ଜଗତସିଂହପୁର ଜିଲ୍ଲାରେ ଶନିବାର-ରବିବାର ସଟଡାଉନ ଘୋଷଣା

ଗ୍ରାମାଞ୍ଚଳରେ ସକାଳ ୫ରୁ ଅପରାହ୍ନ ୨ଟା ଯାଏ ଖୋଲା ରହିବ ବଜାର

ଜଗତସିଂହପୁର ଟାଉନ୍  : କରୋନା ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ତାର କାୟା ମେଲାଉଛି । ଲଗାତାର ଭାବେ ଶହେରୁ ଅଧିକ ପଜିଟିଭ୍ ପ୍ରତିଦିନ ଆସୁଛି । ଦ୍ୱିତୀୟ ଲହରୀର ଭୟାବହତାକୁ ଅଧିକାଂଶ ଜନସାଧାରଣ ଏଯାଏ ଅନୁଭବ କରୁନାହାନ୍ତି । ଫଳରେ କୋଭିଡ୍ ନିୟମକୁ ଅଧିକାଂଶ ଲୋକ ଅବମାନନା କରୁଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ କୋଭିଡ଼-୧୯ ଦ୍ୱିତୀୟ ଲହରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବଜାର କମିଟି କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ କି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୋଭିଡ଼ ୨ୟ ଲହରୀ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ଅଧିକ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ବଜାର କମିଟି କାର୍ଯ୍ୟକର୍ତ୍ତାମାନେ ଦୋକାନୀମାନଙ୍କୁ ଏ ସଂପର୍କରେ ସଚେତନ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ଜୀବନ ସହିତ ଜୀବିକାକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ତେଣୁ ଏହାକୁ ମାନି ପ୍ରତ୍ୟେକ ଦୋକାନୀ ଓ ବ୍ୟବସାୟୀମାନେ ଯେପରି ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବେ ସେଥିପ୍ରତି ସଚେତନ ରହିବେ । ସହରାଚଂଳ ଅପେକ୍ଷା ଗ୍ରାମାଚଂଳରେ କୋଭିଡ୍ ନିୟମକୁ ଖୋଲା ଖୋଲି ଉଲଘଂନ କରୁଥିବା ଲକ୍ଷ କରାଯାଇଛି । ଜିଲ୍ଲାର ବିଭିନ୍ନ ବଜାର  ପୌରାଞ୍ଚଳ ସହ ସମସ୍ତ ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍ ଡାଉନ ଲାଗୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

ଏହାଛଡ଼ା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ଗ୍ରାମାଞ୍ଚଳରେ ସକାଳ ୫ ଟାରୁ ଅପରାହ୍ନ ୨ ଟା ଓ ପାରାଦ୍ୱୀପ ପୌରାଞ୍ଚଳରେ ସକାଳ ୫ ଟାରୁ ଅପରାହ୍ନ ୪ ଟା ଏବଂ ଜଗତସିଂହପୁର ପୌରାଞ୍ଚଳରେ ସକାଳ ୫ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ମେ ମାସ ୧୫ ତାରିଖ ପରେ ପୁନଶ୍ଚ ବୈଠକ ଡକାଯାଇ ଏହାର ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କୁଜଙ୍ଗ, ରାହାମା ଓ ତିର୍ତ୍ତୋଲ ବଜାରରେ ଅଧିକ ଗହଳି ପରିଲକ୍ଷିତ ହେଉଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲପାଳ ପରାମର୍ଶ ଦେଇଥିଲେ । ଜଗତସିଂହପୁର ପୌରାଞ୍ଚଳ  ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ସଚେତନ ଥିବାରୁ କୋଭିଡ ସଂକ୍ରମଣ ଅପେକ୍ଷାକୃତ କମ୍ ରହିଛି । ଗ୍ରାମାଞ୍ଚଳରେ ଲୋକମାନେ କୋଭିଡ୍ ସଂକ୍ରମଣ ନଲୁଚାଇ ପରୀକ୍ଷା କରାଇନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ କୋଭିଡ ସଂକ୍ରମଣ ରୋକିବାରେ ଜିଲ୍ଲାବାସୀଙ୍କର ସହେଯାଗ କାମନା କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ବ୍ୟବସାୟୀ ପ୍ରତିନଧିମାନଙ୍କୁ କୋଭିଡ ମାର୍ଗଦର୍ଶିକା କଡାକଡି ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜଗତସିଂହପୁର ସହର, ତିର୍ତ୍ତୋଲ, ରାହାମା ଓ କୁଜଙ୍ଗ ବଜାର କମିଟି ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । କୁଜଙ୍ଗ ହାଟ ଆସନ୍ତା ସପ୍ତାହଠାରୁ ଶନିବାର ପରିବର୍ତ୍ତେ ଶୁକ୍ରବାର ଅନୁଷ୍ଠିତ ହେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ସମ୍ବନ୍ଧିତ ଖବର