ସୁନ୍ଦରଗଡ଼: ଆଜି ପୁଣି ୫ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩

ସୁସ୍ଥ ହେଲେଣି ୨୩ ଜଣ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଶୁକ୍ରବାର ଜିଲ୍ଳାରୁ ସମୁଦାୟ ୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଉରକେଲାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବଡ଼ଗାଁ ବ୍ଲକରେ ୨ ଜଣ ଓ ଟାଙ୍ଗରପଲ୍ଲୀ ବ୍ଲକରେ ୩ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଆଜି ସକାଳୁ ଜଣେ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ନୂଆ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଉରକେଲାର ଆକ୍ରାନ୍ତ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ରାଉରକେଲା କଣ୍ଟେନମେଣ୍ଟ୍‌ ଜୋନ୍‌ ଅଞ୍ଚଳର ବାସିନ୍ଦା। ଏତଦ୍‌ବ୍ୟତୀତ ଟାଙ୍ଗରପଲ୍ଲୀ ଓ ବଡ଼ଗାଁର ୫ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଏହି ୫ ଜଣ ମହାରାଷ୍ଟ୍ରରୁ ଆସି ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସମସ୍ତ ୬ ଜଣ ଆକ୍ରାନ୍ତଙ୍କୁ ହାଇଟେକ୍‌ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଆଜି ଆଉ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଞ୍ଚିଛି।

ଅପରପକ୍ଷରେ ଆକ୍ରାନ୍ତଙ୍କମାନେ ସୁସ୍ଥ ହେବାରେ ଲାଗିଛନ୍ତି, ଯାହାକି ଜିଲ୍ଲାବାସୀଙ୍କୁ ଆଶ୍ବସ୍ତ କରିଛି। ଆଜି ୮ ଜଣ ଆକ୍ରାନ୍ତ କରୋନା ମୁକ୍ତ ଥିବା ଜଣାପଡ଼ିଛି। ଲଗାତାର ଦୁଇଥର ରିପୋର୍ଟ ନେଗେଟିଭ୍‌ ଆସିବାପରେ ସେମାନଙ୍କୁ ସୁସ୍ଥ ଘୋଷଣା କରାଯାଇଛି। ତେବେ ନିୟମାନୁଯାୟୀ ତାଙ୍କୁ ଦୁଇ ସପ୍ତାହ ଧରି ସରକାରୀ କ୍ବାରେଣ୍ଟିନ୍‌ରେ ରଖାଯିବ। ଏ ପର୍ଯ୍ୟନ୍ତ ମୋଟ୍‌ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଅତଏବ ଜିଲ୍ଲାରେ ଏବେ ୧୦ କରୋନା ପଜିଟିଭ୍‌ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର