ଫଲକନାମା ଏକ୍ସପ୍ରେସ୍ରୁ ୫ଟି ରୂପାଇଟା ଜବତ, ଜଣେ ଗିରଫ
ଖଡ଼ଗପୁରରୁ ଧରିଲେ ଆରପିଏଫ୍ ଟାସ୍କଟିମ୍ ଓ ଜିଆରପି, ଜବତ ହୋଇଥିବା ଇଟାର ଓଜନ ୧୫.୮୫୭କେଜି
ବାଲେଶ୍ୱର: ଫଲକନାମା ଡାଉନ୍ ଏକ୍ସପ୍ରେସ୍(୧୨୭୦୪)ରୁ ଗୁରୁବାର ୫ଟି ରୂପାଇଟା ଜବତ କରାଯାଇଥିବା ବେଳେ ଏହାକୁ ବ୍ୟାଗ୍ରେ ଭର୍ତ୍ତି କରି ନେଉଥିବା ସମ୍ପୃକ୍ତ ଯାତ୍ରୀକୁ ଗିରଫ କରାଯାଇଛି। ଗିରଫ ଯାତ୍ରୀର ନାମ ଅଶୋକ ଭଣ୍ଡାରି(୪୪)। ସେ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପର୍ଗଣା ଜିଲ୍ଲା ମୋଗ୍ରାହାଟ ଥାନା ଅନ୍ତର୍ଗତ ବିଶ୍ୱାସପଡ଼ା ଗ୍ରାମର ମହାଦେବ ଭଣ୍ଡାରିଙ୍କ ପୁଅ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାରୁ ପ୍ରକାଶ ଯେ, ଗତକାଲି ଗଂଜାମ ଜିଲ୍ଲା ବ୍ରହ୍ମପୁର ରେଳ ଷ୍ଟେସନରୁ ଖଡ଼ଗପୁର ଯାଇଥିବା ଡାଉନ ଫଲକନାମା ଡାଉନ ସୁପରଫାଷ୍ଟ ଏକ୍ସପ୍ରେସରେ ଅଶୋକ ଭଣ୍ଡାରି ଏକ କଳାରଂଗର ବ୍ୟାଗ୍ ଧରି ଉଠିଥିଲା। ତେବେ ଖଡ଼ଗପୁର ଷ୍ଟେସନରେ ଅପରାହ୍ନ ୪ଟାରେ ଟ୍ରେନ୍ ପହଞ୍ଚିବା ବେଳେ ସେ ଓହ୍ଲାଇ ତୁରନ୍ତ ସେଠାରୁ ଅନ୍ୟ ଏକ ଟ୍ରେନରେ ଖସି ପଳାଇବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଆରପିଏଫ୍ ଟାସ୍କଟିମ୍ ବି ଓ ଖଡ଼ଗପୁର ଜିଆରପି ଟିମ୍ ତା ଉପରେ ନଜର ପଡ଼ିଯାଇଥିଲା। ଅଶୋକ ସେମାନଙ୍କୁ ଦେଖି ଦୌଡ଼ି ପଳାଇଯାଉଥିବା ବେଳେ ଟାସ୍କଟିମ୍ ଗୋଡ଼େଇ ଗୋଡ଼େଇ ତାକୁ କାବୁ କରିଥିଲେ। ତା’ ନିକଟରୁ ଉକ୍ତ କଳା ବ୍ୟାଗ୍ଟିକୁ ଜବତ କରିବା ପରେ ସେଥିରୁ ୫ଟି ଓଜନିଆ ରୂପାଇଟା ବାହାରିଥିଲା।
ଉକ୍ତ ରୂପାଇଟାକୁ ଓଜନ କରାଯିବା ପରେ ତାହା ୧୫ କେଜି ୮୫୭ଗ୍ରାମ ଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ୬ ଲକ୍ଷ ଟଙ୍କାର ଅଧିକ ହେବ ବୋଲି ଆରପିଏଫ୍ ପକ୍ଷରୁ କୁହାଯାଇଛି। ଏତେ ପରିମାଣର ରୂପାଇଟାକୁ ଅଭିଯୁକ୍ତ ଅଶୋକ ତାଙ୍କ ଅଞ୍ଚଳର ଏକ ଜୁଏଲାରୀକୁ ନେଇ ଯାଉଥିବା ସଫେଇ ଦେଇଥିଲା। ହେଲେ ସେ ଏହାକୁ କେଉଁଠୁ ଓ କାହାଠାରୁ ଆଣିଲା ସେନେଇ କିଛି ଜବାବ କିମ୍ବା ପ୍ରମାଣ ଦେଖାଇ ପାରିନଥିଲା।