ବର୍ଷେ ପୂରିବାକୁ ବସିଲାଣି, ଶିକ୍ଷା ସହାୟକଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ

ଭବାନୀପାଟଣା: ରାଷ୍ଟ୍ରର ସାମଗ୍ରିକ ବିକାଶ କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ଏମିତିକି ଆବଶ୍ୟକ ସ୍ଥଳେ ଜାତୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଦିଆଯାଇଥିବା ଅତିରିକ୍ତ ଦାୟିତ୍ୱକୁ ସଫଳ ଭାବେ ନିଭାଇ ଆସୁଛନ୍ତି। ତେବେ ପରିତାପର ବିଷୟ ଓଡିଶା ରାଜ୍ୟ ଶିକ୍ଷା ବିଭାଗର ଏଥିପ୍ରତି ସବୁବେଳେ ଅଲଗା ଦୃଷ୍ଟିରେ ଦେଖାଯିବା ସାଧାରଣରେ ଆଲୋଚନାର ବିଷୟବସ୍ତୁ ହୋଇଆସୁଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଦୀର୍ଘ ୭ ବର୍ଷ ହେଲା ପେଟର ଭୋକକୁ ହିସାବ ନକରି ସୁଚାରୁରୂପେ ନିଜର ଦାୟିତ୍ୱ ତୁଳେଇ ନିୟମିତ ହୋଇପାରୁନଥିବା ୨୦୧୩ ଡିସେମ୍ବର ବେଚରେ ନିଯୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ଶିକ୍ଷା ସହାୟକ ।

୨୦୧୩ରେ ନିଯୁକ୍ତି ପାଇଥିବା ଏହି ଶିକ୍ଷା ସହାୟକମାନେ ସରକାରୀ ନିୟମ ଅନୁଯାୟୀ ୨୦୧୯ ଡିସେମ୍ବରରେ ନିୟମିତ ହେବା କଥା କିନ୍ତୁ ଏଯାବତ ଦୀର୍ଘ ବର୍ଷେ ହେବାକୁ ବସିଲାଣି ତଥାପି ସେମାନଙ୍କ କଥା ବିଚାରକୁ ନିଆଯାଉନାହିଁ। ଜିଲ୍ଲା ଶିକ୍ଷା ବିଭାଗର ଟାଳଟୁଳ ନୀତି ଯୋଗୁଁ ନିୟମିତ ପ୍ରକ୍ରିୟା ଅନୁଯାୟୀ ସମସ୍ତ ଶିକ୍ଷା ସହାୟକ ଆବଶ୍ୟକ କାଗଜପତ୍ର ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ ସତ୍ତ୍ୱେ ପ୍ରଗତି ହୋଇନାହିଁ। ଏନେଇ ରାଜ୍ୟସରକାରଙ୍କ ଚିଠି ନଂ ୧୬୫୯୯/୧୬.୦୯.୨୦୨୦ ଅନୁଯାୟୀ ଜିଲ୍ଲା ଅଫିସକୁ ଆସିଥିବା ଚିଠିର କୌଣସି ଉତ୍ତର ମଧ୍ୟ ଦିଆଯାଇନଥିବା ଜଣାଯାଏ।

କୌଣସି ଉତ୍ତର ନପାଇ ପୁନଶ୍ଚ ରାଜ୍ୟ ଶିକ୍ଷା ବିଭାଗରୁ ଚିଠି ନଂ ୧୯୦୦୦/୨୭.୧୦.୨୦୨୦ରେ ଆସିଥିବା ରିମାଇଣ୍ଡର ଚିଠିର ଦୁଇଦିନିଆ ଅବଧି ପୁରି ସାତ ଦିନ ଗଡିଗଲା ପରେ ବି ନିୟମିତ ପ୍ରକ୍ରିୟାକୁ ନେଇକି କୌଣସି ତତ୍ପରତା ଦେଖାଯାଉନାହିଁ। ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଏହି ଶିକ୍ଷା ସହାୟକମାନେ ଜିଲ୍ଲା ଅଫିସକୁ ଯିବା ଆସିବାରେ ନୟାନ୍ତ ହେଲେଣି ଅଥଚ , ସେମାନଙ୍କର ଆଶା ଆଶାରେ ରହିଯାଉଛି। ନିଜର ହକ ପାଇବା ପାଇଁ ଦାବିଦାର ଏହି ଶିକ୍ଷକ ମାନେ ୧୧ମାସ ହେଲାଣି ନିୟମିତ ନହେବା ରାଜ୍ୟସରକାରଙ୍କ ୫ଟି ଯୋଜନାର ଏକ ନଗ୍ନ ନମୁନା ବୋଲି ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପ୍ରତି ଦୁର୍ଦ୍ଦିନରେ ଜୀବନ ବିତଉଥିବା ଏହି ଶିକ୍ଷା ସହାୟକମାନେ କେବେ ନିୟମିତ ହେବେ ସେମାନଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ ଅଛନ୍ତି।

ସମ୍ବନ୍ଧିତ ଖବର