ରୋଜଗାର ଦେଇଛି ଶିଆଳି ପତ୍ର: ୬୦ରୁ ଊର୍ଦ୍ଧ୍ବ ବୟସରେ ଶିଆଳି ପତ୍ରରେ ଖଲି ତିଆରି କରି ସ୍ବାବଲମ୍ବୀ ପାଲଟିଛନ୍ତି ମହିଳା

ବ୍ରହ୍ମପୁର: ସବୁଠି ପ୍ଲାଷ୍ଟିକ ଓ ପଲିଥିନ୍‌ମୁକ୍ତ ସହର ଲାଗି ସଚେତନ କରାଯାଉଛି। ପ୍ରଦୂଷଣମୁକ୍ତ ଓଡ଼ିଶା ପାଇଁ ଯୋଜନା କରାଯାଉଥିବା ବେଳେ ଏହାର ବିକଳ୍ପକୁ ନେଇ ବଢ଼ିଛି ଚିନ୍ତା। ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି। ଏଥିପାଇଁ ଏହାକୁ ବର୍ଜନ ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଛି। ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ୍‌ ଖାଇବା ପ୍ଲେଟ୍‌ ଓ ଥର୍ମାକଲ୍‌ ବ୍ୟବହାର ହେଉଥିବା ବେଳେ ସରକାର ତାହାକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଯାହା ଫଳରେ ଏବେ ପୁରୁଣା ଯୁଗକୁ ଖୋଜା ପଡ଼ିଛି। ବଜାରରେ ଶିଆଳ ପତ୍ରରେ ତିଆରି ଖଲି ଓ ଠୋଲାର ବ୍ୟବହାର ଦେଖିବାକୁ ମିଳିଛି। ଏହାକୁ ଜୀବିକା ଭାବେ ବାଛି ନେଇଛନ୍ତି ବ୍ରହ୍ମପୁର ସହରରେ କେତେକ ମହିଳା। ପ୍ରତିଦିନ ଶିଆଳି ପତ୍ରରେ ଖଲି ସିଲେଇ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରିଛନ୍ତି।

ଆଜି ଭେଟିଥିଲୁ ଉତ୍କଳ ସିନେମା ହଲ୍‌ ରୋଡ଼‌ ମେଦିରୀ ସାହିରେ ସିଆଳି ପତ୍ରରେ ଖଲି ତିଆରି କରୁଥିବା ଜଣେ ମହିଳା ବାଉରୀ ବେହେରାଙ୍କୁ। ବୟସ ୬୦ରୁ ଊର୍ଦ୍ଧ୍ବ। ଏହି ବୟସରେ ବି ରୋଜଗାର ପାଇଁ ଚେଷ୍ଟା ଜାରି ରଖିଛନ୍ତି। ପିଲାଟି ବେଳରୁ ଏହି କାମ କରି ଆସୁଥିବା ବେଳେ ଦୈନନ୍ଦିନ ଖର୍ଚ୍ଚ ପାଇଁ ଟଙ୍କା କିଛି ମିଳିଯାଉଥିଲା। ଆଜି ବୟସ ବଢ଼ିଛି, ସେହି କାମ ବି କରୁଛି, ଆଉ ଏହି ବୃତ୍ତିକୁ କେମିତି ଛାଡ଼ିବି ବୋଲି କହିଛନ୍ତି। ପୂର୍ବରୁ ଶିଆଳି ପତ୍ରର ବହୁଳ ବ୍ୟବହାର ହେଉଥିବା ବେଳେ ଏହି ପଲିଥିନ୍ ଆସିବା ଯୋଗୁଁ ତାହା କମିବାରେ ଲାଗିଥିଲା। ଯାହା ଫଳରେ ଜଳିଖିଆ ଦୋକାନ ଓ ହୋଟେଲରେ ଏହି ପତ୍ର ବ୍ୟବହାର ଛାଡ଼ି ଦେଇଥିଲେ। ଏଥିସହ ବିଭିନ୍ନ ଭୋଜିଗୁଡ଼ିକରେ ଥର୍ମାକଲ୍‌‌ ବ୍ୟବହାର ପାଇଁ ଲାଗିପଡ଼ିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ପଲିଥିନ୍‌ ଉପରେ କଟକଣା ଓ ବିଭିନ୍ନ ସ୍ଥାନରେ ଚଢ଼ଉ ଯୋଗୁଁ ‌ଏବେ ଲୋକେ ଏହି ପତ୍ରର ବ୍ୟବହାର ପୁଣି ଆରମ୍ଭ ହୋଇଛି। ଯାହା ଫଳରେ ପରିବେଶ ପ୍ରଦୂଷଣକୁ ରୋକାଯାଇ ପାରୁଛି। କନ୍ଧମାଳ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶିଆଳି ପତ୍ର ବ୍ରହ୍ମପୁକୁ ଆସୁଛି। ବେପାରୀଙ୍କ ଠାରୁ ୨୦ ବିଡ଼ା(ଚେକିି)‌ ଶିଆଳି ପତ୍ର ଖଲିକୁ ୫୦୦ ଟଙ୍କାରେ କିଣି ଆଣୁଛି। ସେହି ପତ୍ରକୁ ଖୋଲି ପୁଣି ତିଆରି କରିବାକୁ ପଡ଼ୁଛି। ଜଳଖିଆ ଓ ମିଠା ଦୋକାନ ପାଇଁ ୨ଟି ପତ୍ରରେ ଖଲି ହେଉଥିବା ବେଳେ ବିରିଆନି ଦେଉଥିବା ହୋଟେଲ ପାଇଁ ୪ଟି ପତ୍ରରେ ଖଲି ତିଆରି କରୁଛନ୍ତି। ଏଥିସହ ଭୋଜ‌ି ଖାଇବା ପାଇଁ ହେଉଥିବା ଖଲିରେ ୧୦ରୁ ୧୫ଟି ପତ୍ର ବ୍ୟବହାର ହେଉଛି। ଖଲି ତିଆରି ପାଇଁ ଖଡ଼ିକା ବିଡ଼ା ୩୦ ଟଙ୍କାରେ କିଣିବାକୁ ପଡ଼ୁଛି। ଜଳଖିଆ ଦେକାନ ପାଇଁ ୨୦୦ ଖଲିକୁ ୩୦ ଟଙ୍କାରେ, ବିରିଆନି ଦୋକାନ ପାଇଁ ୪୦୦ ଖଲିକୁ ୧୫୦ ଟଙ୍କା ଓ ବଡ଼ ଖଲି ୪୦୦କୁ ୨୭୦ ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି। ଦିନକୁ ୪ରୁ ୫ ଚେକି ଖଲି ହିଁ ତିଆରି କରିହେଉଛି। ଦିନକରେ ୫୦ରୁ ୬୦ ଟଙ୍କା ଲାଭ ମିଳୁଥିବା ବାଉରୀ ବେହେରା କହିଛନ୍ତି।

ଶିଆଳିପତ୍ର ବ୍ୟବହାର ବଢ଼ିବା ଫଳରେ ବ୍ରହ୍ମପୁର ସହରରେ ମେଦିରୀ ସାହି, ଖଡ଼ୁରା ସାହି, ଆଡ଼ୁଆ ସାହି, ଗାଈଗୋଠ ସାହି, ନୃସିଂହମନ୍ଦିର ସାହି, ରଙ୍ଗୁଣିବନ୍ଧ ସାହି ଭଳି ବିଭିନ୍ନ ସ‌ାହିରେ ଏହି ଖଲି ତିଆରି କରୁଛନ୍ତି। କରୋନା କଟକଣା ଯୋଗୁଁ ୬ ମାସ ବେପାର ବନ୍ଦ ଥିଲା, କିନ୍ତୁ ଏବେ ବ୍ୟବସାୟ ସ୍ବାଭାବିକ ହେବାରେ ଲାଗିଛି। ଏଥିସହ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ଏନେଇ ଶିଆଳି ଗଛ ମଧ୍ୟ ଲଗାଯାଉଛି। ଏଥିସହ ପଲିଥିନ୍ ବ୍ୟବହାର ବନ୍ଦ ହୋଇଗଲେ ଏହାର ବିକ୍ରି ଦ୍ବିଗୁଣିତ ହେବ ବୋଲି ଆଶା ରଖିଛନ୍ତି। ପଲିଥିନ୍ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିବା ବେଳେ ଶିଆଳିପତ୍ର ଏହାର ବିକଳ୍ପ ପାଲଟିଛି।

ସମ୍ବନ୍ଧିତ ଖବର