କରଡ଼ଗାଡ଼ିଆ ରାଜନୈତିକ ହତ୍ୟାକାଣ୍ଡ: ୮ରୁ ମୁଖ୍ୟ ଅଭିଯୁକ୍ତ ସମେତ ୬ ଗିରଫ

ହତ୍ୟା ପାଇଁ ଅନେକ ଦିନ ପୂର୍ବରୁ କରିଥିଲେ ଯୋଜନା

ଖୋର୍ଦ୍ଧା: ସଦରଥାନା ଅନ୍ତର୍ଗତ କରଡ଼ଗାଡ଼ିଆରେ ଗତ ୧ ତାରିଖ ରାତିରେ ଘଟିଥିବା ରାଜନୈତିକ ହତ୍ୟାକାଣ୍ଡର ଗୁମର ଖୋଲିବା ସହ ଏଥିରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ଓ ତା’ର ୬ଜଣ ସହଯୋଗୀଙ୍କୁ ପୁଲିସ ୩୬ ଘଂଟା ମଧ୍ୟରେ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟା ପାଇଁ ମୁଖ୍ୟ ଅଭିଯୁକ୍ତ ଅନେକ ଦିନ ପୂର୍ବରୁ ଯୋଜନା କରିଥିବା ଓ ଏଥିପାଇଁ ନିଜ ଗାଁ ସମେତ, ପିପିଲି ଓ ଖୋର୍ଦ୍ଧାରୁ ସହଯୋଗୀ ଯୋଗାଡ଼ କରିଥିବା ଜଣାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଅଭିମାନପୁର (ମାନପୁର)ର ସତ୍ୟବ୍ରତ ନାୟକଙ୍କ ହତ୍ୟାକାଣ୍ଡ ଖୋର୍ଦ୍ଧା ପୁଲିସ ପାଇଁ ଏକ ବଡ଼ ଚାଲେଂଜ୍‌ ଥିଲା। ତେବେ ହତ୍ୟା ପଛରେ ରାଜନୈତିକ ଓ ଜାତିଗତ କାରଣ ଥିବାରୁ ଏହାକୁ ଗୁରୁତର ସହ ଗ୍ରହଣ କରିଥିଲା। କେବଳ ଏହା ନୁହେଁ। ସତ୍ୟବ୍ରତଙ୍କୁ ହତ୍ୟାକରି ପୋଡ଼ି ଦେଇଥିବାରୁ ପ୍ରମାଣ ଆଦି ସଂଗ୍ରହ କରିବା ମଧ୍ୟ କଷ୍ଟକର ଥିଲା। ଏଭଳି ଏକ ହାଇପ୍ରୋଫାଇଲ୍‌ ହତ୍ୟା ଘଟଣାରେ ପୁଲିସର ତ୍ୱରିତ ପଦକ୍ଷେପ ପ୍ରଭାବୀ ହୋଇଛି ।

ପୁଲିସ ଗତକାଲି ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦେହରେ ଅନେକ ବ୍ୟକ୍ତିଙ୍କୁ ପଚରାଉଚୁରା ଆରମ୍ଭ କରିଥିଲା। ଶେଷରେ ଏଥିରେ ୮ଜଣ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ହତ୍ୟାକାଣ୍ଡର ଯୋଜନା ମାନପୁରର ମାନବବାଦୀ ସଂଗଠନର ମୁଖିଆ ସ୍ୱପ୍ନେଶ୍ୱର ନାୟକ କରିଥିଲା ଓ ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ନିଜ ସଂଗଠନର ସଦସ୍ୟଙ୍କୁ ଯୋଗାଡ଼ କରିଥିଲା।

ଆଜି ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ଏନେଇ ସୂଚନା ଦେଇ କହିଛନ୍ତିି ଯେ ହତ୍ୟା ଘଟଣାରେ ମାନପୁରର ମାନବବାଦୀ ସଂଗଠନର ମୁଖିଆ ସ୍ୱପ୍ନେଶ୍ୱର ନାୟକଙ୍କୁ ଗିରଫ କରାଯାଇଛି। ସ୍ୱପ୍ନେଶ୍ୱରଙ୍କ ସଂଗଠନ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଆଦି ଅଂଚଳରେ ରହିଛି। ସେ ଗତ ପିପିଲି ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏହା ସହ ସତ୍ୟବ୍ରତଙ୍କୁ ଅପହରଣ, ମରଣାନ୍ତକ ଆକ୍ରମଣ କରିବା ଓ ହତ୍ୟା ପରେ ପୋଡ଼ିବା, ସତ୍ୟବ୍ରତଙ୍କ ପୁତୁରା ବସନ୍ତଙ୍କୁ ହତ୍ୟାଧମକ ଦେବା ଘଟଣାରେ କରଡ଼ଗାଡ଼ିଆର ଟୁଲୁ ବେହେରା, ଖୋର୍ଦ୍ଧା ସହର ହଳଦୀପଦାର ବିଜୟ ନାୟକ, ପୁରୀ ଜିଲ୍ଳା ନିମାପଡ଼ାର ତାଳତମାଳର ଶ୍ୟାମଘନ ନାୟକ, ପିପିଲି ଯୁନୁପଦିଆର ବୈକଣ୍ଠ ନାୟକ, ତାଳଚେର ସଦର ନିକ ବାଲିଯୋଡ଼ିର ଯେଗେଶ୍ୱର ନାୟକ, ବେଗୁନିଆ ତାଳତୁମର ମୀନକେତନ ନାୟକଙ୍କୁ ଗିରଫ କରାଯାଇଛି।

୧ ତାରିଖ ରାତିରେ ଟୁଲୁ ବେହେରା ଓ ସ୍ୱପ୍ନେଶ୍ୱର ନାୟକ ବୁଝାମଣା କରିବାକୁ ସତ୍ୟବ୍ରତଙ୍କୁ ଡାକି ନେଇଥିଲେ। ଟୁଲୁ ବେହେରାଙ୍କ ଘରେ ମାଂସ, ଭାତ ଓ ମଦ ଆଦି ରାନ୍ଧି ଖାଇବା ପରେ ସତ୍ୟବ୍ରତଙ୍କୁ ହାତଗୋଡ଼ ବାନ୍ଧି ବାଉଁଶ, ଲୁହା ପାଇପ, ବାଡ଼ି ଦ୍ୱାରା ନିସ୍ତୁକ ବାଡ଼େଇଥିଲେ। ଏଥିରେ ସତ୍ୟବ୍ରତଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସେମାନେ ସତ୍ୟବ୍ରତଙ୍କୁ ନେଇ ପୋଡ଼ିଦେଇଥିଲେ। ଫରେନ୍‌ସିକ୍‌ ଟିମ୍‌ ଜୁଇରୁ ପୋଡ଼ା ହାଡ଼, ପାଉଁଶ ଆଦିକୁ ସଂଗ୍ରହ କରି ଅଧିକ ପରୀକ୍ଷା ପାଇଁ ପଠାଇଛି।

ସମ୍ବନ୍ଧିତ ଖବର