କେବେ ବଦଳିବ ଶିଆଳି ବେଳାଭୂମିର ଚିତ୍ର ?

ଏରସମା: ଏରସମା ବ୍ଲକରେ ପଦ୍ମପୁର ପଞ୍ଚାୟତର ସମୁଦ୍ର ତଟବର୍ତୀ ଶିଆଳି ବେଳାଭୂମିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ରେ ପର୍ଯ୍ୟଟନକେନ୍ଦ୍ରର ମାନ୍ୟତା ଦିଆଯାଇଥିଲା। ସମୁଦ୍ରର ଘନନୀଳ ଢେଉରାଶିକୁ ଲାଗି ବିସ୍ତୀର୍ଣ୍ଣ ହାୱାଖାନା ଜଙ୍ଗଲର ପ୍ରାକୃତିକ ପରିବେଷ୍ଟନୀ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏପରିକି ପିକ୍‌ନିକ୍‌ ଋୁତୁରେ ଶିଆଳି ହୋଇଥାଏ ବଣଭୋଜି ପାଇଁ ପର୍ଯ୍ୟଟକମାନଙ୍କର ପ୍ରଥମ ପସନ୍ଦ।

ତେବେ ୨ ବର୍ଷ କୋଭିଡ୍‌ କଟକଣା ସାଙ୍ଗକୁ ଦୁଇ ଥର ଲଘୁଚାପ ଜନିତ ଝଡ଼ବର୍ଷ ବେଳାଭୂମିକୁ ଖିନ୍‌ଭିନ୍‌ କରି ଦେଇଛି। ସମୁଦ୍ର ଜୁଆର ମାଡ଼ିଆସି ସେଠାରେ ଥିବା ଭ୍ୟୁଟାୱାରକୁ କ୍ଷତି ପହଞ୍ଚାଇଛି। ତଟବନ୍ଧ ଉପରେ ଜୁଆର ମାଡ଼ିଯାଇ ଅନେକ ସ୍ଥାନ ଧୋଇ ନେଇ ବିକୃତ କରିଛି। ଅବଶ୍ୟ କୋଭିଡ୍‌ କଟକଣା ବେଳେ ପୁଲିସ୍‌ର ବାରମ୍ବାର ତାଗିଦ୍‌କୁ ଭ୍ରୁକ୍ଷେପ ନକରି ବହୁ ସଂଖ୍ୟାରେ ଶିଆଳିରେ ବଣଭୋଗି କରିଥିବାରୁ ଏହି ସ୍ଥାନପ୍ରତି ଆକର୍ଷଣ କେତେ ତାହା ଜଣାପଡ଼ିଯାଏ। ଇତି ମଧ୍ୟରେ ୮ବର୍ଷ ବିତି ଯାଇଥିଲେ ମଧ୍ୟ ଶିଆଳି ବେଳାଭୂମିରେ କୌଣସି ଆଖିଦୃଶିଆ ବିକାଶ କାର୍ଯ୍ୟ କରାଯାଇନାହିଁ। ଯେଉଁ କାରଣରୁ ପର୍ଯ୍ୟଟକମାନେ ବଣଭୋଜି କରିବାକୁ ଆସି ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଚଳିତ ବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅର୍ଥ ମଂଜୁର କରାଯାଇଥିବା ବେଳେ ଶିଆଳି ବେଳାଭୂମିକୁ ଅଣଦେଖା କରାଯାଇଛି। ତେଣୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହାୱାଖାନା ଠାରୁ ରାମତରା ପର୍ଯ୍ୟନ୍ତ ଦୀର୍ଘ ୩ କିମି ବେଳାଭୂମି ମୁକୁଳା ପଡ଼ିଛି। ଏହି ସମୁଦ୍ର କୂଳେ କୂ ଳେ ପଥର ବନ୍ଧ ନିର୍ମାଣ ସହିତ ହେନ୍ତାଳ ବଣ ସୃଷ୍ଟି କରାଗଲେ ସମୁଦ୍ର ଜୁଆରକୁ ଅଟକାଇ ପାରିବ। ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ଦ୍ବାରା ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ରାସ୍ତା ଅବସ୍ଥା ଶୋଚନୀୟ
ଶିଆଳିକୁ ଯିବା ପାଇଁ ଦୁଇଟି ରାସ୍ତାର ଦୁରବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ବାରମ୍ବାର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ପ୍ରଥମଟି ଏରସମାରୁ ନଗରି ଦେଇ ଶିଆଳିକୁ ଯାଇଥିବା ରାସ୍ତାର ଉନ୍ନତୀକରଣ ସମ୍ଭବ ହେଉନାହିଁ। ନିଜସ୍ବ ମାଲିକାନାରେ ଥିବା ଜମି ବାଟେ ରାସ୍ତାକାମକୁ ବିରୋଧ କରାଯାଉଥିବାରୁ ସମସ୍ୟା ସମାଧାନର ବାଟ ବାହାରୁ ନାହିଁ। ପୁରୁଣା ରାସ୍ତାର ମରାମତି ହୋଇପାରୁନାହିଁ। ଫଳରେ ବହୁ ସ୍ଥାନରେ ୨/୩ ଫୁଟର ଗର୍ତ ସୃଷ୍ଟି ହେଲାଣି। ପ୍ରତିଦିନ ସେହି ରାସ୍ତାରେ ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତା କଦର୍ଯ୍ୟ ହୋଇ ପଡ଼ିଲାଣି। ବାଇକ୍‌ରେ ଯିବା ମଧ୍ୟ ମୁସ୍କିଲ। ଶିଆଳିକୁ ଯିବା ପାଇଁ ଦ୍ବିତୀୟ ବାଟଟି ହେଲା ଇବ୍ରିସିଂରୁ ପଂଚପଲ୍ଲୀ ଗୋଡ଼ା ଦେଇ ଯାଇଥିବା ରାସ୍ତା। ବାରମ୍ବାର ଦାବି ପରେ ନାମକୁମାତ୍ର ମରାମତି କରାଯାଉଛି। ଲକ୍ଷ ଲକ୍ଷ ଟଙ୍କା ବରବାଦ ହେଉଛି। ଅଥଚ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏହି ଦୁଇ ରାସ୍ତା ବିପଦପୂର୍ଣ୍ଣ ଥିବାରୁ ଲୋକମାନେ ସେବାଟେ ଯିବାକୁ ନାକେଦମ୍‌ ହେଉଛନ୍ତି।

ଭିଉଟାୱାର୍‌ ପ୍ରତି ବିପଦ
ଏହି ବେଳାଭୂମିର ଭ୍ୟୁ ଟାୱାରରେ ପର୍ଯ୍ୟଟକମାନେ ବେଳଭୂମିର ମଜା ନେଇଥାନ୍ତି। ସମୁଦ୍ର ଜୁଆରରେ ଏହି ଟାୱାର ପାର୍ଶ୍ବ ସମୁଦ୍ରକୂଳ ନଷ୍ଟ ହୋଇ ଯାଉଥିବାରୁ ଟାୱାରକୁ ବଂଚାଇବା ପାଇଁ ବହ୍ଲା, ବାଲିବସ୍ତା ସାହାରା ପାଲଟିଛି। ଟାୱାର ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେଇଛି। ଗତବର୍ଷ ଏନେଇ ସମ୍ବାଦରେ ଖବର ପ୍ରକାଶ ପରେ ଜିଲ୍ଲାପାଳ, ବ୍ଲକ ପ୍ରଶାସନ, ଜଳସମ୍ପଦ ବିଭାଗ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଧର୍ମକୁ ଆଖିଠାର ସଦୃଶ ଟ୍ରାକ୍ଟରରେ ୫୦ ଟ୍ରିପ୍‌ ବାଲି ପକାଇ ଜୁଆର ରୋକିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ସେହି ବାଲି ସମୁଦ୍ର ଜୁଆରମାଡ଼ରେ ଭାସିଗଲା। ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ବାଲି ପରିବର୍ତେ ପଥରବନ୍ଧ ନିର୍ମାଣ ପାଇଁ ଦାବି କରିଥିଲେ। ଜଳ ସଂପଦ ବିଭାଗ ଏସ୍‌ଡିଓ ଅମରେନ୍ଦ୍ର ବେହେରା ପଂହଚି ଲୋକମାନଙ୍କୁ ବୁଝାଶୁଝା କରିବା ସହ ବହ୍ଲା ଓ ବାଲିବସ୍ତା ପକାଇ ସୁରକ୍ଷା ଦିଗରେ ପଦକ୍ଷେପ ନେଇଥିଲେ। ପରବର୍ତ୍ତୀ ସମୟରେ ପଥର ବନ୍ଧ ପାଇଁ ପ୍ରତିଶଶ୍ରୁତି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ।

ଅପର ପକ୍ଷରେ କଳାବେଦି, ନୋଳିଆସାହି, ସରବନ୍ତ, ଗଡ଼ ହରିଶପୁର, ରାମତରା ଠାରେ ସମୁଦ୍ର ଜୁଆର ସ୍ଥଳଭାଗକୁ ମାଡ଼ି ଆସି କ୍ଷତି କରୁଛି। ପଦ୍ମପୁର ଓ ଗଡ଼ ହରିଶପୁର ପଂଚାୟତକୁ ବଂଚାଇବା ପାଇଁ ଗଡ଼ ହରିଶପୁରରୁ ରାମତରା ପର୍ଯ୍ୟନ୍ତ ସ୍ଥାୟୀ ପଥର ବନ୍ଧ ନିର୍ମାଣ ପାଇଁ ଦାବି କରାଯାଇଛି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେଉଥିଲେ ହେଁ ପ୍ରତିବର୍ଷ ବହୁ ସଂଖ୍ୟାରେ ଅଲିଭ୍‌ରିଡ୍‌ଲେଙ୍କ ମୃତଦେହ ବିକ୍ଷିପ୍ତ ଭାବେ ପଡ଼ି ରହୁଛି। ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। କିଛି ଦିନ ତଳେ ଗ୍ରାମେଶ୍ବର ଯୁବ ବାହିନୀର ସଦସ୍ୟଙ୍କ ଉଦ୍ୟମକ୍ରମେ ବେଳାଭୂମିରୁ କଇଁଚ ଶବ ଗୁଡିକୁ ସଫା କରିଥିବା ବେଳେ ବେଳାଭୂମିରେ ଲାଗିଥିବା କଇଁଛ ଶବଗୁଡିକୁ ବାଲିରେ ପୋତିଥିଲେ। ମାତ୍ର ସରକାରଙ୍କ ତରଫରୁ ବେଳାଭୂମିକୁ ସଫା କରିବା ପାଇଁ କୈାଣସି ଉଦ୍ୟମ ହେଉନାହିଁ।
କେଶବ ପାତ୍ର, ପୂର୍ବତନ ସରପଞ୍ଚ

ବିକାଶ ଅପରିହାର୍ଯ୍ୟ
ସେହିପରି ପର୍ଯ୍ୟଟନ ବିଭାଗ ପକ୍ଷରୁ ଶିଆଳି ବେଳାଭୂମିକୁ ବିକଶିତ କରିବା ପାଇଁ ସମାଜସେବୀ ଅରୁଣ ବେହେରା, କ୍ଷେତ୍ରବାସୀ ବେହେରା,ଭୀମସେନ ରାଉତ,ପ୍ରଭାକର ବେହେରା ପ୍ରମୁଖ ଦାବି କରିଛନ୍ତି। ପିଇବା ପାଣି,ପାନ୍ଥନିବାସ ଓ ବିଦ୍ୟୁତ ସଂଯୋଗ ନଥିବାରୁ ପର୍ଯ୍ୟଟକମାନେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ମହିଳାଙ୍କ ପାଇଁ ସେଠାରେ ମଧୁର ଜଳରେ ସ୍ନନଶୌଚ ବ୍ୟବସ୍ଥା ଦିଗରେ ଧ୍ୟାନ ଦିଆଯିବାକୁ ଦାବି ହୋଇଛି। ଅରୁଣ ବେହେରା, ସମାଜସେବୀ

ସମ୍ବନ୍ଧିତ ଖବର