ରାୟଗଡ଼ା: ଗାୟିକା ପାଲଟିବେ ଅଭିନେତ୍ରୀ। ନୂଆ ଓଡ଼ିଆ ସିନେମା ପାଇଁ ମିଳିଛି ଅଫର୍। ଖୁବ୍ ଶୀଘ୍ର ସିନେମାର ସୁଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ରାୟଗଡ଼ାର ଝିଅ ତଥା କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ। ଓଡ଼ିଆ ସିନେମା ପ୍ରଯୋଜକ ରମେଶ ବାରିକ୍ ଓ ସଙ୍ଗୀତ ନିର୍ଦେଶକ ଅଭିଜିତ୍ ମଜୁମଦାର୍ ଅନୁରାଧାଙ୍କୁ ଆଜି ଅଫର୍ ଦେଇଥିବା ସୂଚନା ମିଳିଛି। ରାୟଗଡ଼ାରେ ଜନ୍ମିତ ଅନୁରାଧା ପିଲା ଦିନରୁ ହିଁ ସଙ୍ଗୀତ ସାଧନା ଜାରି ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ଓ ରାଜ୍ୟସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଅନୁରାଧା ଅଂଶଗ୍ରହଣ କରି ବହୁ କୃତିତ୍ବ ହାସଲ କରିଛନ୍ତି। ନିକଟରେ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଶେଷ ହୋଇଥିବା ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ଅନୁରାଧା। ବୟନିକା ପକ୍ଷରୁ ବିଭିନ୍ନ ଡିଜାଇନର ଶାଢ଼ିକୁ ମାର୍କେଟରେ ଲୋକପ୍ରିୟ କରିବାକୁ ଅନୁରାଧାକୁ ମଡେଲ୍ ଭାବେ ମଧ୍ୟ ଚୟନ କରିଛି। ବୟନିକାର ଫଟୋ ସୁଟ୍ ପରେ ଅନୁରାଧାଙ୍କ ଶାଢ଼ି ସୁଟ୍ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ବହୁ ଆଞ୍ଚଳିକ କ୍ଷୁଦ୍ର ସିନେମା, ଓଡ଼ିଆ ଆଲବମ୍, ଭଜନରେ ସୁପରହିଟ୍ ଗୀତ ଗାଇ ଅନୁରାଧା ପ୍ରଶଂସା ସାଉଁଟିଛନ୍ତି। ବିଶାଖାପାଟଣାର ଏକ ମେଡ଼ିକାଲ୍ କଲେଜର ଦନ୍ତ ବିଭାଗରେ ନାମ ଲେଖାଇଥିବା ଅନୁରାଧା ଭବିଷ୍ୟତରେ ଜଣେ ଦନ୍ତ ବିଶେଷଜ୍ଞ ହେବା ସହ ଆଗଧାଡ଼ିର ଗାୟିକା ଓ ଅଭିନେତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି। ଅନୁରାଧାଙ୍କୁ ଅଭିନେତ୍ରୀ ପାଇଁ ଅଫର୍ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସିନେମାର ନାମ ଘୋଷଣା ହୋଇ ନଥିବା ବେଳେ ଉକ୍ତ ସିନେମାରେ ଅନୁରାଧା ଅଭିନେତ୍ରୀ ଭୂମିକା ତୁଲାଇବା ସହ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ କାମ କରିବେ।