ଭାଇକୁ ରାଖୀ ବାନ୍ଧିବା ସ୍ୱପ୍ନ ଅଧୁରା ରହିଲା; ଗାଧେଇବାକୁ ଯାଇ ବୁଡ଼ିିଗଲା ଭଉଣୀ

ରାଇରଙ୍ଗପୁର: ରାଖୀ ପୂର୍ଣ୍ଣିମାରେ ରାଇରଙ୍ଗପୁରରେ ଅଘଟଣ। ଭାଇକୁ ରାଖୀ ବାନ୍ଧି ପାରିଲା ନାହିଁ ଭଉଣୀ,ଅଧୁରା ରହିଲା ସ୍ୱପ୍ନ,ଭାଇ ସହ ଗାଧେଇବାକୁ ଯାଇ ବୁଡିଗଲା ଭଉଣୀ । ଖଡଖାଇ ନଦୀରେ ଅକାଳରେ ଚାଲିଗଲା ଜୀବନ । କରୋନା କଟକଣା ଯୋଗୁଁ ବହୁ ପର୍ବ ପର୍ବାଣୀ ପାଳି ନଥିଲେ ସମସ୍ତେ । ତେବେ କରୋନା କଟକଣା ପରେ ପ୍ରଥମଥର ପାଇଁ ଗହ୍ମା ପୂର୍ଣ୍ଣିମା ପାଳନ କରିଥାନ୍ତେ,କିନ୍ତୁ ଘଟିଲା ଅଘଟଣ ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅର୍ନ୍ତଗତ କୁଡୁମଦା ଗ୍ରାମରେ । ରାଖୀ ପୂର୍ଣ୍ଣିମା ଅବସରରେ ମାଆ ମାୟାବତୀ ଟୁଡୁ ନିଜ ପୁଅ ଝିଅଙ୍କୁ ନେଇ ଖଡଖାଇ ନଦୀକୁ ଗାଧେଇବାକୁ ଯାଇଥିଲେ । ମାଆ ଗାଧେଇସାରି ଘରକୁ ଫେରିଥିବା ବେଳେ ଭଉଣୀ ସାଉଁରୀ ଟୁଡୁ ଓ ଭାଇ ଚିତ୍ତରଞ୍ଜନ ଟୁଡୁନଦୀରେ ଗାଧୋଉଥିଲେ ।

ମାଆ ଘରକୁ ପହଂଚିବା ପରେ ସାଉଁରୀ ନଦୀରେ ଖସି ପଡି ନିଖୋଜ ହୋଇଯାଇଥିବା ଖବର ପାଇ ନଦୀକୁ ଦୌଡି ଯାଇଥିଲେ ।ତେବେ ସେଠାରେ ଲୋକେ ସାଉଁରୀକୁ ମୃତ ଅବସ୍ଥାରେ ଉଦ୍ଧାର କରି ନଦୀ କୂଳରେ ରଖିଥିବା ଦେଖିବାକୁ ପାଇଥିଲେ ।

ସୂଚନା ଅନୁଯାୟୀ ଭାଇ ଭଉଣୀ ନଦୀରେ ଗାଧୋଉଥିବା ବେଳେ  ଭଉଣୀ ସାଉଁରୀର ଗୋଡ ଖସି ଯିବାରୁ ନଦୀ ଗର୍ଭରେ ବୁଡି ଯାଇଥିଲେ । ନାବାଳିକା ଭଉଣୀଙ୍କୁ ଭାଇ ବଞ୍ଚାଇବାକୁ ଚେଷ୍ଟା କରି ମଧ୍ୟ ବଞ୍ଚାଇ ନପାରି କାନ୍ଦି କାନ୍ଦି ଗ୍ରାମବାସୀଙ୍କୁ  ଡାକିଥିଲା । ଗ୍ରାମବାସୀ ନାବାଳିକାଙ୍କୁ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରିଥିଲେ । ନାବାଳିକା ଭଉଣୀ ଗାଧୋଇ ସାରି ଭାଇକୁ ରାଖୀ ବାନ୍ଧିବ ବୋଲି ଖୁସିଖୁସିରେ ଭାଇ ସହ ନଦୀକୁ ଗାଧେଇବାକୁ ଯାଇଥିଲା । ହେଲେ ବିଧିର ବିଧାନ ଅଲଗା ଥିଲା,ଭାଇକୁ ରାଖୀ ବାନ୍ଧିବା ପୂର୍ବରୁ ଭଉଣୀ ଭାଇକୁ ଛାଡି ଚାଲିଗଲା ଆରପାରିକୁ । ସାଉଁରୀ ଟୁଡୁର ମୃତ୍ୟୁ ଖବର ପାଇ ଗାଁରେ ଶୋକର ଛାୟା ଖେଳିଯାଇଛି । ଏନେଇ ବିଶୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର