ଅଣଦେଖା ଶିଆଳି, ମୁହଁ ମୋଡ଼ୁଛନ୍ତି ପର୍ଯ୍ୟଟକ; ୨ ବର୍ଷ ହେଲା ଶିଆଳି ମହୋତ୍ସବ ବନ୍ଦ

ଏରସମା: ଜଗତସିଂହପୁର ଜିଲାର ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ସ୍ଥିତ ଶିଆଳି ବେଳାଭୂମି ପର୍ଯ୍ୟଟନ ସ୍ଥଳୀକୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଛି। ଅବହେଳିତ ଅବସ୍ଥାରେ ଥିବା ଶିଆଳି ପାଖକୁ ଲାଗି ଅନ୍ୟ ଦୁଇଟି ପର୍ଯ୍ୟଟନ ସ୍ଥଳୀ ମଧ୍ୟ ରହିଛି। ଗଡ଼ ହରିଶପୁରର ସମୁଦ୍ରକୂଳରେ ଥିବା ହାୱାଖାନା, ଝାଡୁଆ ଜଗନ୍ନାଥ ମନ୍ଦିର। ମାତ୍ର ସେଠାରେ କୌଣସି ଆଖିଦୃଶିଆ ବିକାଶ କାମ ହାତକୁ ନିଆଯାଉ ନାହିଁ। ଫଳରେ ପର୍ଯ୍ୟଟକମାନେ ମୁହଁ ମୋଡ଼ୁଛନ୍ତି। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଓ ପ୍ରଚାର ପ୍ରସାର ବୃଦ୍ଧି ଲକ୍ଷ୍ୟରେ ଆରମ୍ଭ କରାଯାଇଥିବା ଶିଆଳି ବେଳାଭୂମି ମହୋତ୍ସବ ବନ୍ଦ ରହିବା ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ ୨୦୦୭ରେ ବ୍ଲକ ପ୍ରଶାସନ ପକ୍ଷରୁ ସିଆଳି ବେଳାଭୂମିକୁ ଏକ ପର୍ଯ୍ୟଟନ ସ୍ଥଳୀ ବିକଶିତ କରାଯାଇଥିଲା। ପରବର୍ତୀ ସମୟରେ ଏହି ଶିଆଳି ବେଳାଭୂମି ପର୍ଯ୍ୟଟନ ସ୍ଥଳୀଭାବେ ସରକାରୀ ସ୍ବୀକୃତି ପାଇଥିଲା। ସେଠାରେ ଥିବା ଏକ ଭିଉ ଟାୱାରକୁ ରକ୍ଷା କରିବା ପାଇଁ ସମୁଦ୍ର କୂଳେ କୂଳେ ବାଲି ବସ୍ତା ପକାଯାଇ କାଠ ଭେଳାଗୁଡ଼ିକ ପକାଯାଇଥିଲା।

ମାତ୍ର ଜୁଆର ମାଡ଼ରେ ସେଗୁଡ଼ିକ ଧୋଇଯାଇ ଭିଉ ଟାୱାରକୁ ଜୁଆର ପାଣି ଛୁଇଁ ବିପଦ ସୃଷ୍ଟି କଲାଣି । ଜଳସଂପଦ ପକ୍ଷରୁ ୫୦୦ ମିଟର ଏକ ପଥର ବନ୍ଧ ନିର୍ମାଣ କରାଯାଇଥିଲା। ତାହା ଏବେ ସମୁଦ୍ର ଜୁଆରରେ ବାଲି ମାଡ଼ିଯାଇ ପୋତି ହେବାକୁ ଲାଗିଲାଣି।। ବହୁ ଦୂରଦୂରାନ୍ତରୁ ଏଠାକୁ ଲୋକମାନେ ପିକ୍‌ନିକ୍‌ କରିବାକୁ ଆସିଥାନ୍ତି। ଘରୋଇ ଲୋକ ନିଜ ପରିବାର ଲୋକଙ୍କୁ ଆଣିବା ସହିତ, ସ୍କୁଲ, କଲେଜମାନଙ୍କରୁ କେତେ ଛାତ୍ରଛାତ୍ରୀ ଏଠାକୁ ଆସିଥାନ୍ତି। ମାତ୍ର ଏଠାରେ ସରକାରଙ୍କ ତରଫରୁ ଶୌଚାଳୟ, ପାନୀୟଜଳ ଓ ପାନ୍ଥନିବାସ ପାଇଁ ଏପର୍ଯ୍ୟନ୍ତ ବ୍ୟବସ୍ଥା ହୋଇ ପାରିନାହିଁ। ବିଦ୍ୟୁତ ଖୁଂଟ ପଡ଼ିଥିଲେ ମଧ୍ୟ ସେଠାରେ ବିଦ୍ୟୁତ ସଂଯୋଗ କିମ୍ବା ଉଜ୍ଜ୍ବଳ ଆଲୋକୀକରଣ ବ୍ୟବସ୍ଥା ହୋଇ ପାରିନାହିଁ। ଫଳରେ ସଂଧ୍ୟା ହେଲେ ପର୍ଯ୍ୟଟକମାନେ ସୁରକ୍ଷିତ ମଣିନଥାନ୍ତି। ଏନେଇ ବହୁ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଯୋଗ୍ୟ ୨୦୦୯ରୁ ବ୍ଲକ ପ୍ରଶାସନ ଏବଂ ବିଧାୟକଙ୍କ ପକ୍ଷରୁ ଶିଆଳି ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇଆସୁଥିଲା। ୨ବର୍ଷ ହେବ ଏହା ବନ୍ଦ ରହିଛି। ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଦ୍ବାରା ୨୦୧୬ ରେ ପର୍ଯ୍ୟଟନ ବିଭାଗ ଦ୍ବାରା ଶିଆଳି ବେଳାଭୁମିକୁ ଏକ ପର୍ଯ୍ୟଟନ ସ୍ଲଳୀ ଭାବେ ମାନ୍ୟତା ମିଳିଥିଲା। ସେହି ସମୟରେ ପର୍ଯ୍ୟଟନ ବିଭାଗ ଏକ ପାନ୍ଥନିବାସ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ।

ତାହା ଏବେ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଶୌଚାଳୟ ପାଇଁ ଅର୍ଥ ମଂଜୁରି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର କାର୍ଯ୍ୟ ଆରମ୍ଭ ହେଉନାହିଁ। ଫଳରେ ବେଳଭୂମି ସର୍ବଦା ଅପରିଷ୍କାର ହେଉଛି। ଶିଆଳିକୁ ସୁରକ୍ଷା ଯୋଗାଇ ଦେବା ସକାଶେ ପ୍ରଶାସନ ପକ୍ଷରୁ ତୁରନ୍ତ ପଥରବନ୍ଧ ନିର୍ମାଣ କରିବାକୁ ସରପଞ୍ଚ କେଶବ ପାତ୍ର, ସମାଜସେବୀ ଅରୁଣ ବେହେରା, ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀ ବେହେରା, ଗଡ଼ ହରିଶପୁର ସରପଞ୍ଚ ଭୀମସେନ ରାଉତ ପ୍ରମୁଖ ଦାବି କରିଛନ୍ତି। ୨୦୦୭ରେ ତତ୍କାଳୀନ ବିଡ଼ିଓ ମୁରଲୀଧର ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପ୍ରଚେଷ୍ଟାରେ ସିଆଳି ବେଳାଭୂମି ପର୍ଯ୍ୟଟନ ସ୍ଥଳୀ ଭାବେ ଆରମ୍ଭ କରାଯାଇଥିଲା। ଏହି ବେଳାଭୁମି ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ତିନୋଟି ଦିଗରୁ ୩ଟି ରାସ୍ତା ନିର୍ମାଣ କରାଯାଇଛି। ମାତ୍ର ସେସବୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଜଗତସିଂହପୁର ଦେଇ ଗୋଡ଼ା ବଜାର ଅତିକ୍ରମ କରି ସରବନ୍ତ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ରହିଥିବା ବେଳେ, ଏରସମାରୁ ନଗରି ଦେଇ ଓଲରା ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ପରିଣତ ହୋଇଛି। ଏଥି ସହିତ ଇବ୍ରିସିଂହ ଛକରୁ ପଂଚପଲ୍ଲୀ ଦେଇ ଗଡ଼ବିଶୁନପୁର ପର୍ଯ୍ୟନ୍ତ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ପର୍ଯ୍ୟଟନକୁ ଯାଉଥିବା ପର୍ଯ୍ୟଟକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ରାସ୍ତା ସବୁକୁ ପିଚୁ କିମ୍ବା ଢଳେଇ ରାସ୍ତାରେ ପରିଣତ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଶିଆଳି ବେଳାଭୂମିକୁ ବିକଶିତ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର