ବାରିପଦା : ଆଉ ଦିନକ ପରେ ପର୍ୟ୍ୟଟକଙ୍କ ପାଇଁ ଖୋଲିବ ବିଶ୍ବପ୍ରସିଦ୍ଧ ଶିମିଳିପାଳ। ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ପର୍ଯ୍ୟଟନ ସହିତ ବିଭିନ୍ନ ଦୁଃସାହସିକ କ୍ରୀଡ଼ାର ମଜା ନେବେ ପର୍ଯ୍ୟଟକ। ସେହିପରି ସମ୍ପୂର୍ଣ୍ଣ ଶିମିଳିପାଳକୁ ନୋ ପ୍ଲାଷ୍ଟିକ୍ ଏବଂ ନୋ ପଲିଥିନ୍ ଜୋନ କରିବାକୁ ଯୋଜନା କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଏନେଇ ପ୍ରସ୍ତୁତି ମଧ୍ୟ ହୋଇଛି। ଏନେଇ ପଲିଥିନ୍ ବଦଳରେ ଶାଳପତ୍ରର ବହୁଳ ବ୍ୟବହାର କରାଯିବ। ସେହିପରି ପ୍ରାରମ୍ଭିକ ପର୍ଯ୍ୟାୟରେ ପର୍ଯ୍ୟଟକମାନେ ପ୍ଲାଷ୍ଟିକ୍ ପାଣିବୋତଲ ନେଇ ଭିତରକୁ ଯାଇପାରିବେ। ମାତ୍ର ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ୍ ପାଣିବୋତଲ ମଧ୍ୟ ବ୍ୟାନ୍ କରାଯିବ ବୋଲି ଆରସିସିଏଫ୍ ଯୋଗ ଜୟାନନ୍ଦ ସୂଚନା ଦେଇଛନ୍ତି। କାରଣ ଚଳିତ ବର୍ଷରୁ ପର୍ୟ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆଇଓ ଫିଲ୍ଟରରେ ପିଇବା ପାଣି ରଖାଯିବା ବ୍ୟବସ୍ଥା ହୋଇଛି। ସେହିପରି ବରେହିପାଣି ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ କାନୋପି ୱାକ୍ ଏବଂ ଟ୍ରି କୋର୍ସର ମଜା ନେଇପାରିବେ ପର୍ୟ୍ୟଟକ। ଉଭୟ ଶିଶୁ ଏବଂ ଆଡଲ୍ଟଙ୍କ ପାଇଁ ଗଛ ଚଢ଼ା (ଟ୍ରି କୋର୍ସ)ର ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ପାଇଁ ପ୍ରାୟ ୪-୬ ଫୁଟ୍ ଉଚ୍ଚାର ଗଛ ଚଢ଼ା ବ୍ୟବସ୍ଥା ହୋଇଥିବାବେଳେ ବୟସ୍କଙ୍କ ପାଇଁ ୧୨ଫୁଟ୍ରୁ ଅଧିକ ଗଛ ଚଢ଼ାର ବ୍ୟବସ୍ଥା ହୋଇଛି। ଗୁଡ଼ୁଗୁଡ଼ିଆରେ ମଧ୍ୟ ଏହି ଟ୍ରି କୋର୍ସର ବ୍ୟବସ୍ଥା ହୋଇଛି। ସେହିପରି ଜାମୁଆଣିରେ ରସି ଚଢ଼ାର ବ୍ୟବସ୍ଥା କରାଯାଇଛି। କୁମାରୀରେ କମାଣ୍ଡୋ ଟାୱାର୍ ବ୍ୟବସ୍ଥା ହୋଇଛି। ଯାହାକି ସମସ୍ତ ବର୍ଗଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ରାମତୀର୍ଥ, କୁମାରୀ, ଗୁଡ଼ୁଗୁଡ଼ିଆ, ବରେହିପାଣି ଓ ଜାମୁଆଣିରେ ମାଉଣ୍ଡେନ୍ ସାଇକ୍ଲିଂ ନିମନ୍ତେ ବ୍ୟବସ୍ଥା ହୋଇଛି। ଏଥିନିମନ୍ତେ ୫୦ଟି ସାଇକେଲ୍ କ୍ରୟ କରାଯାଇଛି। ତେବେ ଏନେଇ ସ୍ବତନ୍ତ୍ର ସତର୍କତାମୂଳକ ସର୍ତ୍ତ ରଖାଯାଇଥିବା ଆରସିସିଏଫ୍ ଶ୍ରୀ ଜୟାନନ୍ଦ ପ୍ରକାଶ କରିଛନ୍ତି। ସମସ୍ତ ୫ ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ ଶିଶୁମାନଙ୍କ ପାଇଁ ଖେଳିବା ସ୍ଥାନ, ହର୍ଡଲ୍ସ, ପର୍ୟ୍ୟଟକଙ୍କ ପାଇଁ ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ୍, କ୍ୟାରମ୍, ଚେସ୍, ଭଲିବଲ୍ ଭଳି ଇଣ୍ଡୋର୍ ଗେମ୍ର ବ୍ୟବସ୍ଥା ହୋଇଛି। ତେଣୁ ପର୍ୟ୍ୟଟନ ସହିତ କ୍ରୀଡ଼ା ଅନୁଭବ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିବା ଶ୍ରୀ ଜୟାନନ୍ଦ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟଯେ ନଭେମ୍ବର ପହିଲାରୁ ଦୈନିକ ସର୍ବାଧିକ ପ୍ରଥମେ ଆସିଥିବା ୩୫ଗୋଟି ଚାରି ଚକିଆ ଯାନ କାଳିଆଣି ତନଖି ଫାଟକ (ଯଶିପୁର) ମଧ୍ୟଦେଇ ଓ ପ୍ରଥମ ୨୫ଗୋଟି ଚାରିଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟଦେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ପର୍ୟ୍ୟଟକମାନେ କେବଳ ପିଠାବଟା ଏବଂ କାଳିଆଣି (ଯଶିପୁର) ଦେଇ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ କରିପାରିବେ।ଏଥି ନିମନ୍ତେ ପ୍ରବେଶ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଂଟରରୁ ସକାଳ ୬ରୁ ଦିନ ୯ଟା ପର୍ୟ୍ୟନ୍ତ ମିଳିବ।
ଦିନକ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ
ପର୍ଯ୍ୟଟନ ସହିତ ଦୁଃସାହସିକ କ୍ରୀଡ଼ାର ମଜା
/sambad/media/post_attachments/wp-content/uploads/2021/10/କମାଣ୍ଡୋ-କ୍ଲାଇମ୍ବିଙ୍ଗ୍_-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)