ଖୁଦୁରୁକୁଣୀ ଓଷାରେ ନଦୀରେ ଗାଧୋଇବା ହେଲା କାଳ: ସାନ ଭଉଣୀଙ୍କୁ ଉଦ୍ଧାର କରିବାକୁ ଯାଇ ପାଣିରେ ଭାସିଗଲା ବଡ ଭଉଣୀ

ଦଶପଲ୍ଲା: ଭାଦ୍ରବ ମାସର ଶେଷ ଖୁଦୁରୁକୁଣୀ ଓଷାକୁ ନେଇ ଭୋରୁ ଉଠି ଆନନ୍ଦ ଉଲ୍ଲାସର ସହ ସାଜସଜ୍ଜା ଶେଷ ହୋଇଥିଲା। ନୂଆ ପୋଷାକ ପିନ୍ଧି ଭାଇଙ୍କ ଶୁଭ ମନାସି ସାଙ୍ଗ ସାଥିଙ୍କ ମେଳରେ ଓଷା କରିବା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ନଦୀରେ ଛକି ବସିଥିବା ମୃତ୍ୟୁର ଯନ୍ତାରେ ଫସି ପ୍ରାଣ ହାରାଇଛନ୍ତି ୧୩ ବର୍ଷର ନାବାଳିକା ଶ୍ରଦ୍ଧାଞଳୀ ମାଝି ଓରଫ ଖୁସୀ। ସାନ ଭଉଣୀକୁ ମରଣ ମୁହଁରୁ ଉଦ୍ଧାର କରିବାକୁ ଯାଇ ଶେଷରେ ମୃତ୍ୟୁର ଫାସରେ ଫଶି ପ୍ରାଣ ହରାଇଛନ୍ତି ବଡ ଭଉଣୀ।

ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଂଚାୟତର ବୁରୁସାହି (ଜଡାତଇଳା) ଗ୍ରାମରେ ଘଟିଛି।  ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ଗ୍ରାମର ୭ ଜଣ ଝିଅ ଗାଧୋଇ ପୂଜା କରିବା ପାଇଁ ବୃତଙ୍ଗ ନଦୀକୁ ଯାଇଥିଲେ। ଏହି ସମୟରେ ପ୍ରମୋଦ ମାଝିଙ୍କ ସାନ ଝିଅ ଆରତୀ (ଲୁସି) ନଦୀରେ ଗୋଡ ଖସି ଯିବାରୁ ଭାସି ଯାଇଥିବା ଦେଖି ତାକୁ ଉଦ୍ଧାର କରିବା ପାଇଁ ବଡ ଭଉଣୀ ଶ୍ରଦ୍ଧାଞଳୀ, ଜମୁନା ନାୟକ ଏବଂ ଜିତା ସାହୁ ଜଣଙ୍କ ପରେ ଜଣେ ପାଣିକୁ ଡିଆଁ ମାରିଥିଲେ।

ତେବେ ସମସ୍ତେ ଭାସି ଯାଉଥିବା ଦେଖି ସ୍ଥାନୀୟ ଜନସାଧାରଣ କିଛି ବାଟ ମଧ୍ୟରେ ଆରତୀ, ଜମୁନା ଓ ଜିତାଙ୍କୁ ଉଦ୍ଧାର କରିଥିବା ବେଳେ ଶ୍ରଦ୍ଧାଞଳୀଙ୍କ କୌଣସି ପତ୍ତା ମିଳି ନଥିଲା। ବୁରୁସାହି ଘାଟରୁ ପ୍ରାୟ ୩ କିମି ଭାସିଯିବା ପରେ ପେହେଲାଜୁ ଘାଟରୁ ସ୍ଥାନୀୟଲୋକେ ଏବଂ ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀମାନେ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ୧୦୮ ଯୋଗେ ଶ୍ରଦ୍ଧାଞଳୀଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ କରିଛନ୍ତି।

ଅନ୍ୟପାର୍ଶ୍ଵରେ ଆରତୀ ଓ ଜମୁନାଙ୍କୁ ଅଚେତ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇ ଚିକିତ୍ସା କରାଯାଉଛି। ଏସମ୍ପର୍କରେ ଦଶପଲ୍ଲା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଛାତ୍ରୀ ଜଣଙ୍କ ୮ମ ଶେଣୀରେ ପଢୁଥିବା ଜଣାପଡିଛି। ତେବେ ତୁରନ୍ତ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର