ଜୟପୁର: ଗତ ଦେଢ଼ ମାସ ହେବ ଜୟପୁର ତହସିଲର ସିଙ୍ଗଲୱିଣ୍ଡୋ ବ୍ୟବସ୍ଥା ବିଗଢ଼ି ଯାଇଛି। ସିଙ୍ଗଲୱିଣ୍ଡୋ ସିଷ୍ଠମର ୱେବସାଇଟ୍‌ ସଠିକ ଭାବେ କାମ କରୁନଥିବାରୁ ଛାତ୍ରଛାତ୍ରୀ, ସାଧାରଣ ଲୋକେ ବିଭିନ୍ନ ପ୍ରମାଣ ପତ୍ର ଠିକଣା ସମୟରେ ପାଇ ପାରୁନାହାଁନ୍ତି। ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦଉଡ଼ିବାକୁ ପଡ଼ୁଛି। ଗୋଟିଏ ଗୋଟିଏ ପ୍ରମାଣପତ୍ର ପାଇବା ପାଇଁ ମାସାଧିକ ସମୟ ଲାଗୁଛି ବୋଲି ଅଭିଯୋଗ ହୋଇଛି। ଏପରି ଦେବା ବଦଳରେ ପୂର୍ବରୁ ଯେଭଳି ମାନୁଆଲ୍ ପ୍ରମାଣପତ୍ର ଦିଆଯାଉଥିଲା ସେଭଳି ଦେବାକୁ ଆଇନଜୀବୀ ଓ ଆବେଦନକାରୀ ମାନେ ଦାବି କରିଛନ୍ତି। ତହସିଲ ଦ୍ବାରା ସ୍ବୀକୃତ ସହଜ ଜନସେବା

Advertisment

କେନ୍ଦ୍ର ମାଧ୍ୟମରେ ଆୟ, ଜାତି, ବାସ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଆବେଦନ କରାଯିବ। ସେଠାରୁ ନେଟ୍ ଜରିଆରେ ସିଙ୍ଗଲୱିଣ୍ଡୋକୁ ଆସିବ। ସିଙ୍ଗଲୱିଣ୍ଡୋରୁ ଏସବୁ ପ୍ରମାଣପତ୍ର ଦେବାକୁ ରହିଥିବା ଅଧିକାରୀଙ୍କ ନିକଟକୁ ଯାଂଚ ପାଇଁ ପଠାଯାଇଥାଏ। ସେଠାରୁ ଯାଂଚ ଆଦି ହୋଇ ଆସିବା ପରେ ପୁଣି ପ୍ରମାଣପତ୍ର ପ୍ରସ୍ତୁତ କରି ସାଇଟରେ ଅପଲୋଡ୍ କରାଯିବ। ତେବେ ଏହି ସାଇଟରେ ସମସ୍ୟା ରହିଥିବାରୁ ଏଭଳି ହେଉଥିବା ଏଠାରେ କାର୍ଯ୍ୟରତ କର୍ମଚାରୀ କହିଛନ୍ତି। ଗତ କିଛି ମାସ ହେବ ନୂଆ ଆପ୍ଲିକେସନ୍ ଆସିବା ପରେ ଏହି ସମସ୍ୟା ଦ୍ବିଗୁଣିତ ହୋଇଥିବା ସେ କହିଛନ୍ତି।

ଏହି ସମସ୍ୟାକୁ ନେଇ ଆଇନଜୀବୀ ମାନେ ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନଙ୍କର ବି ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ସମସ୍ୟା ପୂର୍ବରୁ ଲାଗି ରହିଥିଲା। ତେଣୁ କିଛି ଦିନ ସାଇଟ୍ ସମସ୍ୟା ରହିଥିବାରୁ ମାନୁଆଲ୍ ପ୍ରମାଣପତ୍ର ଦିଆଯାଇଥିଲା। ତେବେ ସାଇଟ୍  ସମସ୍ୟା ସୁଧୁରିଛି। ଏବଂ ଆବେଦନକାରୀଙ୍କୁ ତୁରନ୍ତ ପ୍ରମାଣପତ୍ର ଦେବା ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ। ତେବେ ପୂର୍ବ ସମସ୍ୟା ଠିକ ଭାବେ ସମାଧାନ ହୋଇ ନଥିବା ଏବଂ ସାଇଟ୍ ଦିନକର ‌ଘଣ୍ଟାକ ଖୋଲିଲେ ୫ଘଣ୍ଟା ବନ୍ଦ ରହୁଥିବା ଆଇନଜୀବୀ ଓ ଆବେଦନକାରୀ ମାନେ ଅଭିଯୋଗ କରିଛନ୍ତି। ଜୟପୁର ତହସିଲର କୋଣ ଅନୁକୋଣରୁ ବାରମ୍ବାର ପଇସା ଖର୍ଚ୍ଚ କରି ଆସୁଥିବା ବେଳେ ଧାର୍ଯ୍ୟ ସମୟରେ ମିଳୁନଥିବାରୁ ଅସନ୍ତୋଷ ଦେଖା‌ ଦେଇଛି। ସାଇଟ୍ ନ ଖୋଲିବା ସମୟରେ ମାନୁଆଲ୍ ପ୍ରମାଣପତ୍ର ଦେଲେ ଆବେଦନକାରୀ ଛାତ୍ରଛାତ୍ରୀ, ଚାଷୀ ଓ ଅନ୍ୟ ମାନେ ଉପକୃତ ହୋଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।