ଓଜେଏସ୍ ପାଇଲେ ମୟୂରଭଞ୍ଜର ଝିଅ ଶ୍ରେୟା ଶତପଥୀ

ବାରିପଦା: ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ (ଓଜେଏସ୍)-୨୦୧୯ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଝିଅ ଶ୍ରେୟା ଶତପଥୀ। ଚୁଡ଼ାନ୍ତ ତାଲିକାରେ ୨୫ତମ ସ୍ଥାନରେ ରହି ଜିଲ୍ଲାପାଇଁ ଗୌରବ ଆଣିଛନ୍ତି ଶ୍ରେୟା। ବାରିପଦା ପୌରପରିଷଦ ୱାର୍ଡ ନଂ-୧୧ ସନ୍ଧ୍ୟାରାଣୀ ଓ ପ୍ରୟାସ କୁମାର ଶତପଥୀଙ୍କ ଏକ ମାତ୍ର କନ୍ୟା ଶ୍ରେୟା ଏହି ସଫଳତାରେ ବେଶ୍‌ ଖୁସି ଥିବା ପ୍ରକାଶ କରିଛନ୍ତି। ସେ ତାଙ୍କ ବାପା, ମାଆ, ମାମୁଁଙ୍କ ସପ୍ନ ସାକାର କରିପାରିଥିବାରୁ ବେଶ୍‌ ଗର୍ବିତ ବୋଲି କହିଛନ୍ତି। ଶ୍ରେୟାଙ୍କ ପିତା ଜଣେ ବ୍ୟବସାୟୀ ହୋଇଥିବାବେଳେ ମା’ ସନ୍ଧ୍ୟାରାଣୀ ଜଣେ ଗୃହିଣୀ।

୧୬ ଏପ୍ରିଲ୍‌, ୧୯୯୪ରେ ବାରିପଦାରେ ଜନ୍ମଗ୍ରହଣ କରିଥିବା ଶ୍ରେୟା ସ୍ଥାନୀୟ ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଓ ଦ୍ୱାଦଶ ପଢ଼ିଥିଲେ। ପରେ ଭୁବନେଶ୍ୱରସ୍ଥିତ ୟୁନିଭରସିଟି ଲ୍‌ କଲେଜ, ବାଣୀବିହାରରେ ଇଣ୍ଟିଗ୍ରେଟେଡ୍‌ ଏଲଏଲବି ପରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ହାସଲ କରିଥିଲେ। ମାମୁଁ ଶ୍ରୀକାନ୍ତ ମହାପାତ୍ରଙ୍କ ଠାରୁ ଅନୁପ୍ରାଣିତ ହୋଇ ଆଇନ ଶିକ୍ଷା ପ୍ରତି ଆକୃଷ୍ଟ ହେବା ସହିତ ଏହି ସଫଳତାର ସମସ୍ତ ଶ୍ରେୟ ମାଆ ସଧ୍ୟାରାଣୀଙ୍କୁ ଦେଇଛନ୍ତି ସେ।  ଜଣେ ମେଧାବୀ ଛାତ୍ରୀ ଭାବେ ସୁପରିଚିତ ଶ୍ରେୟା  ତତ୍‌କାଳୀନ ରାଜ୍ୟପାଳ ଏସ ସି ଜମିରଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଚଳିତ ଥର ୨ୟ ପ୍ରୟାସ୍‌ରେ ଓଜେଏସ୍‌ରେ କୃତକାର୍ଯ୍ୟ ହୋଇଛନ୍ତି ସେ।  ତାଙ୍କର ଏହି ସଫଳତାରେ ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟିଛି।

 

ସମ୍ବନ୍ଧିତ ଖବର