ଫୁଲବାଣୀ: ଜୁଆ ଖେଳ ଚାଲିଥିବା ବେଳେ ପୁଲିସ ଚଢାଉ କଲା। ଜୁଆଡି ସଂଘବନ୍ଧ ହୋଇ ପୁଲିସକୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ବାକି ଗିରଫ ଭୟରେ ଗାଁ ଛାଡି ଗ୍ରାମବାସୀ ଅନ୍ୟତ୍ର ପଳାଇ ଯାଇଛନ୍ତି। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମେରାମାହା ଗାଁରେ ଏହି ଘଟଣା ଗତକାଲି ରାତିରେ ଘଟିଛି। ଗଜଲକ୍ଷ୍ମୀ ପୂଜାରେ ମେରାମାହା ଗାଁରେ ଜୁଆଖେଳ ଚାଲିଥିଲା। ଖବର ପାଇଁ ଥାନାଧିକାରୀ ରଂଜିତ କୁମାର ମୁନି ସଦଳବଳେ ସାଧା ପୋଷାକରେ ସେଠାରେ ପହଞ୍ଚିଥିଲେ। ତାପରେ ଜୁଆ ଖେଳୁଥିବା ଜୁଆଡିମାନେ ସଂଘବନ୍ଧ ହୋଇ ଥାନାଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନିର୍ଧୁମ ମାଡ ମାରି ଥିଲେ। ତାପରେ ପୁଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ। ଜୀବନ ଭୟରେ ସେଠାରୁ ପୁଲିସ ପଳାଇ ଯାଇଥିଲା। ତାପରେ କିଛି ସମୟରେ ପରେ ପୁଲିସ ଟିମ ପହଞ୍ଚି ଗାଁରେ ପହଞ୍ଚି ତନାଘନା କରିଥିଲା। ୬ ଜଣ ଗ୍ରାମବାସୀଙ୍କୁ ପୁଲିସ ଉଠାଇ ନେଇଥିଲା। ଗିରଫ ଭୟରେ ଗ୍ରାମବାସୀ ଗାଁ ଛାଡି ବାହାରକୁ ପଳାଇ ଯାଇଥିଲେ। ଏବେ ବି ପୁଲିସ ଗାଁରେ ପଇଁତରା ମାରୁଛି।
ଜୁଆଡିଙ୍କ ଆକ୍ରମଣରେ ଥାନାଧିକାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଆଖିରେ ପ୍ରବଳ ଆଘାତ ଲାଗିଛି। ଏଥି ସହ ୩ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି। ପୁଲିସ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ହେଲେ ନିରୀହ ଗ୍ରାମବାସୀଙ୍କ ଉପରେ ପୁଲିସ ଜୁଲମ ନ କରୁ ବୋଲି ମତ ପ୍ରକାଶ ପାଇଛି। ସଂପ୍ରତି ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବାରୁ ପାରମ୍ପରିକ ଖେଳ କହି କନ୍ଧମାଳରେ ବହୁ ସ୍ଥାନରେ ଜୁଆଖେଳ ଆସର ଜମୁଛି। ଜୁଆଖେଳକୁ ବନ୍ଦ କରିବା ନିମନ୍ତେ ପୁଲିସ ପକ୍ଷରୁ ଆହୁରି ଅଧିକ ତନାଘନା ହେବା ଜରୁରୀ ହୋଇ ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/plbnov1-brahmanigaon-ps.jpg)