ସଟଡାଉନରେ ଶୂନଶାନ ହେଲା ସହର

ଛକ ଛକରେ ଯାଞ୍ଚ୍‌, ପ୍ରବାସୀଙ୍କ ଉପରେ ନଜର

ବାଲେଶ୍ବର: କରୋନା ଦ୍ବିତୀୟ ଲହରରେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ବାଲେଶ୍ବର ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଥିଲା ସପ୍ତାହାନ୍ତ ସଟଡାଉନ। ବର୍ଷକ ତଳେ ଲକ୍‌ଡାଉନର ଦୃଶ୍ୟ ଯେପରି ଥିଲା ଆଜି ଠିକ୍‌ ସେହିଭଳି ଭ୍ରମ ସୃଷ୍ଟି ହୋଇଥିଲା। ବାଲେଶ୍ବର ସହର ସହ ଏହାର ଆଖପାଖରେ ଥିବା ରେମୁଣା ଓ ବାଲେଶ୍ବର ସଦରର ପଞ୍ଚାୟତଗୁଡ଼ିକୁ ସଟଡାଉନ କରାଯାଇଥିବା ବେଳେ ସୋର, ଜଳେଶ୍ବର ଓ ନୀଳଗିରି ଏନ୍‌ଏସି ଅଞ୍ଚଳ ମଧ୍ୟ ସଟଡାଉନ ରହିଥିଲା।
ଆଜି ସଟଡାଉନ ଯୋଗୁଁ ବାଲେଶ୍ବର ସହରରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସବୁ ଦୋକାନବଜାର ବନ୍ଦ ରହିଥିଲା। ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ କେବଳ ପ୍ରାତଃଭ୍ରମଣ, ଯୋଗାଭ୍ୟାସ, ବ୍ୟାୟମ ଆଦି ପାଇଁ କୋହଳ କରାଯାଇଥିବା ବେଳେ ବସ୍‌ଷ୍ଟାଣ୍ଡ, ଟ୍ୟାକ୍ସି ଓ ଅଟୋଷ୍ଟାଣ୍ଡ ପରିସରରେ ଖାଁ ଖାଁ ପରିବେଶ ଦେଖିବାକୁ ମିଳିଥିଲା। ସହରର ଫକୀରମୋହନ ଗୋଲେଇ, ପୁଲିସଲାଇନ୍‌, ଆଇଟିଆଇ ଛକ, ସିନେମାଛକ, ପାତ୍ରପଡ଼ା, କୁରୁଡ଼ା, ଫୁଲାଡ଼ି, ରେମୁଣା ଆଦି ଛକରେ ପୁଲିସ ଚେକ୍‌ପୋଷ୍ଟ କରାଯିବା ସହ ପାଟ୍ରୋଲିଂ ଗାଡ଼ି ସବୁଆଡ଼େ ପଇଁତରା ମାରିଥିଲା।

ଯେଉଁ ବ୍ୟକ୍ତିମାନେ ସହରକୁ ଆସିଥିଲେ, ସେମାନଙ୍କ ଜରୁରୀ କାଗଜପତ୍ର ଦେଖିବା ପରେ ସହର ଭିତରକୁ ପୁଲିସ ଛାଡ଼ୁଥିବା ଦେଖାଯାଇଥିଲା। ବିଶେଷ ଭାବେ ପଶ୍ଚିମବଙ୍ଗ ଏବଂ ଟ୍ରେନ୍‌ରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ଯେଉଁ ପ୍ରବାସୀମାନେ ସେମାନଙ୍କ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଥିଲେ ସେମାନଙ୍କୁ ଛଡ଼ାଯାଉଥିବା ବେଳେ ଏହା ଦେଖାଇ ପାରିନଥିବା ପ୍ରବାସୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ କ୍ୟାରେଣ୍ଟିନ୍‌ ସେଣ୍ଟରକୁ ପଠାଯାଇଥିଲା। ଅମାନିଆ ଭାବେ ଯେଉଁମାନେ କୋଭିଡ ନିୟମ ଉଲ୍ଲଂଘନ କରିଥିଲେ ସେମାନଙ୍କ ପୁୁଲିସ ଅଟକ ରଖି ତାଗିଦ୍‌ କରି ପରେ ଫେରାଇ ଦେଇଥିଲା। ଏହି ସଟ୍‌ଡାଉନ କଟକଣା ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେଣୁ ସମସ୍ତ ଜନସାଧାରଣ ଏହାକୁ ମାନିବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ସୂଚନାଥାଉକି, ଆଜି ବାଲେଶ୍ବରରୁ ଆଉ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୩୬ ଜଣ ସକ୍ରିୟ ମାମଲା ରହିଛନ୍ତି। ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର