ଛିଡ଼ୁଛି ବଢ଼ିପାଣି: ଆକଳନକୁ ଅପେକ୍ଷା, ୨୦୧୪ ବଢ଼ି ପରେ ସବୁଠାରୁ ବଡ଼ ବନ୍ୟା

ଖୋର୍ଦ୍ଧା: ମହାନଦୀର ପଛୁଆ ପାଣି ଯୋଗୁଁ ମହାନଦୀର ନିମ୍ନ ଅବବାହିକାର ଶାଖା ନଦୀ ରାଜୁଆ, ଦୟା, ମଲାଗୁଣି ଓ ମକରା ନଦୀରେ ବଢ଼ି ସୃଷ୍ଟି ହୋଇଥିଲା। ୧୬ ତାରିଖରେ ପ୍ରଥମ ବଢ଼ିପାଣି ମାନପୁରରେ ପ୍ରବେଶ କରିଥିଲା, ରବିବାର  ଅପରାହ୍ନ ସୁଦ୍ଧା ବଢ଼ିପାଣି ଘେରରେ ୪୭ଟି ଗାଁ ରହିଛି। ବନ୍ୟା ପ୍ରଭାବିତ ଗାଁରୁ ବଢ଼ି ପାଣି ଧୀରେ ଧୀରେ ହ୍ରାସ ପାଉଥିବା ବେଳେ କ୍ଷତିଗ୍ରସ୍ତ ବିଶେଷତଃ ଚାଷୀମାନେ ଆକଳନ ପାଇଁ ଅପେକ୍ଷା କରି ରହିଛନ୍ତି। ଗତ ୧୬ ବର୍ଷର ବଢ଼ି ସ୍ଥିତିକୁ ଅନୁଶୀଳନ କଲେ, ୨୦୧୪-୧୫ ପରେ ଚଳିତବର୍ଷର ବଢ଼ିରେ ସର୍ବାଧିକ କ୍ଷତି ହୋଇଛି। ଯଦିଓ ଚଳିତ ବଢ଼ିରେ କୌଣସି ଜନଜୀବନ ହାନୀ ହୋଇ ନାହିଁ କିମ୍ବା ଘରଦ୍ୱାର ଧସେଇନାହିଁ, କିନ୍ତୁ ପ୍ରଭାବିତ ଗାଁ ଓ ଜନସଂଖ୍ୟା ଓ ଚାଷଜମିର ଆକଳନରେ ଏହା ୮ ବର୍ଷ ବ୍ୟବଧାନର ସର୍ବାଧିକ ବଢ଼ି ଅଟେ। ଜିଲ୍ଲା ଆପତକାଳୀନ ବିଭାଗ ପକ୍ଷରୁ ମିଳିଥିବା

ସୂଚନାନୁସାରେ, ୨୦୦୫-୦୬ ବର୍ଷରେ ଯେଉଁ ବଢ଼ି ହୋଇଥିଲା ସେଥିରେ ୧୯୩ଟି ଗାଁର ୫୬ହଜାର ୩୭୬ ପରିବାର ପ୍ରଭାବିତ ହୋଇଥିଲେ, ୧୦୭୫ଟି ଘର ଭାଙ୍ଗିଥିଲା। ୨୦୦୬-୦୭ରେ ଜିଲ୍ଲାର ୧୫୦୦ ଗାଁରୁ ୧୧୦୦ ଗାଁର ୧ଲକ୍ଷ ୩୧ ହଜାର ଲୋକ ପ୍ରଭାବିତ ହୋଇଥିଲେ, ୧୧୦୪ ଘର ଓ ୩ଜଣଙ୍କ ଜୀବନ ଯାଇଥିଲା। ୨୦୦୮-୦୯ରେ ୧୫୨ଟି ଗାଁର ୧୨ହଜାର ୨୧୯ ଜଣ ପ୍ରଭାବିତ ହୋଇଥିଲେ ୨୨୭୮ଟି ଘର ଓ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୦୯-୧୦ରେ ୧୧୬୬ଟି ଗାଁର ୧ଲକ୍ଷ ୩୮ହଜାର ଲୋକ ପ୍ରଭାବିତ ହୋଇଥିଲେ। ୩୪ଟି ଘର ଓ ୩୪ଟି ଗାଈଗୋରୁଙ୍କ ଜୀବନ ଯାଇଥିଲା। ୨୦୧୦-୧୧ରେ ୨୩୬ଟି ଗାଁର ୨୭ହଜାର ଲୋକ ପ୍ରଭାବିତ ହୋଇଥିଲେ ୬୩୫ଟି ଘର ଭାଙ୍ଗିଥିଲା ଜଣଙ୍କ ଜୀବନ ଯାଇଥିଲା।

୨୦୧୧-୧୨ରେ ୩୪୨ଟି ଗାଁର ୫୩୨୮ଜଣ ପ୍ରଭାବିତ ହୋଇଥିଲେ, ୨ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୩୯୦ଟି ଘର କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୨-୧୩ରେ ବାତ୍ୟା ଓ ପରବର୍ତୀ ବନ୍ୟାରେ ୧୬୫୨ଟି ଗାଁର ୨୨ଲକ୍ଷ ୪୬ହଜାର ଲୋକ ପ୍ରଭାବିତ ହୋଇଥିଲେ। ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୪ହଜାର ଘର ଭାଙ୍ଗିଥିଲା। ୨୦୧୪-୧୫ରେ ୪୦ଟି ଗାଁର ୨୧ହଜାର ୨୬୩ଜଣ ପ୍ରଭାବିତ ହୋଇଥିଲେ। ତେବେ ଚାଷଜମି କିମ୍ବା ଧନଜୀବନ ବିଶେଷ ପ୍ରଭାବିତ ହୋଇନଥିଲା। ଏହାପରେ ୨୦୧୮-୧୯ ଓ ୨୦୧୯-୨୦ରେ ବଢ଼ି ହୋଇଛି କିନ୍ତୁ ୪-୫ଟି ଗାଁ ପ୍ରଭାବିତ ହୋଇଥିବା ବେଳେ କିଛି ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା। ଏହି ତଥ୍ୟାନୁସାରେ, ବର୍ତମାନ ଘଟିଥିବା ବଢ଼ି ୨୦୧୪-୧୫ ପରେ, ୮ ବର୍ଷ ବ୍ୟବଧାନରେ ସବୁଠାରୁ ବଡ଼ ଧରଣର ବଢ଼ି ଅଟେ। ଚଳିତ ବନ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ପ୍ରଶାସନ ନିକଟରୁ ପ୍ରାପ୍ତ ତଥ୍ୟାନୁସାରେ, ବର୍ତମାନ ସୁଦ୍ଧା, ୫ଟି ବ୍ଲକର ୨୨ଟି ପଂଚାୟତର ୭୩ଟି ଗାଁର ୪୬୪୬୭ଜଣ ପ୍ରଭାବିତ ହୋଇଛନ୍ତି। ୧୮୦୧୭ଟି ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଥିବା ବେଳେ ୩ଟି ଛୋଟ ଆକାରର ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ଆକଳନରେ ୨୭୫୯ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର