ଲକ୍‌ଡାଉନ୍‌ରେ ମଧ୍ୟ ମାଙ୍କଡ଼ା ପଥର ଚାଲାଣ!, ଗ୍ରାମବାସୀଙ୍କ ବିରୋଧ ପରେ ରାଜସ୍ୱ ନିରୀକ୍ଷକଙ୍କ ପଦକ୍ଷେପ

ଚଢ଼ଉ ପାଇଁ ଯାଇଥିବା ଆର୍‌ଆଇଙ୍କୁ ପଥର ମାଫିଆଙ୍କ ମାଡ଼, ମାମଲା ରୁଜୁ, ପୂର୍ବ ଆର୍‌ଆଇ ଆକ୍ରମଣ ମାମଲାରେ ୬ ଗିରଫ

ଖୋର୍ଦ୍ଧା/ନିରାକାରପୁର: ଲକ୍‌ଡାଉନ୍‌ରେ ଗମନା ଗମନ ବନ୍ଦ । କୌଣସି ଅଂଚଳକୁ ଅତ୍ୟାବଶ୍ୟକ କାମ ପାଇଁ ଯିବା ପାଇଁ ଅନୁମତି ନେବାକୁ ପଡ଼େ । ରାସ୍ତାର ପ୍ରତ୍ୟେକ ପ୍ରବେଶ ପଥରେ ପୁଲିସ ପହରା ଓ ବେରିକେଡ୍ । ଏହା ସତ୍ୱେ ଖୋର୍ଦ୍ଧା ଜିଲ୍ଲାର ପଥର ମାଫିଆ ଗଳାବାଟ ଖୋଜି ନେଇଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ଦୈନିକ ଟ୍ରକରେ ମାଙ୍କଡ଼ା ପଥର ଚୋରାଚାଲାଣ ଚାଲିଛି । ଆଜି ବେଆଇନ ପଥର ଖଣି ଉପରେ ଚଢ଼ଉ ପାଇଁ ଯାଇଥିବା ଗୋଳବାଇ ରାଜସ୍ୱ ନିରୀକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଉପରେ ପଥର ମାଫିଆ ଆକ୍ରମଣ କରିଛନ୍ତି । ଏହାପରେ ପୁଲିସ୍ ପକ୍ଷରୁ ଚଢ଼ଉ ଆରମ୍ଭ ହୋଇଥିଲା । ୩ଟି ପୃଥକ ଚଢ଼ଉରେ ୧୬ଟି ଟ୍ରକ୍ ସହ ପାୱାର ଟ୍ରିଲ୍ ଆଦି ଜବତ କରାଯିବା ସହ ପ୍ରାୟ ୧୦ଜଣଙ୍କୁ ଗିରଫ କରାଯାଇଛି ।

ଲକ୍‌ଡାଉନ୍ ଆରମ୍ଭ ହେବାର ପ୍ରଥମ କିଛି ଦିନ ଖୋର୍ଦ୍ଧା ଜିଲ୍ଲାରେ ଟାଙ୍ଗୀ, ନିରାକାରପୁର, ଜଙ୍କିଆ ଓ ଖୋର୍ଦ୍ଧା ସଦର ଥାନାରେ ମାଙ୍କଡ଼ା ପଥର ଚାଲାଣ ବନ୍ଦ ରହିଥିଲା । କିନ୍ତୁ ଲକ୍‌ଡାଉନ୍ ଦ୍ୱିତୀୟ ପର୍ଯ୍ୟାୟ ଶେଷ ଆଡ଼କୁ ବେଧଡ଼କ ପଥର ଖନନ ଓ ଚୋରାଚାଲାଣ ଆରମ୍ଭ ହୋଇଥିଲା । ୫ ଦିନ ପୂର୍ବେ ଧଉଳିମୁହଁ ନିକଟସ୍ଥା କାଇମାଡ଼ିଆ ଗାଁରେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଓଲଟି ପଡ଼ିଥିଲା । ଏନେଇ ସୂଚନା ପାଇବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଂଚି ଟ୍ରକ୍‌ଟିକୁ ଜବତ କରିଥିଲେ ମଧ୍ୟ ଟ୍ରକ୍ ଚାଳକ ଓ ଚୋରା ଚାଲାଣ କରୁଥିବା ବ୍ୟକ୍ତି ସେଠାରୁ ଫେରାର୍ ହୋଇଯାଇଥିଲେ ।

ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନାନୁସାରେ, ମଳିପଡ଼ା ବାଇପାସ୍ ନିକଟସ୍ଥ ସ୍ଥାନରୁ ବେଆଇନ ପଥର ଖନନ କରାଯିବା ସହ ମଳିପଡ଼ା, ଷଢ଼େଇଗଡ଼ ଭାୟା ନରଣଗଡ଼ ଦେଇ ପିପିଲି ନିୟମିତ ଟ୍ରକ୍ ଯିବା ଆସିବା କରୁଛି । ଏନେଇ ଅଭିଯୋଗ ହେବା ପରେ ଚଢ଼ଉ କରାଯାଇ ଜଙ୍କିଆ ଓ ମଳିପଡ଼ାରୁ ୧୨ଟି ଟ୍ରକ୍‌, ଟ୍ରାକକ୍ଟର ୬ଟି ପାୱାର ଟ୍ରିଲର, ମୋଟର ସାଇକଲ ଆଦି ଜବତ କରାଯାଇଥିବା ଜଣାଯାଇଛି ।

ସୂଚନାନୁସାରେ, ଗତ କିଛି ଦିନ ଧରି ଗୋଳବାଇ ନିକଟସ୍ଥ ବ୍ରଜମୋହନପୁର ଗାଁ ନିକଟରୁ ବେଆଇନ ପଥର ଖନନ ହେଉଥିବା ଓ ମଳିପଡ଼ା, ହାଡ଼ପଦା ରାସ୍ତା ଦେଇ ନୂଆ ଜଗନ୍ନାଥ ସଡ଼କ ରାସ୍ତାରେ ବ୍ୟାପକ ପଥର ଚୋରା ଚାଲାଣ ହେଉଥିବା ନେଇ ବ୍ରଜମୋହନପୁର, ନରଣଗଡ଼, ହାଡ଼ପଦା ଗ୍ରାମବାସୀ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍‌ତିରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୋଳବାଇ ରାଜସ୍ୱ ନିରୀକ୍ଷକ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ନିଜର ୪ ଜଣ କର୍ମଚାରୀଙ୍କ ସହ ଉକ୍ତ ଅଂଚଳକୁ ଚଢ଼ାଉ କରିବାକୁ ଯାଇଥିଲେ । ତେବେ ସେଠାରେ ଥିବା ୧୦-୧୫ଜଣ ବ୍ୟକ୍ତି ରାଜସ୍ୱ ନିରୀକ୍ଷକଙ୍କୁ ଦେଖି ଗାଳିଗୁଲଜ କରିବା ସହ ଧକ୍କା ଦେଇ ଚାଲିଯିବାକୁ ଧମକ ଦେଇଥିଲେ । ତେବେ ଆର୍‌ଆଇ ଘଟଣାସ୍ଥଳରୁ ନଯିବା ଦେଖି ଟେକାପଥର ଫିଙ୍ଗିଥିଲେ, ଏଥିରେ ଆର୍‌ଆଇ ଷଡ଼ଙ୍ଗୀ ଆହତ ହୋଇଥିବା ଜଣାଯାଇଛି । ଘଟଣାର ୩୦-୪୦ ମିନିଟ ପରେ ପୁଲିସ୍ ଘଟଣାସ୍ଥଳରେ ପହଂଚିଥିଲେ ଓ ଚିକିତ୍ସା ପାଇଁ ଆର୍‌ଆଇ ଓ ଅନ୍ୟ କର୍ମଚାରୀଙ୍କୁ ସ୍ଥାନୀୟ ହସ୍‌ପିଟାଲ୍‌କୁ ପଠାଇଥିଲେ ।

ଘଟଣା ପରେ ଜଙ୍କିଆ ଓ ସଦର ଥାନା ପୁଲିସ ପକ୍ଷରୁ ଏସ୍‌ଡିପିଓ ସୁଶୀଲ ମିଶ୍ର, ତହସିଲଦାର ଶୁଭେନ୍ଦୁ ସାମଲ, ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତିଙ୍କ ଉପସ୍ଥିତିରେ ବ୍ରଜମୋହନପୁର ସମେତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ବ୍ରଜମୋହନପୁର ନିକଟରୁ ୨ଟି ମିନିଟ୍ରକ, ୨ଟି ଟ୍ରକ୍‌, ୨ଟି ପାୱାର ଟ୍ରିଲର ଜବତ କରାଯାଇଥିବା ବେଳେ ଷଢ଼େଇଗଡ଼ ନିକଟରୁ ୨ଟି ମିନିଟ୍ରକ୍‌, ୨ଟି ଟ୍ରକ୍‌, ୨ଟି ପାୱାର ଟ୍ରିଲର ଜବତ କରାଯାଇଛି । ସେହିଭଳି ଜଙ୍କିଆ ଇଲାକାରେ ଚଢ଼ଉ କରାଯାଇ ୭ଟି ଟ୍ରକ୍‌, ଗୋଟିଏ ଟ୍ରାକ୍ଟର, ୪ଟି ପାୱାର ଟ୍ରିଲର, ୩ଟି ମୋଟର ସାଇକଲ, ଗୋଟିଏ ଟାଟା ଏସି ସହ ୪ଜଣଙ୍କୁ ଗିରଫ କରାଯାଇଛି ।

ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁଙ୍କ ସୂଚନାନୁସାରେ ଚଳିତ ଫେବ୍ରୁଆରୀ ମାସରେ ଷଢ଼େଇଗଡ଼ ନିକଟରେ ଚଢ଼ଉ ସମୟରେ ଯାଇଥିବା ଜଣେ ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ ଘଟଣାରେ ୬ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଜଙ୍କିଆ ଥାନାର ଚଢ଼ଉରେ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୭୯, ୪୧୧, ଏମ୍‌ଏମ୍‌ଡିଆର୍ (୨) ୩୪ ଏବଂ ଓପିଟିସିଏଲ୍ ଧାରାରେ ୯୭/୨୦୨୦ ମାମଲା ରୁଜୁ କରାଯାଇଛି । ତେବେ ବ୍ରଜମୋହନପୁର ଘଟଣାରେ ତହସିଲଦାରଙ୍କ ପକ୍ଷରୁ ଏନେଇ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନାହିଁ । ଆକ୍ରମଣ ଘଟଣାରେ ୫ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ପି ଶ୍ରୀ ସ୍ୱାଇଁ କହିଛନ୍ତି । ଆର୍‌ଆଇଙ୍କୁ ଆକ୍ରମଣ ଘଟଣାରେ ତହସିଲଦାର କିମ୍ବା ଉପଜିଲ୍ଲାପାଳଙ୍କ ଠାରୁ କୌଣସି ପ୍ରତ୍ରିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର