ଚାକିରି ଲୋଭ ଦେଖାଇ ଠକିଥିଲେ ଟଙ୍କା, ଗିରଫ ହେଲେ ୬ ଅଭିଯୁକ୍ତ

ସଫ୍ଟୱେର କମ୍ପାନିରେ ଚାକିରି ନାଁରେ ଠକେଇ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଚାକିରି ଦେବା ଆଳରେ ଟଙ୍କା ଠକେଇ ଅଭିଯୋଗରେ ୬ ଜଣ ଯୁବକଙ୍କୁ ସ୍ଥାନୀୟ ଟାଉନ୍‌ ଥାନା ପୁଲିସ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବିହାରର ମନୀଷ ଯାଦବ ଓ ପୁରୀର ସୌମ୍ୟରଞ୍ଜନ ନାଏକଙ୍କୁ ଚାକିରି ଦେବା ନିମନ୍ତେ ଗ୍ଲେଜ୍‌ ଟ୍ରେଡିଙ୍ଗ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର କାଳିନ୍ଦୀ ଚରଣ ଗହଣା ଡକାଇଥିଲେ। ସେମାନଙ୍କୁ ଏକ ସଫ୍ଟୱେର କମ୍ପାନିରେ ରିପୋର୍ଟିଂ ସର୍ଭିସ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲା। ଚାକିରି ପାଇଁ ୨୨ ହଜାର ଟଙ୍କା ଜମା କରିଥିଲେ। ଭବାନୀପାଟଣା ଆସିବା ପରେ ମନୀଷ ଓ ସୌମ୍ୟଙ୍କୁ ପିରାମିଡାଲ ନେଟ୍‌ୱାର୍କିଂରେ ପଞ୍ଜି ସ୍କିମ୍‌ ଓ ଚେନ୍‌ ନେଟୱାର୍କିଂ ବ୍ୟବସାୟ କରିବାକୁ କହିଥିଲେ। ସେମାନେ ଏହି କାମ କରିବାକୁ ମନା କରିବାରୁ ସ୍ଥାନୀୟ ତାରିଣୀ ମନ୍ଦିର ନିକଟ ଏକ ହଷ୍ଟେଲରେ ୧୦ ଦିନରୁ ଅଧିକ ସମୟ କୋଠରିରେ ବନ୍ଦ କରି ରଖିଥିଲେ। କୌଶଳକ୍ରମେ ସେଠାରୁ ଖସି ଆସି ଭବାନୀପାଟଣା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଆଇଆଇସି ପ୍ରଦୀପ ଧରୁଆ ଏନେଇ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ କରିଥିଲେ।

ଏହି ଘଟଣାରେ ପୁଲିସ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନିକଟସ୍ଥ ବିଶ୍ବ ଗ୍ରାମର ରଞ୍ଜିତ ଜେନା (୨୯), ଅନୁଗୁଳ ଜିଲ୍ଲା ବହରପାଲ ନିକଟସ୍ଥ ନୂଆପାଲ ଗ୍ରାମର ଦୁଷ୍ମନ୍ତ ଜେନା (୨୨), ଢେଙ୍କାନାଳ ଜିଲ୍ଲା ହିନ୍ଦୋଲ ଥାନା ନୂଆକୋଟ ଗ୍ରାମର ବଳଦେବ ବେହେରା (୨୩), ଭଦ୍ରକ ଜିଲ୍ଲା ବନିଟିଆ ଥାନା  ଜୟରାମପୁର ଗ୍ରାମର କାଳିନ୍ଦୀ ଚରଣ ଗହଣା (୨୬), ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବଣ୍ଡାଲୋ ଗ୍ରାମର ହରେକୃଷ୍ଣ ରାଉତ (୨୪) ଓ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଲପଡ଼ା ଥାନା ଇଟାକଣ୍ଡିଆ ଗ୍ରାମର ପ୍ରଦୀପ ପଣ୍ଡା (୨୭)କୁ କୋର୍ଟଚାଲାଣ କରିଛି। ସେମାନଙ୍କ ଠାରୁ ୪୪ ହଜାର ଟଙ୍କା, ୨ଟି ନୋଟ୍‌ ବହି ଓ ଗ୍ଲେସ୍‌ ଟ୍ରେଡିଙ୍ଗ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ଜବତ କରାଯାଇଛି ବୋଲି କଳାହାଣ୍ଡି ପୁଲିସ ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର