ଅଲୋଡ଼ା ହୋଇପଡ଼ିଛି ସିକୋ ଏଏନ୍ଏମ୍ କେନ୍ଦ୍ର, ମରାମତିରେ ବାଟମାଣା ଅଭିଯୋଗ

ସିକୋ: ଖୋର୍ଦ୍ଧା ଜିଲ୍ଳା ସିକୋ  ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଚନ୍ଦ୍ରଶେଖରପୁର ଠାରେ ଥିବା ଏଏନ୍ଏମ୍ କେନ୍ଦ୍ରର ସଚଳ ହେବ ବୋଲି ଏହାର ମରାମତି ଓ ପ୍ରଚାରୀ ନିର୍ମାଣ ପାଇଁ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଖର୍ଚ୍ଚ କରାଯାଇଥିଲା । କିନ୍ତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି ।

ସୂଚନାନୁସାରେ, ଏଏନ୍ଏମ କେନ୍ଦ୍ରର ଦୁରବସ୍ଥା ପାଇଁ କୌଣସି କର୍ମଚାରୀ ରହୁନଥିଲେ । ଫଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ୫ମ ରାଜ୍ୟ ଅର୍ଥ କମିଶନର ଅନୁଦାନରେ ଏହାର ମରାମତି ଓ ପ୍ରାଚୀର ନିର୍ମାଣ ପାଇଁ ୨ଲକ୍ଷ ୧୦ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ନିର୍ମାଣ ହେବା ପରେ ସେଠାରେ ଛାତରୁ ପାଣିଗଳିବା, ପିଇବା ପାଣିର ସୁବିଧା ନଥିବାରୁ ଏଏନ୍ଏମ୍ କର୍ମଚାରୀ ସେଠାରେ ନରହି ବୋତଳମାରେ ରହି ଯିବା ଆସିବା କରୁଥିଲେ । ଗାଁ ଲୋକଙ୍କ ଅନୁରୋଧ ପରେ ସେ ସିକୋରେ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଖାଲିପଡ଼ିଥିବା ପୁରୁଣା କ୍ୱାଟରରେ ରହୁଥିଲେ । ଜାନୁଆରୀ ୯ ତାରିଖରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଅର୍ପିତା ରଥ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କ୍ୱାଟରରେ ପାନୀୟଜଳ, ବିଦ୍ୟୁତ ଆଦି ସମସ୍ୟା ଥିବାରୁ ସେ ହିରାପୁର ପଂଚାୟତର ରାୟମୁଳରେ ରହି ଚନ୍ଦ୍ରଶେଖରପୁର ଯିବାଆସିବା କରୁଛନ୍ତି । ଏହାଦ୍ୱାରା ଗାଁରେ ସ୍ୱାସ୍ଥ୍ୟସେବାରେ ଅନେକ ସମସ୍ୟା ହେଉଛି ।

ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେଉଁ ବିଭାଗୀୟ କର୍ମଚାରୀ ଏଏନ୍ଏମ୍ କେନ୍ଦ୍ରର ମରାମତିର କାର୍ଯ୍ୟାଦେଶ ନେଇ ମରାମତି କରିଛନ୍ତି ସେ ଠିକ୍ ଭାବେ କାମ କରିନାହାନ୍ତି । ଅର୍ଥ ତୋଷାରପାତ କରି ନିମ୍ନମାନର କାର୍ଯ୍ୟ କରିଛନ୍ତି । ଉଭୟ ଏଏନ୍ଏମ୍ ଓ ସ୍ୱାସ୍ଥ୍ୟକେନ୍ଦ୍ରର ମରାମତି କରିବା ସହ ମରାମତି କାର୍ଯ୍ୟର ଅନୁସନ୍ଧାନ କରି ଏଏନ୍ଏମ୍ କେନ୍ଦ୍ରକୁ ତୁରନ୍ତ ବ୍ୟବସ୍ଥିତ କରିବାକୁ ସରପଂଚ ସନ୍ତୋଷୀ ରାୟ ଓ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର