ଟାସ୍କଫୋର୍ସର ଦୁଇଜଣିଆ ସଦସ୍ୟଙ୍କ ଶିମିଳିପାଳ ଗସ୍ତ ଶେଷ

ସ୍ଥାନୀୟ ଅଧିବାସୀ ହେଉଛନ୍ତି ଜଙ୍ଗଲର ସୁରକ୍ଷା କବଚ: ଟାସ୍କଫୋର୍ସ 

ବାରିପଦା: ଶେଷ ହୋଇଛି ଟାସ୍କ ଫୋର୍ସର ଦୁଇ ଜଣିଆ ସଦସ୍ୟଙ୍କ ଶିମିଳିପାଳ ଗସ୍ତ। ଗତ ଦୁଇ ଦିନ ଧରି ପ୍ରତିନିଧି ଦଳର ସଦସ୍ୟ ଜୟକୃଷ୍ଣ ପାଣିଗ୍ରାହୀ ଓ ବିଜୟ କୁମାର ଅଗରୱାଲା ଶିମିଳିପାଳର ନିଆଁ ଲାଗିବାର କାରଣ ଓ ନିରାକରଣ ସଂପର୍କରେ ଅନୁଧ୍ୟାନ କରିଥିଲେ। ଗସ୍ତ ଶେଷ ପରେ ଶିମିଳିପାଳର ନିଆଁ ଆୟତ୍ତରେ ଥିବା ପ୍ରକାଶ କରିଛନ୍ତି ଦୁଇ ବରିଷ୍ଠ ସଦସ୍ୟ। ଏହି ଗସ୍ତ କାଳରେ ଦୁଇ ସଦସ୍ୟ ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କରିଥିଲେ। ସ୍ଥାନୀୟ ଅଧିବାସୀମାନେ ହିଁ ଜଙ୍ଗଲ ସୁରକ୍ଷାର କବଚ ବୋଲି ମତ ଦେଇଛନ୍ତି ଦୁଇ ସଦସ୍ୟ।

ଜଙ୍ଗଲର ସୁରକ୍ଷା ହିଁ ଜଙ୍ଗଲର ଉତ୍ପାଦନ କ୍ଷମତାକୁ ପରିବର୍ଦ୍ଧିତ କରିଥାଏ । ଏଣୁ ଜଙ୍ଗଲର ସୁରକ୍ଷା କାର୍ଯ୍ୟରେ ଜଙ୍ଗଲାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଏବଂ ବନାଞ୍ଚଳବାସୀଙ୍କୁ ସଂପୃକ୍ତ କରାଯାଇ ପାରିଲେ ସଫଳତା ହାସଲ କରିବା ସହଜ ହେବ ବୋଲି ଟାସ୍କ ଫୋର୍ସର ସଦସ୍ୟ ମତପୋଷଣ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ଅନେକ ଜଂଗଲରେ ନିଆଁ ଲାଗିବା ଘଟଣାଗୁଡିକୁ ନିୟନ୍ତ୍ରଣ ଓ ପୁନରାବୃତ୍ତିକୁ ରୋକିବା ସହିତ ଜଂଗଲ ସଂପଦର ସଂରକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରିବାରେ ସ୍ଥାନୀୟ ଅଧିବାସୀମାନଙ୍କ ସହଭାଗିତା ହିଁ ସମସ୍ୟା ସମାଧାନର ଏକମାତ୍ର ପନ୍ଥା । ଟାସ୍କ ଫୋର୍ସର ସଦସ୍ୟ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳର ବିଭିନ୍ନ ଅଂଚଳ ପରିଦର୍ଶନ କରିବା ଅବସରରେ ଜଂଗଲ ବିଭାଗର ବିଭିନ୍ନ ଅଧିକାରୀ, ବନ ସୁରକ୍ଷା ସମିତିର ସଦସ୍ୟ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ସ୍ଥାନୀୟ ଜନସାଧାରଣ ଓ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଟିମ୍ର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସମୟରେ ନିଆଁ ଲାଗିବାର କାରଣ, ନିରାକରଣ ଏବଂ ଜନସହଯୋଗ ଉପରେ ଆଲୋଚନା କରିଥିଲେ ।

ସ୍ଥାନୀୟ ଲୋକଙ୍କର ଜୀବନଜୀବିକା ନିମନ୍ତେ ଜଙ୍ଗଲ ଉପରେ ଥିବା ନିର୍ଭରଶୀଳତା ଏବଂ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ଜଂଗଲର ଭୂମିକା ସଂପର୍କରେ ସ୍ଥାନୀୟ ଅଧିବାସୀମାନେ ଯଥେଷ୍ଟ ସଚେତନ ଥିଲେ ମଧ୍ୟ କିଛି ବ୍ୟକ୍ତି ଅଜ୍ଞତା କାରଣରୁ ଅଥବା ନ୍ୟସ୍ତ ସ୍ୱାର୍ଥ ଦୃଷ୍ଟିରୁ ଜଂଗଲରେ ନିଆଁ ଲଗାଉଥିବାରେ ସଂଶ୍ଲିଷ୍ଟ ହୋଇଥାନ୍ତି ।

ଆଗାମୀ ଦିନରେ ଜଙ୍ଗଲ ସୁରକ୍ଷାରେ ସଚେତନତାର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ସମସ୍ତ ବର୍ଗର ସହାୟତାରେ ଜଙ୍ଗଲ ନିଆଁ ଘଟଣାକୁ ହ୍ରାସ କରିବାରେ ବିଭାଗ ସକ୍ଷମ ହେବ ବୋଲି ଟାସ୍କ ଫୋର୍ସ ସଦସ୍ୟ କୋଚିଲାଘାଟି, ପିଠାବଟା, ପଟାପୁଲିଆ, ଭଜାମ, ନିର୍ଗିଦା, କୁକୁରଭୁକା, ନଅଣା, ବରେହିପାଣି, ସାନଉସ୍କି, ବଡଉସ୍କି, ଜାମୁଆଣି, ତୁଳସୀବଣୀ, ଦୁରଦୁରା ଆଦି ଅଂଚଳ ବୁଲିବା ଅବସରରେ ଅନୁଭବ କରିଛନ୍ତି ।

ଦୁଇ ସଦସ୍ୟ ବାରିପଦା ସର୍କଲର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଏମ ଜୟ ଯୋଗାନନ୍ଦ, ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ, ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ଅଧିକାରୀ ସାଇ କିରଣ, ଏସିଏଫ ପ୍ରଦୀପ କୁମାର ଦେ ଓ ଏସିଏଫ ଅରୁଣ କୁମାର ବିଶ୍ୱାଳ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ ।

 

ସମ୍ବନ୍ଧିତ ଖବର