ମହଙ୍ଗା ପଡ଼ିଲା ନାବାଳକଙ୍କୁ ରାତିସାରା ଥାନାରେ ଅଟକ ରଖିବା: ଏସ୍‌ଆଇ ନିଲମ୍ବିତ, ବଦଳିଲେ ଥାନାଧିକାରୀ

ରାଉରକେଲା: ବେନିୟମଭାବେ ନାବାଳକଙ୍କୁ ରାତିସାରା ଥାନାରେ ଅଟକ ରଖିବା ସେକ୍ଟର-୭ ଥାନା ପୁଲିସକୁ ମହଙ୍ଗା ପଡ଼ିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କ୍ଷମତାର ଦୁର୍ବ୍ୟବହାର କରିଥିବାରୁ ସେକ୍ଟର-୭ ଥାନାର ତଦନ୍ତକାରୀ ଅଧିକାରୀ ତଥା ସବଇନ୍ସପେକ୍ଟର ଆର୍ତ୍ତତ୍ରାଣ ସେଠୀଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ଥାନାଧିକାରୀ ସତୀଶ ନାୟକଙ୍କୁ ବଦଳି କରାଯାଇଛି। ଶ୍ରୀ ନାୟକଙ୍କ ରାଉରକେଲା ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ଏହି ମାମଲାକୁ ଉଚ୍ଚ କର୍ତ୍ତୃପକ୍ଷ ଗୁରୁତ୍ବର ସହ ବିଚାରକୁ ନେଇଥିଲେ। ଶେଷରେ କୌଣସି ପ୍ରକାର ପାତରଅନ୍ତର ନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ, ଏସ୍‌ପି ମୁକେଶ ଭାମୁଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି।

ଉଲ୍ଲେଖଯୋଗ୍ୟ, ସେକ୍ଟର-୫ ଭଞ୍ଜ ମଣ୍ଡପରେ ହ୍ୟାଣ୍ଡଲୁମ ଏକ୍ସପୋ ମେଲା ଚାଲିଥିଲା। ସେକ୍ଟର-୭ ପୁଲିସ ଥାନାର ଅନୁମତି କ୍ରମେ ଏଠାକାର ପାର୍କିଂର ଠିକା ନେଇଥିଲେ ବିନୟ ରାମ ନାମକ ଜଣେ ବ୍ୟକ୍ତି। ପାର୍କିଂ ସ୍ଥଳର ଗାଡ଼ି ସୁରକ୍ଷା ପାଇଁ ବିନୟ କିଛି ନାବାଳକଙ୍କୁ ନିୟୋଜିତ କରିଥିଲେ। ଗତ ଏପ୍ରିଲ ୮ ତାରିଖ ଦିନ ସନ୍ଧ୍ୟା ସମୟର ଘଟଣା। ଜିଲ୍ଲା ପୁଲିସର ଜଣେ ମହିଳା ଅଧିକାରୀ ସାଦା ପୋଷାକରେ ସେଠାରେ ପହଞ୍ଚିଥିଲେ। ତେବେ ସେଠାରେ ନିୟୋଜିତ ଛାତ୍ର ପାର୍କିଂ ଫି’ ବାବଦକୁ ୧୦ ଟଙ୍କା ମାଗିବାରୁ ମହିଳା ପୁଲିସ ଅଧିକାରୀ ଉତ୍‌କ୍ଷିପ୍ତ ହୋଇଉଠିଥିଲେ। ପରେ ନିଜକୁ ପୁଲିସ ପରିଚୟ ଦେବାରୁ ଛାତ୍ର ଜଣକ ତାଙ୍କୁ ବିନା ଫି’ରେ ଯିବାକୁ ନିବେଦନ କରିଥିଲେ। ତଥାପି ମହିଳା ପୁଲିସ ଅଧିକାରୀଙ୍କ ରାଗ ଶାନ୍ତ ହୋଇନଥିଲା। ସେ ସହରର ଅନ୍ୟ ଏକ ଥାନାରେ ଅଧିକାରୀ ଥିବା ତାଙ୍କ ସ୍ବାମୀଙ୍କୁ ଫୋନ୍‌ କରି କହିଥିଲେ। ଏହାପରେ ମାମଲା ବ୍ୟାପକ ହୋଇଥିଲା। କିଛି ସମୟପରେ ସେକ୍ଟର-୭ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ନାବାଳକଙ୍କ ସମେତ ୫ ଜଣଙ୍କୁ ଥାନାକୁ ନେଇଯାଇଥିଲା।

ସମସ୍ତ ୫ ଜଣଙ୍କୁ ରାତିସାରା ଥାନାରେ ଅଟକ ରଖାଯାଇଥିଲା। ଥାନାରେ ଅଟକ ରଖାଯାଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳକ ଆଜାଦ ବସ୍ତିର ବାସିନ୍ଦା। ଆଉ ଜଣେ ଯୁବକଙ୍କ ବୟସ ମାତ୍ର ୧୮ ବର୍ଷ ୭ ଦିନ ହେଉଥିଲା। ଏତଦ୍‌ବ୍ୟତୀତ ପାର୍କିଂ ସ୍ଥଳ ଠିକାରେ ନେଇଥିବା ବିନୟ ରାମ ମଧ୍ୟ ଅଟକ ରହିଥିଲେ। ଏମାନଙ୍କୁ କେବଳ ରାତିସାରା ଅଟକ ରଖାଯାଇନଥିଲା; ବରଂ ସେମାନଙ୍କ ନାଁରେ ସଙ୍ଗୀନ ଦଫା ଲଗାଇଥିଲେ। ବେନିୟମଭାବେ ଅଟକ ରଖିବାରୁ ପରିବାରବର୍ଗ ବିରୋଧ କରିବାସହ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାମଲା ଉଗ୍ର ହେଉଥିବା ଜାଣି ତା’ ପରଦିନ ପୁଲିସ ଅଭିଯୁକ୍ତମାନଙ୍କୁ ଛାଡ଼ିଦେଇଥିଲା। ତେବେ ରାତିସାରା ଥାନାରେ ଅଟକ ରହିବାରୁ, ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ର ପରଦିନ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ମାମଲା ଜିଲ୍ଲାରେ ସମଗ୍ର ରାଜ୍ୟରେ ଚାଞ୍ଚଳ୍ୟ ଖେଳାଇ ଦେଇଥିଲା। ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି) ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଘଟଣାର ପୁଙ୍ଖୁନୁପୁଙ୍ଖ ତଦନ୍ତକରି ଏସ୍‌ପିଙ୍କୁ ରିପୋର୍ଟ ଦାଖଲ କରିଥିଲେ। ଏହାସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ।

ସମ୍ବନ୍ଧିତ ଖବର