ଖଣି କର୍ମଚାରୀଙ୍କ ଅସାଧୁ କାମ: ଚୋରି କୋଇଲା ଟ୍ରକ୍ ଜବତ, ୬ ଗିରଫ 

ଇବ୍‌ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ଲଖନପୁର କୋଇଲାକ୍ଷେତ୍ର ଅଞ୍ଚଳରୁ ଅସାଧୁ ଉପାୟରେ କୋଇଲା ମାଫିଆଙ୍କ ଦ୍ବାରା କୋଇଲା ଚୋରି ଏକ ସାଧାରଣ ଘଟଣା ପଲଟିଛି। କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଖଣି କର୍ମଚାରୀ ତଥା ଅସାଧୁ ଅଧିକାରୀଙ୍କୁ ହାତକରି କୋଇଲା ଚୋରି ଚାଲିଥିଲେ ମଧ୍ୟ କର୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ଏପରି ଏକ ଘଟଣାର ରହସ୍ୟ ଉନ୍ମୋଚନ କରିଛି ଲଖନପୁର ପୁଲିସ। କୋଇଲା ଖଣି କାଗଜପତ୍ର ତିଆରି କରି ଗନ୍ତବ୍ୟସ୍ଥଳକୁ କୋଇଲା ପରିବହନ ନକରି ଇଟାଭାଟିରେ କୋଇଲା ଚୋରାରେ ବିକ୍ରି କରିଥିବା ଅଭିଯୋଗ ପାଇ ପୁଲିସ ଚଢ଼ଉ କରିବା ପରେ ସମସ୍ତ ତଥ୍ୟ ଜଣାପଡ଼ିଛି। ବିଡ଼ମ୍ବନାର ବିଷୟ ଯେ ଏଥିରେ କୋଇଲାଖଣିରେ କାମ କରୁଥିବା ଲୋଡିଂ ଅପରେଟର୍ ଓ ସୁରକ୍ଷାକର୍ମୀ ମଧ୍ୟ ସାମିଲ ଥିବା ପୁଲିସ ତଦନ୍ତରୁ ଜଣାପଡିଛି।

ସୂଚନା ଅନୁଯାୟୀ ୮ ତାରିଖ ଦିନ ଟ୍ରକ୍ଓ (ଆର୍-୨୩ ବି-୮୬୩୪) ଏବଂ (ଓଆର୍-୦୯କ୍ୟୁ-୯୨୨୧) ଲଖନପୁର ଖୋଲାମୁହଁରୁ କୋଇଲା ପରିବହନ ସକାଶେ ସମସ୍ତ କାଗଜପତ୍ର କରି ଖଣି ଅଞ୍ଚଳରୁ କୋଇଲା ପରିବହନ କରିବାପରେ ଖଣିରୁ ଗନ୍ତବ୍ୟ ସ୍ଥଳକୁ ନଯାଇ ଏକ ଇଟାଭାଟିରେ ଦଲାଲ ସହାୟତାରେ ବିକ୍ରି କରିଥିଲେ। ପରଦିନ ମଧ୍ୟ ସମାନ ଦୁଇଟି ଟ୍ରକ୍ କୋଇଲା ଲୋଡିଂ ସକାଶେ ଲଖନପୁର କୋଇଲାଖଣି ଗେଟ୍ ଯାଇ ଆଉ କାଗଜପତ୍ର ନକରି ଛିଡା ହୋଇ ରହିଥିଲେ। ପରେ କୋଇଲା ମାଫିଆ ସୁରକ୍ଷାକର୍ମୀଙ୍କ ସହ କଥାବାର୍ତ୍ତା ହେଇ ସବୁକିଛି ସଲାସୁତୁରା କରିବା ପରେ ବିନା ଏଣ୍ଟ୍ରି କରାଇ ୯ ତାରିଖ ସନ୍ଧ୍ୟା ସମୟରେ ଟ୍ରକ୍‌ ଦୁଇଟି ସେମିତି ମାଇନସର ଲୋଡିଂ ପଏଣ୍ଟକୁ ଯାଇଥିଲେ। ସେଠାରେ ସିକ୍ୟୁରିଟି ସ୍ଲିପ୍ ଜାଲିଆତି କରି ଲୋଡିଂ ଅପରେଟର୍‌କୁ ହାତକରି କୋଇଲା ଲୋଡ୍‌ କରିଥିଲେ। ବାହାରିବା ସମୟରେ କୋଇଲା ମାଫିଆ ସୁରକ୍ଷାକର୍ମୀଙ୍କୁ ହାତକରି ଟ୍ରକ୍ ଦ୍ବୟକୁ ରାତି ୧୦ ଟାରେ ମାଇନସ୍ ଭିତରୁ ବାହର କରିବାରେ ସଫଳ ହୋଇଥିଲେ। ୮ ତାରିଖ ଯେଉଁ କାଗଜପତ୍ର କରାଯାଇଥିଲା ତାରି ଆଧାରରେ ଟ୍ରକ ଦ୍ବୟକୁ ଦ୍ବିତୀୟ ଥର ପରିବହନରେ ପଠାଯାଇଥିଲା। ହେଲେ ଲଖନପୁର ପୁଲିସ କୌଣସି ସୂତ୍ରରୁ ଖବରପାଇ ଗାଡି ଦୁଇଟିକୁ ଜବତ କରି ଡ୍ରାଇଭର ଦୁଇଜଣଙ୍କୁ ଗିରଫ୍ କରିବାରେ ସଫଳ ହୋଇଥିଲା। ପରେ ୧୦ ତାରିଖ ଦିନ ଗାଡ଼ି ମାଲିକ ସମେତ ଏମସିଏଲ୍ ସୁରକ୍ଷା କର୍ମୀ ଓ ଲୋଡିଂ ଅପରେଟରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ଗିରଫ ବ୍ୟକ୍ତିମାନେ ହେଲେ ଟ୍ରକ୍ ମାଲିକ ବେଲପାହାଡ଼ ଥାନା ଅନ୍ତର୍ଗତ ସଦାକ୍ ତୁଲ୍ଲା ଓରଫ୍ ବାବୁ(୨୮), ଟ୍ରକ୍‌ ମାଲିକ ତଥା ବେଲପାହାଡ଼ ଥାନା ଅନ୍ତର୍ଗତ ସୁଶାନ୍ତ ପ୍ରସାଦ ଭୁଏ (୩୫), ଲୋଡିଂ ଅପରେଟର୍ ଅଶୋକ କୁମାର ସାହୁ (୩୨), ସୁରକ୍ଷା କର୍ମୀ ମହେଶ କୁମାର ଭୋଇ(୨୫), ଟ୍ରକ୍ ଡ୍ରାଇଭର୍‌ ଅଜିତ୍ କୁମାର ଯାଦବ (୧୯), ଟ୍ରକ୍ ଡ୍ରାଇଭର ଚନ୍ଦନ କୁମାର ଯାଦବ୍(୨୫)। ଏମାନଙ୍କୁ ସମସ୍ତଙ୍କୁ ଆଜି ଲଖନପୁର ଥାନା କେସ୍ ନମ୍ବର ୨୩୨ ଅନ୍ତର୍ଗତ ଧାରା ୧୨୦-ବି, ୩୭୯, ୪୧୧, ୪୨୦, ୪୬୮, ୪୭୧ ଆଇପିସିରେ କୋର୍ଟ ଚାଲାଣ କରାଯାଇଛି। ଜବତ ଟ୍ରକ୍ ସମେତ ପ୍ରାୟ ୫୧ ଟନ୍ କୋଇଲା ଜବତ  ହୋଇଥିବା ଓ ଏହିପରି କଳାକାରନାମା ଆଗରୁ ଚାଲିଥିବା ଲଖନପୁର ଆଇଆଇସି ପବିତ୍ର କିଶାନଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର