କୋରାପୁଟରେ ୬ ଗିରଫ, ପିସ୍ତଲ ଓ ମାରଣାସ୍ତ୍ର ଜବତ, ୮୦ ହଜାର ଟଙ୍କା ଓ ୭୯ ଗ୍ରାମ ସୁନା ଜବତ

କୋରାପୁଟ: ସହରର ବିଭିନ୍ନ ସ୍ଥାନରୁ କ୍ରମାଗତ ଚୋରି କରୁଥିବା ଏକ ଚୋର ଦଳ କୋରାପୁଟ ପୁଲିସ ହାତରେ ଧରା ପଡିଛନ୍ତି। ଏହି ଦଳର ୬ ଜଣ ଚୋରଙ୍କୁ ପୁଲିସ ଗିରଫ କରିଥିଲାବେଳେ ସେମାନଙ୍କ ପାଖରୁ ଏକ ପିସ୍ତଲ ସହ ବହୁ ମାରଣାସ୍ତ ଜବତ କରାଯାଇଛି। ଗିରଫ ଯୁବକମାନେ ହେଲେ କାର୍ତ୍ତିକ ଖିଲ, କାଳୁଚରଣ ରାଉତ, ରାଜା କୁଲଦୀପ, ଅଜିତ କୁମାର ରାଉଳ, ଲାଲମୋହନ ସାହୁ ଓ କାର୍ତ୍ତିକ ଗୋଲରୀ। ଏହି ସମସ୍ତଙ୍କ ଘର କୋରାପୁଟ ସହରର ଟିକିରା ସାହିରେ। ସେମାନେ ଚୋରି କରିଥିବା କିଛି ଟଙ୍କା ଓ ସୁନା ମଧ୍ୟ ଉଦ୍ଧାର କରିଛି ପୁଲିସ। ୭୯,୭୦୦ ଟଙ୍କା, ୭୯.୬ ଗ୍ରାମ ସୁନା ଓ ରୂପ‌ା ଅଳଙ୍କାର ଉଦ୍ଧାର କରିଛି। ଏକ ଡଜନ ଚୋରି ମାମଲାରେ ଏମାନଙ୍କ ସଂପୃକ୍ତି ରହିଥିଲାବେଳେ ଏମାନଙ୍କ ପାଖରୁ ୨୧ଟି ମୋବାଇଲ ଫୋନ ଓ ୩ ଟି ମୋଟର ସାଇକେଲ ଜବତ କରାଯାଇଛି।

ଚୋର ଦଳକୁ ଧରିବା ନେଇ କୋରାପୁଟ ଟାଉନ ଥାନା ପୁଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଥାନା ଅଧିକାରୀ ପୀତବାସ ଧାରୁଆ କହିଛନ୍ତି ଯେ, କୋରାପୁଟ ଟିକିରା ସାହି ଅଂଚଳର କିଛି ଯୁବକ ଲଗାତାର କିଛି ଦିନ ହେଲା ସହରର ବିଭିନ୍ନ ସ୍ଥାନରୁ ଚୋରି କରି ଆସୁଥିଲେ। ଅଶୋକ ନଗର, ଭୁଦାନ କଲୋନୀ, ପିଏଚଡି କଲୋନୀ, ହାଟପଦା, ଗାନ୍ଧୀ ନଗର, ବସଷ୍ଟାଣ୍ଡ ଅଂଚଳରୁ ଗତ ଅଗଷ୍ଟ ମାସରୁ ଏପ୍ରିଲ ମଧ୍ୟରେ ୧୨ଟି ଚୋରି କରିଛନ୍ତି। ଏମାନଙ୍କ ନାମରେ ୧୨ଟି ମାମଲା ରହିଥିଲାବେଳେ ଗତ କିଛି ଦିନ ତଳେ ରାଉଳ ଶିବ ମନ୍ଦିର ଅଂଚଳର ଜଣେ ମହିଳାଙ୍କ ଘରୁ ଚୋରି କରିଥିଲେ।

ଏହି ମାମଲାରେ ଚୋରର ଚେହେରା ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା। ଏହା ଜଣାପଡିବା ପରେ ଚୋରି କରିଥିବା ଯୁବକ ଜଣଙ୍କ ଫେରାର ହୋଇ ଯାଇଥିଲା। ପରେ ପୁଲିସ ତାଙ୍କୁ ଏକ ଅଜଣା ସ୍ଥାନରୁ ଉଠାଇ ଆଣିଥିଲା। ଏହି ମାମଲା ନେଇ ପଚରାଉଚୁରା କରିବା ସମୟରେ ସେ ତା’ ସହଯୋଗୀଙ୍କ ସଂପର୍କରେ ପୁଲିସକୁ ସୂଚନା ଦେଇଥିଲା। ଏହି ଆଧାରରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ବ୍ୟତୀତ ଆଉ ଜଣେ ନାବାଳକ ଏହି ଚୋରିରେ ସାମିଲ ରହିଛି।

ସମ୍ବନ୍ଧିତ ଖବର