ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ଏନ୍ଏଚ୍ଆରସିରେ ମାମଲା, ୬ ଅଭିଯୁକ୍ତ ଗିରଫ

୧୦ ଲକ୍ଷ କ୍ଷତିପୂରଣ ସହ ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ବିଚାର ପାଇଁ ନିବେଦନ

ରାୟଗଡ଼ା: ଗୁଣପୁର ଥାନା ପଣସଗୁଡାର ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ମାମଲାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି) ରେ ମାମଲା ରୁଜୁ ହୋଇଛି। ମାନବାଧିକାର କର୍ମୀ ଜୟନ୍ତ କୁମାର ଦାଶଙ୍କ ଆବେଦନକୁ ଏନ୍ଏଚଆରସି ଗ୍ରହଣ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ନିର୍ଦେଶ ଦେଇଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ କ୍ଷତିପୂରଣ ନୀତି ଅନୁଯାୟୀ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଶ୍ରୀ ଦାସ ଆବେଦନରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ସଂପୃକ୍ତ ୬ ଅଭିଯୁକ୍ତକୁ ପୁଲିସ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୀଡ଼ିତା ନାବାଳିକା ୬ ମାସର ଗର୍ଭବତୀ ଥିବାରୁ ରାୟଗଡ଼ା ସ୍ବଧାର ଗୃହରେ ରଖାଯାଇଛି।

ଅଭିଯୋଗନୁଯାୟୀ, ଗଣଦୁଷ୍କର୍ମରେ ସଂପୃକ୍ତ ସମସ୍ତ ଅଭିଯୁକ୍ତକୁ ପୁଲିସ୍ ପଣସଗୁଡା, ବନ୍ଧୁଗୁଡାରୁ ଉଠାଇବା ପରେ ପଚରା ଉଚରା କରିଥିଲା। ତଦନ୍ତ ସମୟରେ ନାବାଳିକାକୁ ବିଭିନ୍ନ ସମୟରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ପୁଲିସ୍ ନିକଟରେ ସ୍ବୀକାର କରିଛନ୍ତି। ଫଳରେ ପୁଲିସ୍ ପଣସଗୁଡା ଗ୍ରାମର ନାଗ ଦେବ ଶବର (୨୫), ରଘୁ ଶବର (୨୯), ମନୋଜ ଶବର (୩୦), ଘାସି ଶବର (୩୫), ଲଣ୍ଡା ଓରଫ ସୁରେଶ ଶବର (୩୦) ଏବଂ ବନ୍ଧୁଗୁଡା ଗ୍ରାମର ମାଝି ଶବର(୩୫)କୁ ଗିରଫ କରିଥିଲା। ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ ସମସ୍ତଙ୍କୁ ଡାକ୍ତରୀ ମାଇନା କରାଯିବା ପରେ କୋଭିଡ଼୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗୁଣପୁର ଆଦର୍ଶ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ରାୟଗଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ଗତକାଲି ରାୟଗଡା ସ୍ୱତନ୍ତ୍ର ପୋକସୋ କୋର୍ଟରେ ୧୬୪ ଧାରା ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ବୟାନ ରେକର୍ଡ କରାଯାଇଥିଲା। ଘଟଣାରେ ଆହୁରି ଅନେକଙ୍କ ସଂପୃକ୍ତି ଥିବା ଦାବି କରି ପଣସଗୁଡା ଗ୍ରାମର ଶତାଧିକ ମହିଳା ଗୁଣପୁର ଅଭିମୁଖେ ଆସିଥିଲେ। ପୁଲିସ୍ ସୂଚନା ପାଇ ବାଇପାସ ରୋଡରେ ସମସ୍ତଙ୍କୁ ଅଟକାଇ କିଛି ଜଣଙ୍କୁ ଆଲୋଚନା ପାଇଁ ଡାକି ଅନ୍ୟମାନଙ୍କୁ ଗାଁକୁ ଫେରିଯିବାକୁ ପରାମର୍ଶ ଦେଇଥିଲା।

୧୪ ବର୍ଷୀୟ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଗଷ୍ଟ ୨୭ ତାରିଖ ରାତିରେ ଗୁଣପୁର ଥାନାରେ ମାମଲା ରୁଜୁ ହୋଇଥିଲା। ୨୯ ତାରିଖରେ ଏ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁରୀର ମାନବାଧିକାର କର୍ମୀ ଜୟନ୍ତ କୁମାର ଦାଶ ଦିଲ୍ଲୀସ୍ଥିତ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ କରିଥିଲେ। ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଅବିଳମ୍ବେ ପୁଲିସ ଗିରଫ କରିବା, ପୀଡ଼ିତାଙ୍କୁ ଗୃହ ବିଭାଗର ନିର୍ଦେଶନାମା ଅନୁଯାୟୀ କ୍ଷତିପୂରଣ ପ୍ରଦାନ, ମାମଲାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ କରିବାକୁ ଏନ୍ଏଚଆରସି ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେବାକୁ ଶ୍ରୀ ଦାସ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ୮ ମାସ ତଳେ ଗାଁ ନିକଟ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର