ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପ୍ରତ୍ୟାଶାଙ୍କୁ ରୌପ୍ୟ

ଭୁବନେଶ୍ବର : ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶାର ପ୍ରତ୍ୟାଶା ରାୟ ନିଜର ଚମକ ଜାରି ରଖିଛନ୍ତି। ଶୁକ୍ରବାର ୨ (୧ ସ୍ବର୍ଣ୍ଣ, ୧ ରୌପ୍ୟ) ପଦକ ଜିତିଥିବା ଓଡ଼ଶା ସନ୍ତରିକା ପ୍ରତ୍ୟାଶା ଶନିବାର ଆଉ ଏକ ରୌପ୍ୟ ଯୋଡ଼ିଛନ୍ତି। ଶନିବାର ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା (୨:୩୮.୭୫) ଦ୍ବିତୀୟ ସ୍ଥାନରେ ରହି ପ୍ରତିଯୋଗିତାରେ ବ୍ୟକ୍ତିଗତ ତୃତୀୟ ପଦକ କରାୟତ୍ତ କରିଥିଲେ। ଜୈନର ଶୃଙ୍ଗୀ ବନ୍ଦେକର (୨:୨୭.୬୫) ସ୍ବର୍ଣ୍ଣ ଏବଂ କାଲ୍‌କୁଟାର ଅନ୍ତରା ଦତ୍ତ (୨:୪୧.୫୬) କାଂସ୍ୟ ପାଇଥିଲେ।

ଏହି ରୌପ୍ୟ ସହ ଓଡ଼ିଶାର ପଦକ ସଂଖ୍ୟା ୫ (୨ ସ୍ବର୍ଣ୍ଣ, ୩ ରୌପ୍ୟ)କୁ ବଢ଼ିଛି। ପୂର୍ବରୁ କିଟ୍‌ ବିଶ୍ବବିଦ୍ୟାଳୟ ଗୋଟିଏ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲା। ମହିଳା ଫୁଟ୍‌ବଲ୍‌ରେ ଓଡ଼ିଶାର ସମ୍ବଲପୁର ବିଶ୍ବବିଦ୍ୟାଳୟ ୩-୧ ଗୋଲ୍‌ରେ ତାମିଲନାଡ଼ୁର ଭେଲ୍ସ ବିଶ୍ବବିଦ୍ୟାଳୟକୁ ହରାଇଥିଲା। ପୁରୁଷ ହକିରେ ଏହି ବିଶ୍ବବିଦ୍ୟାଳୟ ୧-୧ ଗୋଲ୍‌ରେ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ସହ ଅମୀମାଂସିତ ରଖିଥିଲା ବେଳେ ମହିଳା ହକିରେ ପଞ୍ଜାବର ଦ ମହାରାଜା ଭୂପୀନ୍ଦର ସିଂହ ସ୍ପୋର୍ଟ୍ସ ବିଶ୍ବବିଦ୍ୟାଳୟଠୁ ୧-୨ ଗୋଲ୍‌ରେ ହାରି ଯାଇଥିଲା।

ସମ୍ବନ୍ଧିତ ଖବର