କୋରାପୁଟ ଜିଲ୍ଲାରେ କୁପୋଷଣ ସ୍ଥିତିରେ ଆସୁଛି ସୁଧାର

କୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ କୁପୋଷଣ ରୋକିବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ଗ୍ରାମରେ ତୃଣମୂଳ ସ୍ତରର ମାଆ ମାନଙ୍କୁ ଖାଦ୍ୟପେୟ ସହ ଉପଯୁକ୍ତ ଚିକିତ୍ସା ନିମନ୍ତେ ତାଲିମ ଓ ପରାମର୍ଶ ଦିଆଯାଉଛି। ଫଳରେ କୁପୋଷଣର ମାତ୍ରା ବେଶ କମୁଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ସବୁବେଳେ ଏଠାକାର କଳା ସଂସ୍କୃତି ନିମନ୍ତେ ପରିଚିତ ହୋଇ ଆସିଛି। କିନ୍ତୁ ଏଠାକାର କୁପୋଷଣ ଜନିତ ଶିଶୁମୃତ୍ୟୁ ଏବଂ ପ୍ରସବ ସମସ୍ୟା ଜନିତ ମାତୃ ମୃତ୍ୟୁ ହାର ପ୍ରତିଶତ ଢେର ଅଧିକ ରହିଆସୁଥିଲା। ଏଥିନିମନ୍ତେ ସରକାର ଯୋଜନା ମାନ ପ୍ରସ୍ତୁତ କରି ତୃଣମୂଳ ସ୍ତରରୁ କାର୍ଯ୍ୟକାରୀ କରିବାକୁ ଲାଗିଲେ। ଫଳରେ ଆଶା ଏବଂ ଅଙ୍ଗନବାଡିକର୍ମୀ ମାନେ ଗାଁ ଗାଁରେ ନବଜାତ ଶିଶୁ, ବଢ଼ିଲା ଶିଶୁ ଏବଂ ମା ମାନଙ୍କୁ ଖାଦ୍ୟଭ୍ୟାସ ଓ ସ୍ୱାସ୍ଥ୍ୟ ସଚେତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏହାଛଡା ୟୁନିସେଫ ଓ ସାମାଜିକ ସଂଗଠନ ସିନି ତରଫରୁ କାର୍ଯ୍ୟକାରୀ  ହେଉଥିବା ଅତିଶୟ ପୁଷ୍ଟିହୀନତା ପରିଚାଳନା ଏବଂ ନବଜାତ ଓ ବଢ଼ିଲା ଶିଶୁର ଉପଯୁକ୍ତ ଖାଦ୍ୟ ଅଭ୍ୟାସ ସମ୍ପର୍କିତ ଦୁଇଟି କାର୍ଯ୍ୟକ୍ରମ ବେଶ ସଫଳ ହୋଇଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ନେଇ ବାଗରାଗୁଡା ଗ୍ରାମର ଦମାଇ ଖରା ନିଜର ୨ ବର୍ଷର ଶିଶୁକୁ କୁପୋଷଣରୁ ମୁକ୍ତ କରି ପାରିଥିବା କହିଛନ୍ତି। ସେହିଭଳି ପଦ୍ମପୁର ଗ୍ରାମର ସରିତା ସିଂହ ୩ଟି ଶିଶୁର ମାଆ ହୋଇଥିବା ବେଳେ ଆଶା, ଅଙ୍ଗନୱାଡ଼ି ଓ ଏଏନଏମଙ୍କ ପରାମର୍ଶ ମାନିବା ସହ ନିଜ ଶିଶୁ ମାନଙ୍କୁ ଠିକ ଭାବେ ଖୁଆଇ ଅପୁଷ୍ଟିରୁ ଦୂରେଇ ରଖି ପାରିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ କୁପୋଷଣ ହାର ବେଶ ଅଧିକ ରହିଥିଲା। ଏଥିନେଇ ଜିଲ୍ଲାର କୋଣ ଅନୁକୋଣରେ କିଭଳି ଶିଶୁ ଏବଂ ମାତୃ ମୃତ୍ୟୁହାର କମିବ ସେଥିନେଇ ଉଦ୍ୟମ ଜାରି ରହିଛି। ପ୍ରସୂତି ମାଆ ମାନେ କିପରି ପୁଷ୍ଟିକର ଖାଦ୍ୟ ଖାଇବେ, ଶିଶୁ ସ୍ତନ୍ୟପାନ ଓ ବୟସ ଆନୁଯାଇ ଶିଶୁଙ୍କ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ମାଣ୍ଡିଆ, ସୁଆଁର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଏନଏମ ପ୍ରତ୍ୟକ ମାସର ୨ଟି ଗୁରୁବାର ଦିନ ମାମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କୁପୋଷଣଗ୍ରସ୍ତ ଶିଶୁଙ୍କୁ ପୁଷ୍ଟି ସାଧନ କେନ୍ଦ୍ରକୁ ନେଉଥିବା ଶିଶୁ ମଙ୍ଗଳ ଅଧିକାରୀ ପ୍ରଭାତୀ ରାଣୀ ତ୍ରିପାଠୀ।

ସମ୍ବନ୍ଧିତ ଖବର