ଜିଲ୍ଲାପାଳ କ୍ଷମତା ଦେଖାଇଲେ ସରପଞ୍ଚ, ଗାଁରୁ ୨୩ ସଂକ୍ରମିତ ଚିହ୍ନଟ ପରେ ୫ ଦିନ ସଟଡାଉନ୍ ଘୋଷଣା

ରାୟଗଡ଼ା: କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ପଦ୍ମପୁର ବ୍ଲକ୍ ତେମ୍ବାଗୁଡ଼ା ସରପଞ୍ଚ ଚିତ୍ରସେନ ଗମାଙ୍ଗ। ପଞ୍ଚାୟତର ଶରଧାପୁର ଗାଁକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି। ଘୋଷଣା ସଂପର୍କିତ ନିର୍ଦେଶନାମାକୁ ସରପଞ୍ଚ ଶ୍ରୀ ଗମାଙ୍ଗ ପଦ୍ମପୁର ବିଡ଼ିଓ ଓ ତହସିଲଦାରଙ୍କ ନିକଟକୁ ପଠାଇଛନ୍ତି। ଏଥି ସହିତ ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ସହ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ସରପଞ୍ଚ। ଗତ ସପ୍ତାହରେ ଗାଁର ଜଣେ ୨୫ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ଜେକେପୁର କୋଭିଡ଼୍ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ପରେ ଗାଁରେ ପହଞ୍ଚିଥିଲା ଡାକ୍ତରୀ ଟିମ୍। ଆଣ୍ଟିଜେନ୍ ଓ ଆରଟିପିସିଆର ଟେଷ୍ଟ ପରେ ଗାଁର ୨୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। କିଛି ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଥିବା ବେଳେ କିଛି ଜେକେପୁର ଓ ଗୁଣପୁର କୋଭିଡ଼୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି। ପୁରା ଗାଁରେ ସଂକ୍ରମଣ ବ୍ୟାପିବା ପୂର୍ବରୁ ଆଗୁଆ ପଦକ୍ଷେପ ସ୍ବରୂପ ସରପଞ୍ଚ ଶ୍ରୀ ଗମାଙ୍ଗ ମେ ୩୧ରୁ ଜୁନ୍ ୪ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଶରଧାପୁର ଗାଁକୁ ସଟଡାଉନ୍ ଘୋଷଣା କରିଛନ୍ତି। ବ୍ଲକ୍ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶରଧାପୁର ଗାଁ ସ୍ଥିତି ଉପରେ ନଜର ରଖାଯାଇଛି। ଡାକ୍ତରୀ ଟିମ୍ ପ୍ରତିଦିନ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ଆବଶ୍ୟକ ମେଡ଼ିସିନ୍ ପ୍ରଦାନ କରୁଛନ୍ତି।

ସୂଚନାଯୋଗ୍ୟ, ଶରଧାପୁର ଭଳି ଜିଲ୍ଲାର ଏବେ ସବୁ ଗାଁରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାରୁ ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଗ୍ରାମାଞ୍ଚଳରୁ ୧୧୦ ଏବଂ ସହରାଞ୍ଚଳରୁ ୩୮ ସଂକ୍ରମିତ ଅଛନ୍ତି। ବିଷମକଟକରୁ ୧୪, ପଦ୍ମପୁରରୁ ୧୩, ଗୁଡାରିରୁ ୪, କଲ୍ୟାଣସିଂହପୁରରୁ ୭, କାଶୀପୁରରୁ ୨୮, କୋଲନରାରୁ ୨୨, ମୁନିଗୁଡାରୁ ଜଣେ, ରାମନାଗୁଡାରୁ ୫, ରାୟଗଡ଼ା ଗ୍ରାମାଞ୍ଚଳରୁ ୧୬, ସହରାଞ୍ଚଳରୁ ୩୦, ଗୁଣପୁର ସହରାଞ୍ଚଳରରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ଜଣେ ଯୋଦ୍ଧାଙ୍କ ସମେତ ୭୨ ପୁରୁଷ, ୭୬ ମହିଳା ରହିଛନ୍ତି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୩ ସଂକ୍ରମଣର ଶିକାର ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରୁ ୧୫ ହଜାର ୬୪୧ ଆକ୍ରାନ୍ତ ଚିହ୍ନଟ ହେଲେଣି। ସେଥି ମଧ୍ୟରୁ ୧୪ ହଜାର ୭୬ ସୁସ୍ଥ ହୋଇଥିବା ବେଳେ ୧୪୬୪ ଚିକିତ୍ସାଧୀନ ଅଛନ୍ତି। ୧୦୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର