ନାଉଗାଁ: ନାଉଗାଁ ବ୍ଳକ ଦେବୀଦୋଳ ଠାରେ ବ୍ରିଟିସ୍‌ ଅମଳରେ ୧୯୦୯ ମସିହାରେ ସ୍ଥାପିତ ସବରେଜିଷ୍ଟ୍ରାର ମ୍ୟାରେଜ୍‌ ଅଫିସ ବା ଉପ ନିବନ୍ଧକ ଓ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟ ଏକ ସର୍ବ ପୁରାତନ କାର୍ଯ୍ୟାଳୟ। ଏହାର କୋଠାଟି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ଏଠାରେ ୬ ବର୍ଷ ହେଲା ସବ୍-ରେଜିଷ୍ଟ୍ରାର୍ ପଦବି ଖାଲିପଡିଛି। ନାଉଗାଁ ତହସିଲର ଅତିରିକ୍ତ ତହସିଲଦାର ଅତିରିକ୍ତ ଦାୟିତ୍ବ ନେଇଛନ୍ତି। ଫଳରେ ତାଙ୍କର ଉଭୟ କାର୍ଯ୍ୟାଳୟରେ ଜନସାଧାରଣଙ୍କ କାମ ପ୍ରଭାବିତ ହେଉଛି। ଏହି କାର୍ଯ୍ୟାଳୟ ଉପରେ ନାଉଗାଁ ବ୍ଳକର ୧୩୨ଟି ଗାଁ ଓ ୩ଟି ଜିଲ୍ଲା ଜଗତସିଂହପୁର, କଟକ, ପୁରୀର ଜନସାଧାରଣ ନିର୍ଭର କରିଥାନ୍ତି। ଜମି କିଣାବିକା ବିବାହ ପଞ୍ଜୀକରଣ, ଚୁକ୍ତି ରାଜିନାମା, ବନ୍ଧକ ରେଜିଷ୍ଟ୍ରେସନ ଓ ଟ୍ରଷ୍ଟ ପଞ୍ଜୀକରଣ ପାଇଁ ଏଠାରେ ଲୋକମାନେ ଭିଡ଼ ଜମାଇଥାନ୍ତି। ୨୦୧୭ରେ ପରେଶ ନାୟକଙ୍କ ବଦଳି ପରଠାରୁ ୬ ବର୍ଷ ହେଲା ସବରେଜିଷ୍ଟ୍ରାର ଅଫିସର ପଦବିଟି ଖାଲି ପଡିଛି। ନାଉଗାଁ ତହସିଲଦାର ଓ ଅକ୍ତିରିକ୍ତ ତସିଲିଦାର ଅସ୍ଥାୟୀ ଭାବେ ଏହି କାମ ଚଳାଇଥାନ୍ତି। କିନ୍ତୁ ନାଉଗାଁ ତହସିଲରେ କାମ ପଡିଲେ କିମ୍ବା ଜିଲ୍ଲା ମିଟିଙ୍ଗ୍ ଅଥବା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଲେ ଏହି କାର୍ଯ୍ୟାଳୟ ଫାଙ୍କା ପଡ଼ିଥାଏ। ଦୂରଦୂରାନ୍ତରୁ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଫେରିଥାନ୍ତି। ଉକ୍ତ କାର୍ଯ୍ୟାଳୟ ଉପରେ ନିର୍ଭରକରି ଜୀବିକା ନିର୍ବାହ କରୁଥିବା ମୋହରିଅର ଓକିଲ ପାଇଁ ଅଧିକ ସମସ୍ୟା ଦେଖା ଦେଇଛି।

Advertisment

ମତାମତ

ନାଉଗାଁ ବ୍ଲକର ସର୍ବପୁରାତନ ସବରେଜିଷ୍ଟ୍ରି କାର୍ଯ୍ୟାଳୟ ଦେବିଦୋଳରେ। ଜଗତସିଂହପୁର ବିଧାୟକ ଅଛନ୍ତି ସରକାରୀ ଦଳର ମୁଖ୍ୟସଚେତକ। କିନ୍ତୁ ବିଡମ୍ବନା ହେଲା ସରକାର ଏହାକୁ ଅଣଦେଖା କରିଆସିଛି। ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟ ତରଫରୁ ସରକାରଙ୍କୁ ଏନେଇ ଏକାଧିକ ଦାବିପତ୍ର ଦେଇଛୁ। ତୁରନ୍ତ ଏଠାରେ ସବ୍‌ରେଜିଷ୍ଟ୍ରାରଙ୍କୁ ନିଯୁକ୍ତି ଦିଆନଗଲେ ଆନ୍ଦୋଳନ କରିବୁ।
ଅନିଲ ମଲ୍ଲିକ୍ (ସଭାପତି ବହୁଜନ ଯୁବଛାତ୍ର ସାମୁଖ୍ୟ )

ଦେବିଦୋଳ ସ୍ଥିଥ ଏହି ଅଫିସରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦିଆନଯିବା ଦୁର୍ଭାଗ୍ୟଜନକ। ଜମିଜମା, ବିବାହ ପଞ୍ଜୀକରଣ କ୍ଷେତ୍ରରେଲାଗି ରହିଥିବା ଏହି ସମସ୍ୟାର କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।
ଜୀବନଜ୍ୟୋତି ଜେନା (ସଭାପତି ତ୍ରିଧାରା ସମ୍ମିଳନୀ ସଂଘ)

ଏଠାରେ ସ୍ଥାୟୀ ସବ୍‌ରେଜିଷ୍ଟ୍ରାର୍‌ ନଥିବାରୁ ଦୈନନ୍ଦିନ କାର୍ଯ୍ୟରେ ଓକିଲ ଓ ମୋହରିଅର ଅସୁବିଧାର ସମୁଖୀନ ହେଉଛନ୍ତି। ଏଠାରେ ସ୍ଥାୟୀ ଅଫିସର୍‌ଙ୍କୁ ନିଯୁକ୍ତି ଦବୋ ପାଇଁ ଜନସାଧାରଣ ଦାବି କରିଆସୁବାରୁ ସରକାର ତୁରନ୍ତ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ।
ସରୋଜ କୁମାର ଲେଙ୍କା (ସାଧାରଣ ସମ୍ପାଦକ ଗୋପବନ୍ଧୁ ଅଗ୍ରଗାମୀ ପରିଷଦ)