ହ୍ରାଇଦ୍ରାବାଦ୍‌ ଯିବା ପୂର୍ବରୁ ଉଦ୍ଧାର ହେଲେ ୬ ଦାଦନ ଶ୍ରମିକ, ଦଲାଲ ଗିରଫ

ନୂଆପଡ଼ା: ହାଇଦ୍ରାବାଦ୍‌ ଯିବା ପୂର୍ବରୁ ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ କାମପୁର ଠାରେ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ବେଳେ ଏମାନଙ୍କୁ ହାଇଦ୍ରାବାଦ୍‌ ନେବା ପାଇଁ ଯୋଜନା କରିଥିବା ଦଲାଲକୁ ଗିରଫ କରିଛି। ଅଭିଯୁକ୍ତର ନାଁ ନରେନ୍ଦ୍ର ପଟେଲ (୨୫)।

ସୂଚନା ଅନୁସାରେ ଗତକାଲି ରାତିରେ ବୋଡ଼େନ ପୁଲିସ କାମପୁର ଠାରେ ଅତର୍କିତ ଚଢ଼ାଉ କରି ୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ଦଲାଲକୁ ଗିରଫ କରିଥିବା ନେଇ ବୋଡ଼େନ ଥାନା ଅଧିକାରୀ ଶୋଭାକର ସେଠ୍‌ ପ୍ରକାଶ କରିଛନ୍ତି।

ପୁଲିସ ସୂଚନା ଅନୁଯାଇ ଗୁରୁବାର ରାତିରେ ୬ ଜଣ ଦାଦନ ଶ୍ରମିକ ବିଜୟବାଡ଼ା ଯିବା ପାଇଁ ଦଲାଲ ସହ କାମପୁର ଠାରେ ବସ୍‌କୁ ଅପେକ୍ଷା କରିଥିଲେ। ବୋଡ଼େନ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ କାମପୁର ଛକରେ ଥିବା ଶ୍ରମିକ ଉପରେ ଚଢ଼ାଉ କରିଥିଲା। ସେଠାରୁ ପୁଲିସ କୋମନା ବ୍ଳକର ୨ ଜଣ, ବୋଡ଼େନ ବ୍ଳକ କର୍ଲାକୋଟର ୨ଜଣ ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ୨ ଜଣଙ୍କୁ ଉଦ୍ଧାର କରି ଥିଲା।

ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଧଡ଼କ ଭାବରେ ଦାଦନ ଶ୍ରମିକ ଚାଲଣ ହେଉଛି। ଚଳିତ ମାସ ୯ ତାରିଖ ଦିନ ହାଇଦ୍ରାବାଦକୁ ବସ୍‌ ଯୋଗେ ବେଆଇନ ଭାବେ ଦାଦନ ଚାଲଣ ସମୟରେ ପୁଲିସ ଚଢ଼ାଉ କରି ୩୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିଲା। ପୁଲିସ ସେଦିନ ୪ ଜଣ ଦଲାଲ ଓ ୪ ଜଣ ବସ୍‌ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା।

ସମ୍ବନ୍ଧିତ ଖବର