୁଧ୍ୟାନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/King-gajapati-350x250.jpg)