ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୬ ଗିରଫ  

ଚେର ଲମ୍ବିଛି ଝାଡ଼ଖଣ୍ଡରୁ ଅରୁଣାଚଳ ପ୍ରଦେଶ, ରାକେଟ୍‌ରେ ସାମିଲ ଏକାଧିକ ବେପାରୀ

ରାଉରକେଲା: ସହରରେ ଦିନକ ଦିନ ବଢ଼ି ଚାଲିଛି ନକଲି ବିଦେଶୀ ମଦ କାରବାର। ଏହି ବେଆଇନ କାରବାର ସାମିଲ ଅଛନ୍ତି କିଛି ଚୋରା ମଦବେପାରୀ। କମ୍‌ ଦାମରେ କିଣି ମୋଟା ଅଙ୍କର ମୁନାଫା କମାଉଛନ୍ତି। ଏମାନଙ୍କ ଚେର ଲମ୍ବିଛି ଝାଡ଼ଖଣ୍ଡରୁ ଅରୁଣାଚଳ ପ୍ରଦେଶ। ନିକଟରେ ଏମିତି କିଛି ନକଲି ବିଦେଶ ମଦ ‌ବ୍ୟବସାୟୀଙ୍କୁ ଅବକାରୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଥାପି ସହରରେ ରୋରା ନକଲି ବିଦେଶୀ ମଦ କାରବାର ଉପରେ ଅଙ୍କୁଶ ଲାଗି ପାରୁନି।

ସମ୍ବଲପୁର ଗୁଇନ୍ଦା ବିଭାଗ, ରାଉରକେଲା ଓ ପାନପୋଷ ଅବକାରୀ ବିଭାଗ ମିଳିତ ଚଢ଼ଉକରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ସହ ଦେଶୀ ମଦ ଜବତ କରିଛନ୍ତି। ଏହି କାରବାରରେ ସମ୍ପୃକ୍ତ ଢ଼ାବା ମାଲିକ ସମେତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାନପୋକଷ ଛକ ଢ଼ାବା ମାଲିକ ସଞ୍ଜୟ ସାହୁ, ମହେଶ ସାହୁ, ଛେଣ୍ଡ କଲୋନିର ଲାଟେନ୍‌ ଓରାମ, ଜଲଦା ବି ବ୍ଲକର ସୁବାସ ସିଂହ, ଗଙ୍ଗାଧରପାଲୀର ଝୁଲଣ ପଣ୍ଡିତ, ନୂଆ ବସଷ୍ଟାଣ୍ଡର ରାଜୁ ମିଞ୍ଜ। ସମସ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି । ସଞ୍ଜୟ ଠାରୁ ୭୫୦ ମିଲି ଲିଟରର ୩୯ ବୋତଲ ନକଲି ବିଦେଶୀ ମଦ, ମହେଶ ଠାରୁ ୨୪ ବୋତଲ ଜବତ କରାଯାଇଛି।

ଲାଟେନ୍‌ ନିକଟରୁ ୧୨ ଲିଟର ଦେଶୀ, ସୁବାସ ନିକଟରୁ ୫୦ଲିଟର, ଗଙ୍ଗାଧରପାଲୀ ଢ଼ାବା ମାଲିକ ଝୁଲଣ ନିକଟରୁ ୩୦ ପାଉଚ ଭାଟି ମଦ, ୧୩ ବୋତଲ ବିଅର, ୧୫ ବୋତଲ ବିଦେଶୀ ମଦ, ରାଜୁ ଠାରୁ ୩୫ ପାଉଚ ମଦ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ଲକ୍‌ଡାଉନ୍‌ରେ ଅବକାରୀ ପୁଲିସ, ବ୍ରାହ୍ମଣୀତରଣ, ବନ୍ଧମୁଣ୍ଡାପୁଲିସ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିଥିଲା। ଏସବୁ ମଦ ଟ୍ରକ ଯୋଗେ ଅରୁଣାଚଳ ପ୍ରଦେଶରୁ ଝାଡ଼ଖଣ୍ଡଦେଇ ରାଉରକେଲା ସହରକୁ ଆସୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର