ତେନ୍ତୁଳିଖୁଣ୍ଟି :ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠରୁ ଶିବ ଲିଙ୍ଗ ଚୋରି ହୋଇଥୁବା ଦେଖିବାକୁ ମିଳିଛି | ଗତକାଲି ରାତ୍ରରେ କୌଣସି ଦୁର୍ବୁର୍ତ୍ତ ପଥର ଗୁମ୍ଫା ମଧ୍ୟରେ ଆବିର୍ଭାବ ହୋଇଥିବା ଶିବ ଲିଙ୍ଗକୁ ଚୋରି କରି ନେଇଥିବା ଜଣାପଡିଛି | ଦୁର୍ବୁର୍ତ୍ତମାନେ ପ୍ରାୟ ଦୁଇ ଫୁଟ ଖୋଳି ଲିଙ୍ଗ ଚୋରି କରି ନେଇଥିବାବେଳେ ଏହାକୁ ନେଇ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ସୂଚନା ଅନୁଯାୟୀ ଦୀର୍ଘ ୧୨ ବର୍ଷ ପୂର୍ବେ ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ଗ୍ରାମ ନିକଟସ୍ଥ ତଥା ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ପଥର ଗୁମ୍ଫା ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ହୋଇଥିଲେ |

Advertisment

ଏହାପରେ ଏହା ଘୁମରେଶ୍ବର ଶୈବ ପୀଠ ନାମରେ ନାମିତ ହୋଇଥିଲା | ପ୍ରାକୃତିକ ପରିବେଶ ସାଙ୍ଗକୁ ବଣ ପାହାଡ଼ ଘେରା ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ପରେ ଏହି ସ୍ଥାନ ପ୍ରସିଦ୍ଧ ଶୈବ ପୀଠ ଭାବରେ ବେଶ ପରିଚିତ ହୋଇଥିଲା | ଏହି ଶୈବ ପୀଠର ବିକାଶ ପାଇଁ ସରକାରୀ ସ୍ତରରୁ ଅନେକ କାର୍ଯ୍ୟ ହୋଇଛି | ନବରଙ୍ଗପୁର ଜିଲ୍ଲାପାଳ ବାରମ୍ବାର ଏହି ପୀଠକୁ ବୁଲି ଆସି ପ୍ରସିଦ୍ଧ ଶୈବ ପୀଠର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି | ଏହି ସ୍ଥାନକୁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ |

ତେବେ ଶିବ ଲିଙ୍ଗ ଚୋରି ହେବାପରେ ଭକ୍ତ ତଥା ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି | ଲିଙ୍ଗ ଚୋରି କରିଥିବା ଦୁର୍ବୁତ୍ତମାନଙ୍କ ସନ୍ଧାନ ସହ ଶିବ ଲିଙ୍ଗର ପୁନଃଉଦ୍ଧାର ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ନିମନ୍ତେ ଜୟ ତେନ୍ତୁଳିଖୁଣ୍ଟି ମାନଵ ସେବା ଗ୍ରୁପ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି |