ଏରସମା: ୧୯୯୯ ମହାବାତ୍ୟାରେ ଏରସମା ଉପକୂଳରେ ସୃଷ୍ଟି ନୂଆ ମୁହାଣ ଆଜି ଶିଆଳି ବେଳାଭୂମି ଭାବେ ଆତ୍ମପ୍ରକାଶ କରିଛି। କିନ୍ତୁ ଜଗତସିଂହପୁର ଜିଲ୍ଲାର ଏହି ପ୍ରମୁଖ ପର୍ଯ୍ୟଟନ ବିଭବର ବିକାଶକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ମହାବାତ୍ୟାର ପ୍ରଳୟ ଜିଲ୍ଲାବାସୀ ବିଶେଷକରି ଏରସମାବାସୀଙ୍କ ପାଇଁ ଏବେବି ଦୁଃସ୍ବପ୍ନ। ତେବେ ଶିଆଳିର ବିସ୍ତୃତ ବେଳାଭୂମିକୁ ଏରସମାବାସୀ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସାଙ୍ଗକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଆତ୍ମନିଯୁକ୍ତିର ବାଟ ଖୋଲିବ। ଅର୍ଥନୈତିକ ବିକାଶ ସାଧିତ ହେବ ଅନେକ ସ୍ବପ୍ନ ଦେଖିଥିଲେ। ଏହାକୁ ଅଧିକ ପ୍ରଭାବଶାଳୀ କରିବାକୁ ଆରମ୍ଭ କରାଯାଇଥିବା ଶିଆଳି ବେଳାଭୂମି ମହୋତ୍ସବ ୭ ବର୍ଷ ପରେ ବନ୍ଦ ହୋଇଯାଇଛି। କୋଭିଡ୍ କଟକଣାରେ ସ୍ଥିତି ଅଧିକ ଦୟନୀୟ ହେଲା। ଦିନକୁ ଦିନ ସମୁଦ୍ର ମାଡ଼ି ଆସିବାରୁ ଶିଆଳି ବେଳାଭୂମି କ୍ଷୟ ହେବାକୁ ବସିଛି। ନାମକୁମାତ୍ର ଏହାକୁ ପର୍ଯ୍ୟଟନକ୍ଷେତ୍ର ଘୋଷଣା କରାଗଲା। କିନ୍ତୁ ରାସ୍ତା, ହୋଟେଲ, ରେସ୍ତୋରାଁ, ପାନ୍ଥନିବାସ, ଜଳକ୍ରୀଡ଼ାର ସୁଯୋଗ ପାଇଁ କୌଣସି ଆଖିଦୃଶିଆ କାମ କରାଗଲା ନାହିଁ। ଏହାକୁ ବିକଶିତ କରିବା ପାଇଁ ଏପର୍ଯ୍ୟନ୍ତ ଯୋଜନାବଦ୍ଧ ଉଦ୍ୟମ ହେଲାନାହିଁ। ନିକଟରେ ରାଜ୍ୟର ଏକାଧିକ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସରକାର ଅନୁଦାନ ଘୋଷଣା କରିଥିଲେ ହେଁ ଶିଆଳି ସେଥିରେ ସ୍ଥାନ ପାଇନାହିଁ।
୨୦୦୨ରେ ତତ୍କାଳୀନ ବିଡିଓ ବାମଦେବ ବେଉରା ଓ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମୁହାଣକୁ ବାଲିରେ ପୋତାଯାଇ ସୁଦୃଢ ବେଳାଭୂମି ପ୍ରସ୍ତୁତ ହୋଇଥିଲା।ି୨୦୦୭ରେ ବିଡିଓ ମୁରଲୀଧର ସ୍ବାଇଁ ମଧ୍ୟ ଏହି କ୍ଷେତ୍ରର ବିକାଶ ଉଦ୍ଦେଶ୍ୟରେ ଏକ ଭିୟୁ ଟାୱାର ନିର୍ମାଣ କରିଥିଲେ। ୨୦୦୯ରେ ତତ୍କାଳୀନ ରାଜ୍ୟପାଳଙ୍କ ଦ୍ବାରା ଶିଆଳି ବେଳାଭୂମି ପର୍ଯ୍ୟଟନକ୍ଷେତ୍ର ପାଇଁ ଭିତ୍ତି ପ୍ରସ୍ତରର ଶୁଭ ଦିଆଯାଇଥିଲା। ପରେ ଏହି କାର୍ଯ୍ୟ ଶେଷ କରାଯାଇଥିଲା। ପଦ୍ମପୁର ପଞ୍ଚାୟତ ସମୁଦ୍ରକୂଳ ତଟବର୍ତ୍ତୀ ଏହି ଶିଆଳି ବେଳାଭୂମିକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ୨୦୧୬ରେ ପର୍ଯ୍ୟଟନସ୍ଥଳୀ ଭାବେ ସ୍ବୀକୃତି ଦିଆଯାଇଥିଲା। ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପ୍ରଚେଷ୍ଟାରେ ଏହାର ବିକାଶ କାମ ଆଗକୁ ବଢ଼ିଥିଲା। ଇତିମଧ୍ୟରେ ୭ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟ କରାଯାଇନାହିଁ। ଫଳରେ ଏଠାକୁ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକମାନେ ସର୍ବନିମ୍ନ ସୁବିଧାସୁଯୋଗରୁ ବଞ୍ଚିତ ହୋଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଗୁରୁତ୍ବପୂର୍ଣ୍ଣ ହେଲା ଚଳିତ ଡିସେମ୍ବର ମାସ ଠାରୁ ପିକ୍ନିକ୍ ଋତୁ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ସର୍ବନିମ୍ନ ସୁବିଧାସୁଯୋଗର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇନାହିଁ। ଫଳରେ ପର୍ଯ୍ୟଟକ ମୁହଁ ଫେରାଇବା ଥୟ। ବେଳାଭୂମି ହାୱାଖାନା ଠାରୁ ରାମତରା ପର୍ଯ୍ୟନ୍ତ ୩କିମି ବେଳାଭୂମି ମୁକୁଳା ପଡ଼ିଛି। ସମୁଦ୍ର କୂଳେ କୂଳେ ପଥର ବନ୍ଧ ନିର୍ମାଣ ସହ ହେନ୍ତାଳ ବଣ ସୃଷ୍ଟି ଦିଗରେ ପଦକ୍ଷେପ ନିଆଯାଉ ନଥିବାରୁ ସମୁଦ୍ର ଜୁଆରରେ ତଟବର୍ତୀ ଅଞ୍ଚଳ କ୍ଷତିଗ୍ରସ୍ତ ହେଉଛି। ଜୁଆର ମାଡ଼ି ଆସୁଥିବାରୁ ପଦ୍ମପୁର, ହରିଶପୁର, ଗୋଡ଼ା ଗାଁ ପାଇଁ ବିପଦ ସୃଷ୍ଟି କରିଛି। ତେଣୁ ପରିବେଶ ଅନୁକୂଳ ଗଛ ଲଗାଇବା ପାଇଁ ପରିବେଶବିତମାନେ ମତ ଦେଇଛନ୍ତି। ଶିଆଳିରେ ସର୍ବସାଧାରଣଙ୍କ ପାଇଁ ଶୌଚାଳୟ, ବିଦ୍ୟୁତ୍କରଣ, ପାନୀୟ ଜଳଯୋଗାଣ ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ନାନା ସମସ୍ୟା ଭୋଗୁଛନ୍ତି। ଶିଆଳିକୁ ଯିବା ପାଇଁ ଦୁଇଟି ରାସ୍ତା ଅଛି। ନଗରୀ ଦେଇ ଗୋଟିଏ ଓ ଅନ୍ୟଟି ଗୋଡ଼ା ଦେଇ ଶିଆଳିକୁ। ମାତ୍ର ଏହି ଦୁଇଟି ରାସ୍ତା ଅବସ୍ଥା ଶୋଚନୀୟ। ଭିୟୁ ଟାୱାର୍ଟି ମଧ୍ୟ ସମୁଦ୍ର ଜୁଆରରେ ଲୀନ ହେବାକୁ ବସିଛି। ତେଣୁ ତୁରନ୍ତ ଏଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ପୂର୍ବତନ ସରପଞ୍ଚ କେଶବ ପାତ୍ର, ସମାଜସେବୀ ଅରୁଣ ବେହେରା, ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀ ବେହେରା, ଭୀମସେନ ରାଉତ, ସମାଜସେବୀ ପ୍ରଭାକର ବେହେରା, ବରିଷ୍ଠ ନାଗରିକ ମଂଚର ସଂପାଦକ ଧୀରେନ୍ଦ୍ର କୁମାର ଚେଧୁରୀ, ପରିବେଶବିତ୍ ବୈକୁଣ୍ଠ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଗଡ଼ ହରିଶପୁର ନୋଳିଆସାହି ଠାରୁ ରାମତରା ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ ପାଇଁ ବେଳାଭୂମି ସୁରକ୍ଷା ମଂଚ ପକ୍ଷରୁ ଦାବି କରାଯାଇଛି।ଏହା ସହିତ ଦକ୍ଷିଣରେ ଝାଡ଼ୁଆ ଜଗନ୍ନାଥ ମନ୍ଦିର ଓ ହାୱାଖାନାକୁ ବିକଶିତ କରାଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/SIALI-PHOTO-1ERASAMA29-1_6.jpg)