ସିକୋ-ନିଧିପୁର ରାସ୍ତା, ପାଲଟିଛି ମରଣଯନ୍ତା

ସିକୋ: ସିକୋ ପଂଚାୟତର ବେଲପଡ଼ଶ ମୌଜା ଓ ହଜ ପଂଚାୟତର ନିଧିପୁର ମୌଜା ସହ ସଂଯୋଗ କରୁଥିବା ସିକୋ-ନିଧିପୁର ରାସ୍ତା ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଦୀର୍ଘ ବର୍ଷ ଧରି ରାସ୍ତା ମରାମତି ହୋଇନଥିବାରୁ ରାସ୍ତାରେ ସ୍ଥାନେ ସ୍ଥାନେ ଖାଲଖମା ସୃଷ୍ଟି ହୋଇ ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଛି ।

ସିକୋ-ନିଧିପୁର ପ୍ରାୟ ୩ କିମି । ସିକୋରୁ ହଜ ଦେଇ ନିଧିପୁର କିମ୍ବା ସିକୋରୁ ବୋତଳମା ଦେଇ ନିଧିପୁର ଯିବା ପାଇଁ ୯ କିମି ପଡ଼ିଥାଏ । କିନ୍ତୁ ସିକୋ-ନିଧିପୁର ରାସ୍ତାର ଦୂରତା କମ୍ ପଡ଼ୁଥିବାରୁ ଏହି ରାସ୍ତା ଦେଇ ଦୈନିକ ୩ଶହ-୪ଶହ ଲୋକ ଗାଡ଼ିମୋଟର ଦ୍ୱାରା ଯିବାଆସିବା କରିଥାନ୍ତି । କେବଳ ଏହାନୁହେଁ ଏହି ରାସ୍ତାର ଉଭୟପାଶ୍ୱର୍ରେ ସିକୋ, କଲରାଝର, ହିରାପୁର, ନିଧିପୁର ଓ ନାରଗୋଦା ଗାଁର ପରିବା ଚାଷ କରାଯାଇଥାଏ । ଏହି ଅଂଚଳ ଖୋର୍ଦ୍ଧା ଓ ଆଖପାଖ ଅଂଚଳକୁ ପରିବା ଯୋଗାଇଥାଏ । ସେହିଭଳି ପ୍ରତିବର୍ଷ ଦଶହରାର ସପ୍ତମୀ ଦିନ ମା’ ଜାଗେଶ୍ୱରୀଙ୍କ କାଳେସୀ ଶୋଭାଯାତ୍ରା ନିଧିପୁର ପୁରୁଣା ଗାଦିରୁ ସିକୋ ଆସିଥାନ୍ତି । ଏହି ସମସ୍ତ ଦୃଷ୍ଟିରୁ ଏହି ରାସ୍ତାର ଅନେକ ଗୁରୁତ୍ୱ ରହିଛି । ୧୦ ବର୍ଷ ପୂର୍ବେ ତତ୍କାଳୀନ ଭୁବନେଶ୍ୱର ସାଂସଦଙ୍କ ପାଣ୍ଠୀରୁ ୫ଲକ୍ଷ ଟଙ୍କା ଅନୁଦାନରେ ମାଟି ରାସ୍ତା ଉପରେ କେବଳ ମୋରମ ବିଛାଯାଇଥିଲା । ଏହାପରେ ଏହି ରାସ୍ତା ଉପରେ ମରାମତି ପାଇଁ ପ୍ରଶାସନ ପକ୍ଷରୁ ମାଟି ଟିକିଏ ମଧ୍ୟ ପକାଯାଇନାହିଁ । ଏନେଇ ସ୍ଥାନୀୟ ବାସିନ୍ଦା ବ୍ଲକ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରେ ଏହି ରାସ୍ତା ଏଯାଏଁ କୌଣସି ବିଭାଗକୁ ଦିଆଯାଇନଥିବା କହୁଛନ୍ତି ।

ଗତ ଫନି ବାତ୍ୟାରେ ରାସ୍ତାଟି ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଥିଲା । ଗାଁ ଲୋକ ନିଜ ଅର୍ଥରୁ ରାସ୍ତାରେ ମାଟି ଗୋଡ଼ି ପକାଇ ମରାମତି କରିଥିଲେ । ପ୍ରତିବର୍ଷ ବର୍ଷାରେ ନିୟମିତ ଭାବେ ରାସ୍ତା ଧୋଇ ହୋଇଯାଉଥିବା ଓ ଏହି ରାସ୍ତାରେ ଅନେକ ଗାଡ଼ିମୋଟର ଯିବାଆସିବା କରୁଥିବାରୁ ରାସ୍ତାରେ ଚଳପ୍ରଚଳ କରିବା ଅସମ୍ଭବ ପ୍ରାୟ ହୋଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କିମ୍ବା ବିଜୁ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର